ଯୁବପିଢ଼ିଙ୍କୁ କଷ୍ଟ ଦେଉଛି କରୋନା ଲକ୍‌ଡାଉନ୍‌ – ସର୍ଭେ

ବ୍ରସେଲ୍ସ: ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଦିନକୁ ଦିନ ନିଜର କାୟା ମେଲାଇ ଚାଲିଛି। କରୋନା ଭୂତାଣ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢେଇ କରୁଛି। ବ୍ୟକ୍ତିଗତରୁ ଗୋଷ୍ଠୀଗତ କରୋନା ସଂକ୍ରମଣ କିଭଳି ନ ହେବ ସେଥିପାଇଁ ବିଭିନ୍ନ ଦେଶ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସବୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁମାନେ ଲକ୍‌ଡାଉନ୍‌ ନିୟମ ମାନୁ ନାହାନ୍ତି ସେମାନଙ୍କ ପାଇଁ ଦଣ୍ଡବିଧାନ ମଧ୍ୟ କରାଯାଇଛି। ଲକ୍‌ଡାଉନ୍‌ ସମୟରେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟବଧାନରେ ସାବୁନ୍‌ରେ ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂତା ବଜାୟ ରଖିବା ସହିତ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପରୀପ୍ରେକ୍ଷିରେ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଘରେ ରହୁଛନ୍ତି ଓ ସରକାରୀ ନିୟମ ମାନୁଛନ୍ତି। ତେବେ ୩୫ବର୍ଷରୁ କମ୍‌ ବୟସ ଯୁବପିଢ଼ିଙ୍କୁ ଏଭଳି ଲକ୍‌ଡାଉନ୍‌ ଅବଧି ବେଶ୍‌ ବାଧୁଛି। ଏହା ସେମାନଙ୍କ ପାଇଁ ଦୁଃଖ ଓ ଏକୁଟିଆ ପଣ ଆଣିଦେଇଛି। ସେମାନେ ଘରୁ ବାହାରକୁ ଯାଇ ପାରୁ ନଥିବାବେଳେ ଏହି ସମୟରେ ଅନ୍ୟ କୌଣସି କାର୍ଯ୍ୟରେ ସେମାନଙ୍କ ମନ ବଳୁ ନାହିଁ। ପରିବାର ଓ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବା ପରେ ବଳକା ସମୟ ଚାପରେ ରହୁଛନ୍ତି। କରୋନା ଲକ୍‌ଡାଉନ୍‌ ଯୁବପିଢ଼ିଙ୍କୁ ବହୁତ କଷ୍ଟ ଦେଉଛି ବୋଲି ୟୁରୋପ୍‌ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

ୟୁରୋପିଆନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସାରା ୟୁରୋପ ମହାଦେଶ ଅନ୍ତର୍ଗତ ସବୁ ଅଞ୍ଚଳର ୮୫ହଜାର ଯୁବପିଢ଼ିଙ୍କୁ ନେଇ ଏକ ଅନ୍‌ଲାଇନ୍‌ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ଜୀବନଶୈଳୀର ବିକାଶ ଓ କାର୍ଯ୍ୟ କରିବା ଶୈଳୀ ଉପରେ ଯୁବପିଢ଼ିଙ୍କୁ ଅନ୍‌ଲାଇନ୍‌ରେ ପ୍ରଶ୍ନ ପଚରା ଯାଇଥିଲା। ଏଥିରେ ସେମାନଙ୍କ ଜୀବନଶୈଳୀରେ ବ୍ୟାପକ ଅବକ୍ଷୟ ଘଟିଥିବା ସେମାନେ କହିଛନ୍ତି। କରୋନା ଲକ୍‌ଡାଉନ୍‌ ସଙ୍କଟ ସମୟରେ ଏକୁଟିଆପଣ ସେମାନଙ୍କୁ ବ୍ୟଥିତ କରୁଛି। ବୟସ୍କ ବ୍ୟକ୍ତି ଓ ପ୍ରସାଶନ ପକ୍ଷରୁ ଜାରି କରାଯାଇଥିବା କଟକଣା ସେମାନଙ୍କୁ ବେଶ୍‌ ପ୍ରଭାବିତ କରିଛି। ସାମାଜିକ କାର୍ୟ୍ୟକ୍ରମ ବାତିଲ ରହିଥିବାବେଳେ ପରିବାର ଓ ସାଙ୍ଗସାଥୀଙ୍କ ସହ ମିଳାମିଶା କରିବାକୁ ବାରଣ କରାଯାଇଛି। ବୟସ୍କ ଲୋକେ ଘରେ ଖୁସିରେ ରହୁଛନ୍ତି, କିନ୍ତୁ ଯୁବପିଢ଼ି ଭବିଷ୍ୟତ ଅନିଶ୍ଚିତତାରେ ମାନସିକ ଅଶାନ୍ତି ଓ ଚାପରେ ଜୀବନ ଅତିବାହିତ କରୁଛନ୍ତି। ଅପରପକ୍ଷରେ ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ଅବଧି ଜାରି ରହିଥିବାରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଯୁବପିଢ଼ି ଚାକିରି ହରାଇବାର ଆଶଙ୍କା କରୁଛନ୍ତି। ଯେଉଁମାନେ କିଛି ବ୍ୟବସାୟ ଓ ଶିଳ୍ପଦ୍ୟୋଗ ଆରମ୍ଭ କରିଛନ୍ତି ସେମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡୁଛି। ଏଭଳି ସମସ୍ୟାରୁ କିଭଳି ମୁକୁଳିବେ ସେମାନେ ଜାଣି ପାରୁ ନାହାନ୍ତି। ଫଳରେ ମହାମାରୀ କରୋନା କଟକଣା କେବେ ହଟିବ ଓ ସ୍ବାଭାବିକ ପରିସ୍ଥିତି ଫେରିବ ତାହାକୁ ନେଇ ସେମାନେ ଚାତକ ପରି ଚାହିଁ ରହିଥିବା ସର୍ବେକ୍ଷଣରେ ଦର୍ଶାଯାଇଛି।

Comments are closed.