ମାର୍ଚ୍ଚ ୧୧ ସୁଦ୍ଧା କରୋନା ହେବ ପ୍ରଭାବହୀନ

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପୀଡାରେ ଛଟପଟ ହେଉଥିବା ଭାରତ ସମେତ ସମୁଚ୍ଚୟ ବିଶ୍ବ ପାଇଁ ଏକ ସବୁଠୁ ବଡ଼ ପ୍ରଶ୍ନ କେବେ ଯିବ କରୋନା। ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା। ସେ କହିଛନ୍ତି, ଓମିକ୍ରନ୍‌ ଯୋଗୁଁ ସଂକ୍ରମଣ ବଢୁଛି। ଯଦି ଓମିକ୍ରନ୍‌ କରୋନାର ପୂର୍ବ ପ୍ରକରଣ ଭୂତାଣୁ ଡେଲଟାର ସ୍ଥାନ ନେଇଯାଏ ଏବଂ ଅନ୍ୟ କୌଣସି ନୂଆ ପ୍ରଜାତି ଆଗକୁ ସୃଷ୍ଟି ନହୁଏ, ତେବେ ମାର୍ଚ୍ଚ ୧୧ ସୁଦ୍ଧା ମହାମାରୀ ଶେଷ ପର୍ଯ୍ୟାୟ(ଏଣ୍ଡେମିକ୍‌)ର ରୂପ ନେବ।

କହିବାକୁ ଗଲେ କରୋନା ପ୍ରଭାବହୀନ ହୋଇପଡିବ ଏବଂ କେବଳ ଏହି ଭୂତାଣୁ ସ୍ଥାନୀୟ ସଂକ୍ରମଣ ଭିତରେ ସୀମିତ ରହିବ। ଏହାସତ୍ତ୍ବେ ଲୋକଙ୍କୁ କରୋନା ମାର୍ଗଦର୍ଶିକା କଡାକଡି ପାଳନ କରିବାକୁ ପଡିବ। ମୁହଁରେ ତୁଣ୍ଡି (ମାସ୍କ) ପିନ୍ଧିବା ସହିତ ନିୟମିତ ଅବଧିରେ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା ଭଳି କଟକଣାକୁ ମାନିବାକୁ ପଡିବ। କୌଣସି ନୂଆ ପ୍ରଜାତି ଏହି ସମୟ ଭିତରେ ଦେଖା ନ ଦେଲେ ସ୍ଥାନୀୟ ସଂକ୍ରମଣରେ କରୋନା ସୀମିତ ହେବାର ସମ୍ଭାବନା ଅଧିକ ଥିବା ଭେଷଜ ବିଶେଷଜ୍ଞ ସମୀରନ୍‌ କହିଛନ୍ତି।

ଅନ୍ୟପକ୍ଷରେ କରୋନାକୁ ଜିତିବାକୁ ହେଲେ ଟିକାର ଗୁରୁତ୍ବ ବେଶ୍‌ ଅଧିକ ରହିଥିବା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ୍‌। ଯଦି ଲୋକଟିଏ କରୋନା ଟିକା ନେଇଥାଏ ଏବଂ ଓମିକ୍ରନ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ, ତେବେ ଏହା ଭବିଷ୍ୟତରେ ଡେଲ୍‌ଟା ଭୂତାଣୁ ବିରୋଧରେ ମଧ୍ୟ ସୁରକ୍ଷା ପ୍ରଦାନ କରିବ ବୋଲି ଶ୍ରୀମତୀ ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି ।

ଟିକା ନେଇ ନ ଥିଲେ ଏବଂ କରୋନା ସଂକ୍ରମିତ ହେଲେ ଏହା କୌଣସି ପ୍ରକାର ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ତିଆରି କରିବ ନାହିଁ ବୋଲି ଏହି ଅଧ୍ୟୟନରୁ ଜଣାପଡିଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଲକ୍ଷ ୮୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଜି ଦିନକରେଆଉ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପୁଣି ୧୪୮ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ବଢିଚାଲିଥିବା ଜଣାପଡିଛି। ଦେଶରେ ସଂକ୍ରମଣ ହାର ୧୫.୧୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୬.୭ ପ୍ରତିଶତ ରହିଛି।

Comments are closed.