ତାଲାବନ୍ଦ ଯୋଗୁଁ ବିକ୍ରି ହୋଇନପାରି ବଗିଚାରେ ପାଚୁଛି ପୋଟଳ: ଦୋହଲି ପଡିଛି ଚାଷୀଙ୍କ ଆର୍ଥୀକ ମେରୁଦଣ୍ଡ

ଦେବଗଡ : ଅନୁକୁଳ ଜଳବାୟୁ ଓ ଜଳ ସେଚନର ସୁବିଧା ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଅନୁନ୍ନତ କୁଣ୍ଢେଇଗୋଳା, ତୁଙ୍ଗାମାଳ ଓ ଚଢେଇମରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶହଶହ ଏକର ଜମିରେ ପୋଟଳ ଚାଷ ହୋଇଥାଏ। ଏକ ଭଲ ପରିବା ଭାବେ ପୋଟଳର ଆଦୃତି ରହିଥିବାରୁ ଏହି ଅଞ୍ଚଳର ଉଚ୍ଚ ମାନ ସମ୍ପନ୍ନ ପୋଟଳ ରାଜ୍ୟର ଅନୁଗୁଳ ଓ କଟକ ସମେତ ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କରଯାଇଥାଏ। ପୋଟଳର ଚାହିଦା ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ବେପାରୀମାନେ ସମ୍ପୃକ୍ତ ଅଞ୍ଚଳକୁ ଆସି କିଲୋ ପିଛା ୨୦ଟଙ୍କାରୁ ଆରମ୍ଭ କରି ୪୦-୫୦ ଟଙ୍କା ମୂଲ୍ୟରେ(ଋତୁ ଅନୁଯାୟୀ ମୂଲ୍ୟ ବୃଦ୍ଧି ଓ ହ୍ରାଶ ହୋଇଥାଏ)ଚାଷୀ ପାଖରୁ ହିଁ ସଂଗ୍ରହ କରି ନେଇଥାନ୍ତି। ଚାଷୀମାନେ ମଧ୍ୟ ଭଲ ଦି’ ପଇସା ରୋଜଗାର କରି ପରିବାର ଚଳାଇବା ସହ ବଳକା ଅର୍ଥରେ ଆଗାମୀ ବର୍ଷର ଚାଷ ପାଇଁ ପ୍ରସ୍ତୁତ ହୁଅନ୍ତି। ଦୀର୍ଘ ବର୍ଷ ହେଲା ପୋଟଳ ଚାଷୀମାନେ ଲାଭବାନ ହୋଇଆସୁଥିବାରୁ ଚାଷ ପାଇଁ ସରକାରଙ୍କର କୌଣସି ସହାୟତା କିମ୍ବା ବ୍ୟାଙ୍କ ଋଣ ଉପରେ ନିର୍ଭର କରନ୍ତି ନାହିଁ। ସେମାନେ ନିଜ ଖର୍ଚ୍ଚରେ ବିହନ, ଖତ ଓ ସାର ଆଦି କ୍ରୟ କରିବା ସହ ଶାରିରୀକ ପରିଶ୍ରମ ଆଧାରରେ ପୋଟଳ ଚାଷ କରୁଥିବାରୁ ଯାହା କିଛି ଲାଭ ପାଆନ୍ତି ସେଥିରେ ସନ୍ତୁଷ୍ଟ ହୁଅନ୍ତି। ମାତ୍ର ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଘୋଷଣା କରିଥିବା ଲକଡାଉନ୍ ପୋଟଳ ଚାଷୀଙ୍କର ଆର୍ଥୀକ ମେରୁଦଣ୍ଡ ଭାଙ୍ଗିଦେଇଛି। ଲକଡାଉନ ଜନିତ ବିକ୍ରି ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ଅଭାବରୁ ଚାଷୀମାନେ ସେମାନଙ୍କର କଷ୍ଟ ଉପାର୍ଜିତ ପୋଟଳକୁ ବିକ୍ରି କରି ପାରୁନାହାନ୍ତି। ଲକଡାଉନ ଓ ସଟ୍ ଡାଉନ୍ ଯୋଗୁଁ ଦେବଗଡ ଜିଲା ଓ ପଡୋଶୀ ଅନୁଗୁଳ ଜିଲା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବହୁ ଦୈନିକ ବଜାର ଓ ସାପ୍ତାହିକ ବଜାର ବନ୍ଦ ରହିବା ଓ ଆଂଶିକ ଭାବେ ଖୋଲୁଥିବାରୁ ବିକ୍ରି ହୋଇନପାରି ପୋଟଳଗୁଡିକ ବଗିଚାରେ ହିଁ ପାଚି ନଷ୍ଟ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ‘ଯାଚି ବିକିଲେ ସୁନା ଭେଣ୍ଡି’ ନ୍ୟାୟରେ ବହୁ ଉଦ୍ୟମ ପରେ ମଧ୍ୟସ୍ଥି ଜରିଆରେ କାଁ ଭାଁ କିଛି ପୋଟଳ କଟକ ଅଞ୍ଚଳକୁ ପଠାଯାଉଛି। ସମ୍ପୃକ୍ତ ଅଞ୍ଚଳର ଲିଙ୍ଗରାଜ ପ୍ରଧାନ ନାମକ ଜଣେ ମଧ୍ୟସ୍ଥି (ବେପାରୀ) ଚାଷୀମାନଙ୍କ ନିକଟରୁ ଧାର ସୂତ୍ରରେ ପୋଟଳ ସଂଗ୍ରହ କରି ଗାଡି ଯୋଗେ କଟକ ପଠାଉଛନ୍ତି। ଏହି ପୋଟଳ ସବୁ ବିକ୍ରି ହେବା ପରେ ଅନ୍ୟୁନ ୨/୩ ଦିନ ପରେ ଚାଷୀମାନଙ୍କୁ ପୋଟଳର ପ୍ରାପ୍ୟ ମିଳୁଛି।

ତେବେ ବର୍ତ୍ତମାନ ସ୍ଥିତିରେ ପୋଟଳର ଦର ସ୍ଥିର ନଥିବାରୁ ପୋଟଳର ମୂଲ୍ୟ ବଜାର ଚାହିଦା ଓ ବେପାରୀଙ୍କର ଇଚ୍ଛା ଉପରେ ନିର୍ଭର କରୁଛି। ମଧ୍ୟସ୍ଥି ଶ୍ରୀ ପ୍ରଧାନ ଚାଷୀମାନଙ୍କ ନିକଟରୁ କେତେବେଳେ କିଲୋପିଛା ୧୨ ଟଙ୍କା, କେତେବେଳେ ୧୫ ଟଙ୍କା ତ ଆଉ କେତେବେଳେ ସର୍ବାଧିକ ୨୦ଟଙ୍କା ଦର ହିସାବରେ ପ୍ରାପ୍ୟ ପ୍ରଦାନ କରୁଥିବା ଚାଷୀମାନେ ଓ ଏପରିକି ଖୋଦ ମଧ୍ୟସ୍ଥି ଶ୍ରୀ ପ୍ରଧାନ ମଧ୍ୟ ଏକଥା ପ୍ରକାଶ କରିଛନ୍ତି। ବିଗତ ବର୍ଷମାନଙ୍କରେ ଚାଷୀମାନେ କିଲୋ ପିଛା ୨୦ଟଙ୍କାରୁ ଆରମ୍ଭ କରି ୪୦/୫୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଥିବାବେଳେ ଚଳିତ ବର୍ଷ ସର୍ବାଧିକ ୨୦ ଟଙ୍କା ପାଉଥିବାରୁ ସେମାନଙ୍କର ପରିଶ୍ରମର ମୂଲ୍ୟ ମଧ୍ୟ ମିଳୁନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୋଟଳ ଚାଷ ପାଇଁ ଆବଶ୍ୟକ ହେଉଥିବା ସାର ଏବଂ ଆନୁସଙ୍ଗିକ ଦ୍ରବ୍ୟର ଦରବୃଦ୍ଧି ଯୋଗୁଁ ଆଗାମୀ ବର୍ଷ ସେମାନେ ସରକାରୀ ସହାୟତା ବିନା ପୋଟଳ ଚାଷ କରିପାରିବେ କି ନାହିଁ ସେନେଇ ଚିନ୍ତିତ ହୋଇପଡିଛନ୍ତି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ଓ ଉଦ୍ୟାନ ବିଭାଗ ଅମଳ ହେଉଥିବା ପୋଟଳ ଗୁଡିକର ବିକ୍ରି ବ୍ୟବସ୍ଥା କଲେ ସେମାନେ ଆର୍ଥୀକ ଶଙ୍କଟରୁ ରକ୍ଷା ପାଇପାରନ୍ତେ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦେବଗଡ ସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ କିଶୋର ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ବିସ୍ତୃତ ଅଞ୍ଚଳରେ ପୋଟଳ ଚାଷ କରୁଥିବା ଏବଂ ଭଲ ଉତ୍ପାଦନ କରୁଥିବା ନେଇ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବାସହ ସେ ନିଜେ ଉକ୍ତ ଅଞ୍ଚଳ ବୁଲି ଦେଖିବେ ଓ ଉଚିତ ମୁଲ୍ୟରେ କ୍ରୟ କରିବା ପାଇଁ ବଡ ବଡ ଟ୍ରେଡରମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।

 

ଏଠାରେ ସୂଚନା ଯୋଗ୍ୟ ଯେ,ଦୀର୍ଘ ବର୍ଷ ହେଲା ଅନୁନ୍ନତ ରିଆମାଳ ବ୍ଲକର ଉପରୋକ୍ତ  ଣ୍ଢେଇଗୋଳା, ଚଢେଇମରା ଓ ତୁଙ୍ଗାମାଳ ପଂଚାୟତର କୁଣ୍ଢେଇଗୋଳା, କୋରଡପଶି, କାଞ୍ଜିଆମ, ତୁଙ୍ଗାମାଳ, ଝରାଡିହ, ଚଢେଇମରା, ଖିଲବେରୀଣୀ, ଝରାବେରିଣୀ, ତୁଙ୍ଗାମାଳ, ତୋଟାବାରୀ, କମାରପାଳ ଓ ପଂଚମହଲା ସମେତ ବିଭିନ୍ନ ଗ୍ରାମରେ ପ୍ରାୟ ୩୦୦ ଏକର ଜମିରେ ୨ଶହରୁ ଊର୍ଦ୍ଧ୍ବ ଚାଷୀ ଲାଭଜନକ ପୋଟଳ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିଆସୁଛନ୍ତି। ଗୁରତ୍ୱପୂର୍ଣ୍ଣ ବିଷୟ ଏହା ଯେ, ସମ୍ପୃକ୍ତ ସ୍ୱାଭିମାନୀ ଚାଷୀମାନେ ପୋଟଳ ଚାଷ ପାଇଁ କୌଣସି ପ୍ରକାର ସରକାରୀ ସହାୟତା କିମ୍ବା ବ୍ୟାଙ୍କ ମାଇକ୍ରୋ ଫାଇନାନ୍ସ ଋଣ ଉପରେ ନିର୍ଭର ନକରି ଆତ୍ମ ନିର୍ଭରଶୀଳ ହେବାକୁ ଉଦ୍ୟମ ଜାରୀ ରଖିଛନ୍ତି। ଏଣୁ ସରକାର ଉପରୋକ୍ତ ଚାଷୀମାନଙ୍କର ବିକାଶକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଲେ ଉଭୟ କୃଷୀ/ ଉଦ୍ୟାନ କୃଷୀ ଓ କୃଷକଙ୍କର ଉନ୍ନତି ସାଧନ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଜିଲା ମୂଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ମତ ଲୋଡିବାରୁ କୃଷି ଓ କୃଷକଙ୍କର ଉନ୍ନତି ପାଇଁ ସରକାରୀ ନୀତି ନିୟମ ଅନୁଯାୟୀ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.