କରୋନା ପ୍ରଭାବ – ପାଠପଢ଼ା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଛାତ୍ରଛାତ୍ରୀ

ସମ୍ବଲପୁର (ବିରାଜ କୁମାର ମିଶ୍ର): ବିଶ୍ୱର ସବୁ କ୍ଷେତ୍ରରେ କରୋନା ମହାମାରୀ ଯୋଗୁଁ ଓଲଟପାଲଟ ହୋଇଯାଇଛି। ବିଶ୍ୱବାସୀ ଏବେ କରୋନା ମୁକାବିଲାରେ ଲାଗି ପଡିଥିବା ଯୋଗୁଁ ବାକି ବ୍ୟବସ୍ଥା ଗୁଡିକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉ ନାହିଁ। କରୋନାକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ରକ୍ଷା ଏକ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ସମସ୍ତ ପ୍ରକାରର ଜନସମାବେଶକୁ ବାତିଲ କରାଯାଇ ୫୦ ଦିନରୁ ଉର୍ଦ୍ଧ୍ୱ ହେବ ଦେଶକୁ ଲକ ଡାଉନ କରାଯାଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଶୈକ୍ଷିକ, ଧାର୍ମିକ, ସାମାଜିକ, ସରକାରୀ ଓ ସାଧାରଣ ଜୀବନଯାପନ ପର୍ଯ୍ୟନ୍ତ ସବୁ ଠପ ହୋଇ ପଡିରହିଛି। ମାର୍ଚ୍ଚ ମାସରେ ବହୁ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଶେଷ ହୋଇ ନ ଥିବା ବେଳେ ଆଗକୁ କେବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବ ଏବଂ ପରୀକ୍ଷା ହେବ, ତାହାକୁ ନେଇ ଦ୍ୱନ୍ଦ ଜାରି ରହିଛି।

ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି କେତେକ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷାଗୁଡିକ ଆଧାରରେ ନମ୍ବର ଦିଆଯାଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ପାଇଁ ଚିନ୍ତା କରୁଥିବା ବେଳେ ଆଉ କିଛି କ୍ଷେତ୍ରରେ ଆଗାମୀ ଜୁଲାଇ ପରେ ସ୍ଥିତି ଅନୁଯାୟୀ ପରୀକ୍ଷା ପାଇଁ ଚିନ୍ତା କରୁଛନ୍ତି। ଏହା ସହିତ କେତେକ ଶିକ୍ଷାନୁଷ୍ଠାନଗୁଡିକରେ ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନ ଓ ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଅନଲାଇନ ସାଧନ ନ ଥିବାରୁ ସେମାନଙ୍କ ପାଠ ପଢ଼ା ବନ୍ଦ ରହିଛି। ଅନେକ ଶିକ୍ଷାନୁଷ୍ଠାନ ଗୁଡିକରେ ଗତ ଶିକ୍ଷା ବର୍ଷର ପାଠ୍ୟକ୍ରମ ଶେଷ ହୋଇ ନ ଥିବା ବେଳେ ଆଗାମୀ ଦିନରେ ଯଦି ପରୀକ୍ଷା ହୁଏ ତାହା ହେଲେ କିଭଳି ପରୀକ୍ଷା ଦେବେ, ଅନ୍ୟ ଶିକ୍ଷାନୁଷ୍ଠାନରେ ନାମ କେବେ ଲେଖାଇବେ, ଶିକ୍ଷା ବ୍ୟବସ୍ଥା କେବେ ନିୟମିତ ହେବ ଆଦି ବିଭିନ୍ନ ପ୍ରଶ୍ନକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ରହିଛନ୍ତି। ଦେଶକୁ ସୁଦୃଢ଼ କରିବା ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ ଅଟେ। ଏଣୁ ଶିକ୍ଷା ବ୍ୟବସ୍ଥା ଉପରେ ଚାଲୁ ରହିଥିବା ଦ୍ୱନ୍ଦକୁ ଦୁର କରାଗଲେ, ପାଠପଢ଼ା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରସ୍ତୁତି ନିଶ୍ଚିନ୍ତ ହୋଇ କରିପାରିବେ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି।

ଛନ୍ଦାଚରଣ ଦଲପତ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ବୈଶ୍ୱିକ ମହାମାରୀ କରୋନା ସମୟରେ ଶିକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ଆସିବା ପୂର୍ବରୁ ଅନିୟମିତ ଭାବରେ ପାଠପଢ଼ା ବନ୍ଦ ହୋଇଯାଇଛି। ଦୀର୍ଘ ଦିନ ବନ୍ଦ ପରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ବିନା ପାଠପଢ଼ାରେ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ତାହା ଏବେ ପ୍ରମୁଖ ପ୍ରଶ୍ନ ଅଟେ। ଜିଏମୟୁର କତ୍ତୃପକ୍ଷଙ୍କ ଉଦ୍ୟମକ୍ରମେ ଅନଲାଇନ ମାଧ୍ୟମରେ ବଳକା ପାଠ୍ୟକ୍ରମଗୁଡିକ ପାଇଁ କ୍ଲାସ କରାଯାଇଛି ଏବଂ ନୋଟସ ମଧ୍ୟ ଯୋଗାଇ ଦିଆଯାଇଛି। କିନ୍ତୁ ବହୁ ଶିକ୍ଷାନୁଷ୍ଠାନଗୁଡିକରେ ଅନଲାଇନର ସୁବିଧା ନ ଥିବାରୁ ସେମାନଙ୍କର ବଳକା ପାଠ୍ୟକ୍ରମ ବାକି ରହିଥିବାରୁ ଛାତ୍ରଛାତ୍ରୀମାନେ ଚିନ୍ତିତ ରହିଛନ୍ତି।

ଜତିନ ଦ୍ୱାରୀ, ଛାତ୍ର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
କରୋନା ଯୋଗୁଁ ବିଶ୍ୱ ଭୟାବହ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଛାତ୍ର ଗୋଷ୍ଠୀ ବିଭିନ୍ନ ଗୁଜବ ଓ ଶଙ୍କାର ଶିକାର ହେଉଛନ୍ତି। ପରିସ୍ଥିତି ସାମାନ୍ୟ ହେବା ପରେ ଯଦି ପରୀକ୍ଷା ହୁଏ ତାହା ହେଲେ ଫଳ କେବେ ପ୍ରକାଶ ପାଇବ, କେବେ ଅନ୍ୟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଆବେଦନ ହେବ, ସର୍ବଭାରତୀୟ ସ୍ତରରେ ନାମ ଲେଖା କେବେ ହେବ, ପାଠ ପଢ଼ା ନିୟମିତ କେବେ ହେବ ଆଦି ବିଭିନ୍ନ ପ୍ରଶ୍ନ ଛାତ୍ର ମାନଙ୍କ ମଧ୍ୟରେ ରହିଛି। ଏଣୁ ଶିକ୍ଷା ବିଭାଗ ଓ ସରକାର ଛାତ୍ରଛାତ୍ରୀ ମାନଙ୍କ ମନରେ ରହିଥିବା ସମସ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରନ୍ତୁ ବୋଲି ମୋର ଅନୁରୋଧ।

ଚେତନା ଖତ୍ରୀ, ଏନଏସି କଲେଜ, ବୁର୍ଲା
ଶିକ୍ଷା ଓ ସାମାଜିକ ଜୀବନ ପରସ୍ପର ଜଡିତ। କିନ୍ତୁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀରୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତିର୍ଣ୍ଣ କରିବା ଉଚିତ ନୁହେଁ। ପରୀକ୍ଷା ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ବର୍ଷତମାମ କରିଥିବା ପରିଶ୍ରମର ଫଳ କଣ, ତାହା ଜାଣିବାକୁ ପାଇଥାନ୍ତି ଏବଂ ତାହା ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିଥାଏ। ବର୍ତ୍ତମାନର ସଙ୍କଟ ଯୋଗୁଁ ବଳକା ରହି ଯାଇଥିବା ପାଠ୍ୟକ୍ରମକୁ ବାଦ ଦିଆଯାଇ ପରୀକ୍ଷା ବିଳମ୍ବରେ ହେଉ ପଛେ କିନ୍ତୁ କରାଯାଉ।

ଦୀପାଞ୍ଜଳି ବେହେରା, ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ, ସମ୍ବଲପୁର
ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶିକ୍ଷା କ୍ଷେତ୍ରରେ ଅବହେଳା ଗ୍ରହଣଯୋଗ୍ୟ ନୁହେଁ। କିନ୍ତୁ କରୋନା ଭୂତାଣୁ ପାଇଁ ଏବେ ସମସ୍ତଙ୍କର ପାଠ ପଢ଼ା ବନ୍ଦ ହୋଇଯାଇଛି। ବହୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ମଧ୍ୟ ବାତିଲ ହୋଇଯାଇଛି। ବର୍ଷ ସାରା ପାଠ ପଢ଼ି ଶେଷରେ ପରୀକ୍ଷା ଦେଇ ବର୍ଷତମାମ ପରିଶ୍ରମର ପ୍ରଦର୍ଶନକୁ ଛାତ୍ରଛାତ୍ରୀ ଜାଣନ୍ତି। ଏଣୁ ବିଳମ୍ବରେ ହେଉ ପଛେ ପରୀକ୍ଷା ଜରୁର କରିବା ଉଚିତ। ଅନ ଲାଇନ ସୁବିଧା ସମସ୍ତ ଛାତ୍ରଛାତ୍ରୀଙ୍କର ନ ଥିବାରୁ ପାଠ୍ୟକ୍ରମ ଗୁଡିକୁ ଶେଷ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ।

ଦୀପିକା ବିଶ୍ୱାଳ, ସରକାରୀ ମହିଳା କଲେଜ, ସମ୍ବଲପୁର
କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଠପ ହୋଇଯାଇଥିବାରୁ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କ ନିକଟକୁ ଶିକ୍ଷା ପହଞ୍ଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନରେ ଦେଶକୁ ଆଗେଇ ନେବାର ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବେ। ଏଣୁ ସେମାନେ କିଭଳି ଭାବରେ ଠିକ ଭାବରେ ଶିକ୍ଷା ପ୍ରାପ୍ତ କରି ପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଟେ।

ସୂର୍ଯ୍ୟଶିଖା ମହାନ୍ତି, ସମ୍ବଲପୁର ବିଶ୍ୱବିଦ୍ୟାଳୟ
ଶିକ୍ଷା, ଶିକ୍ଷକ ଓ ଛାତ୍ର ସମାଜ ପରସ୍ପର ଅନୁପୂରକ। ଦେଶର ମାନଦଣ୍ଡକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ଶିକ୍ଷା। କରୋନା ଭୂତାଣୁ ସହ ଲଢ଼ୁ ଲଢ଼ୁ ଆମେ ଶିକ୍ଷା ବ୍ୟବସ୍ଥାକୁ ଅବହେଳା କରିପାରିବା ନାହିଁ। ଏହି ପରିପ୍ରେକ୍ଷୀରେ ବିଶ୍ୱ ସହ ଏହି ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିବା ସହିତ ପରୀକ୍ଷା ବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

Comments
Loading...