ଏକ ମାସ ପରେ ଖୋଲିଲା ଦୋକାନ : ମଧ୍ୟବିତ୍ତ ବ୍ୟବସାୟୀ ସାମାନ୍ୟ ଆଶ୍ୱସ୍ତ 

ସମ୍ବଲପୁର : କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆପଦା ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଦେଶକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ଲକ ଡାଉନ କରି ରଖିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନଗୁଡିକୁ ଛାଡି ଦେଲେ ବାକି ସମସ୍ତ ଦୋକାନ, ବଜାର, ମଲ୍ ଆଦିକୁ ପ୍ରତିଷେଧକ ମୂଳକ ଭାବରେ ବନ୍ଦ ରଖାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ଲକ୍ ଡାଉନ୍ କୋହଳ ସମ୍ପର୍କିତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେଉଁ ଦୋକାନ ଖୋଲା ଯାଇପାରିବ ଏବଂ କେଉଁ ଦୋକାନ ଖୋଲିବ ନାହିଁ ତାକୁ ନେଇ ନିର୍ଦ୍ଦେଶାବଳୀରେ ଦର୍ଶା ଯାଇଥିବା ବେଳେ ଓଡିଶାରେ ତାହା ଲାଗୁ ହେବ ନା ନାହିଁ, ତାକୁ ନେଇ ଦ୍ୱନ୍ଦ ଉପୁଜିଥିଲା। ଏଣୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ରାଜ୍ୟବାସୀଙ୍କ ଦ୍ୱନ୍ଦକୁ ଦୂର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଚିଠି ସଂଖ୍ୟା ୨୨୯୯/ଆର ଆଣ୍ଡ ଡିଏମ (ଡିଏମ), ତା. ୨୫/୦୪/୨୦୨୦ ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶାନୁଯାୟୀ, ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲା ରହିବ। ସହରାଞ୍ଚଳରେ ଗୋଟିକିଆ ଦୋକାନ ତଥା ଆବାସିକ କଲୋନୀରେ ଥିବା ଦୋକାନ, ସାହି, ବସ୍ତି, ଗଳିରେ ରହିଥିବା ଦୋକାନଗୁଡିକ ଖୋଲା ଯାଇ ପାରିବ। ମହାନଗର ନିଗମ ଓ ମୁନିସିପାଲିଟୀ ଅଞ୍ଚଳଗୁଡିକରେ ଟ୍ରେଡ ଲାଇସେନ୍ସ ଦୋକାନା ଖୋଲିବା ପାଇଁ ଜରୁରୀ ଅଟେ।

ସେହିଭଳି ମଲ୍ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ ଖୋଲା ଯାଇ ପାରିବ ନାହିଁ। ସହରାଞ୍ଚଳରେ ମାର୍କେଟ କମ୍ପଲେକ୍ସ ଓ ସପିଙ୍ଗ ମଲ ଖୋଲା ଯାଇ ପାରିବ ନାହିଁ। ଗ୍ରାମାଞ୍ଚଳର ସୀମା ମଧ୍ୟରେ ଆସୁଥିବା କୌଣସି ସପିଙ୍ଗ ମଲକୁ ମଧ୍ୟ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ। ଦୋକାନଗୁଡିକରେ ୫୦ ପ୍ରତିଶତ କର୍ମଚାରୀ, ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ନିୟମ ଆଦିକୁ ପାଳନ କରି କାର୍ଯ୍ୟ କରିବା ପାଇଁ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ କିଛି ଦୋକାନ ମାଲିକମାନେ ଶନିବାର ସକାଳୁ ଦୋକାନ ଖୋଲିଥିବା ବେଳେ ସେ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶା ଜାରି ହୋଇ ନ ଥିବାରୁ କିଛି ଦୋକାନୀ ଦୋକାନ ଖୋଲି ନ ଥିଲେ। ଶନିବାର ପୂର୍ବାହ୍ନରେ ସମ୍ବଲପୁରର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଗୋଲବଜାରରେ କିଛି ବାସନ ଦୋକାନ, ବହି ଦୋକାନ, ହାର୍ଡୱେୟାର, ଫେନସି ଦୋକାନ ଆଦି ଖୋଲା ରହିଥିଲା। ଏ ସର୍ମ୍ପକରେ ଦୋକାନୀମାନେ କହିଛନ୍ତି ଯେ, ଲକ୍ ଡାଉନ୍ ଚାଲୁ ହେବା ପରେ ୧ ମାସ ୩ ଦିନ ପରେ ଆଜି ଦୋକାନ ଖୋଲିଛନ୍ତି। ସରକାରଙ୍କ ଦ୍ୱାରା ଜାରି ନିୟମାନୁଯାୟୀ ଦୋକାନର କାଉଣ୍ଟର ସମ୍ମୁଖରେ ତାର ବାଡ, ଗୋଲେଇ କରାଯାଇ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କର ବ୍ୟବହାର, ହ୍ୟାଣ୍ଡ ୱାସ୍ ଓ ସାନିଟାଇଜରର ବ୍ୟବସ୍ଥା ଆଦି କରାଯାଉଛି। ଏବେ ସେମାନେ ସରକାରୀ ନିର୍ଦ୍ଦେଶାନୁଯାୟୀ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଆଗାମୀ ଦିନରେ ସରକାର ଅଥବା ଜିଲା ପ୍ରଶାସନର ନିର୍ଦ୍ଦେଶାନୁଯାୟୀ ବ୍ୟବସାୟ କରିବାର ସମୟ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଗୋଲବଜାରର ଦୋକାନୀମାନେ କହିଛନ୍ତି। ତେବେ ଦୋକାନ ଦୀର୍ଘ ଏକ ମାସରୁ ଉର୍ଦ୍ଧ ସମୟ ପରେ ଖୋଲା ଯାଇଥିବାରୁ ପ୍ରଥମ ଦିନରେ ଦୋକାନୀମାନଙ୍କର ବ୍ୟବସାୟ ଅପେକ୍ଷା ସଫା ସୁତୁରା, ସରକାରୀ ନିୟମ ପାଳନର ବ୍ୟବସ୍ଥା ଆଦି କରିବାରେ ସମୟ ଅତିବାହିତ ହୋଇଯାଇଥିଲା। ମହାନଗର ଅଥବା ଜିଲା ପ୍ରଶାସନ ତରଫରୁ କୌଣସି ନିର୍ଦ୍ଦେଶ ଜାରି ହୋଇ ନ ଥିବାରୁ ବହୁ ଦୋକାନୀ ଏବେ ମଧ୍ୟ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଏଣୁ ଆସନ୍ତା ସୋମବାରଠାରୁ ଅଧିକା ଦୋକାନ ବଜାର ଖୋଲା ରହିବ ବୋଲି ଅନୁମାନ କରାଯାଉଛି। ଏଣୁ କରୋନା ମାଡରେ ବେହାଲ ଅବସ୍ଥାରେ ରହିଥିବା ମଧ୍ୟବିତ୍ତ ବ୍ୟବସାୟୀମାନେ କିଛିଟା ଆଶ୍ୱସ୍ତି ଲାଭ କରିଥିବା ପ୍ରକାଶ କରିଛନ୍ତି।

Comments
Loading...