କରୋନା କାରୁଣ୍ୟ: ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

ବୁଗୁଡ଼ା: କରୋନା ମହାମାରୀ ଏବେ ସମ୍ପର୍କ ଛିନ୍ନ କରିଛି। ପରିବାର, ଜ୍ଞାତିକୁଟୁମ୍ବ ଏବଂ ସାହିବାସିନ୍ଦା ମୃତ କରୋନା ରୋଗୀଙ୍କ ପାଇଁ ବଇରୀ ସାଜିଛି। କରୋନାରେ ପ୍ରାଣ ହରାଇଲେ ମୃତଦେହକୁ ଶ୍ମଶାନ ନେବାକୁ ଚାରିକାନ୍ଧ ମିଳୁନି। ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଏଭଳି କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା ଖୋଦ ବୁଗୁଡା ସହରରେ ବାରମ୍ବାର ଦେଖିବାକୁ ମିଳିଛି। ଗୁରୁବାରଠାରୁ ସୋମବାର ୫ଦିନ ମଧ୍ୟରେ ବୁଗୁଡା ସହରରେ ବିଭିନ୍ନ କାରଣରୁ ପ୍ରାଣ ହରାଇଥିବା ୩ଜଣଙ୍କ ମୃତଦେହକୁ ଚାରିକାନ୍ଧ ନମିଳିବାରୁ ସେଗୁଡିକୁ ଟ୍ରଲିରେ ଶ୍ମଶାନକୁ ନିଆଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣା ସଭ୍ୟସମାଜରେ ଗଭୀର ରେଖାପାତ କରିଛି।

ଆଜି ବୁଗୁଡ଼ା ସହରର ମୁଖ୍ୟ ସଡ଼କସ୍ଥିତ ସା୦ଇରାମ ହୋଟେଲ ମାଲିକଙ୍କ ବଡ଼ପୁଅ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। । ଶବ ନେବାକୁ ଆତ୍ମୀୟସ୍ୱଜନ ପଛଘୁଞ୍ଚାଦେବାରୁ ଶବକୁ ଟ୍ରଲିରେ ନିଆଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ମୁଖ୍ୟସଡ଼କସ୍ଥିତ ଏକ ସୁନାଗହଣା ବ୍ୟବସାୟୀଙ୍କ ଶବକୁ ଟ୍ରଲିରେ ବୁହା ହୋଇଥିଲା। ଗୁରୁବାର ବଡ଼ଦାଣ୍ଡର ଜନୈକ ବ୍ୟବସାୟୀଙ୍କ ଶବକୁ ମଧ୍ୟ ଚାରିକାନ୍ଧ ନମିିଳିବାରୁ ଟ୍ରଲିରେ ଶ୍ମଶାନ ଘାଟକୁ ନିଆଯାଇଥିଲା।
ବୁଗୁଡ଼ା ବ୍ଲକରେ ସରକାରୀ ହିସାବରେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ଭାବେ ବୁଗୁଡ଼ା ଅଞ୍ଚଳରେ ୧୦ ଦିନ ମଧ୍ୟରେ ପ୍ରାୟ ୧୫ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଲାଣି। ଅଧିକାଂଶ ଲୋକ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ସେମାନଙ୍କ ନମୁନା ପରୀକ୍ଷା ହୋଇନଥିବାରୁ ସରକାରୀ ହିସାବରେ ନିଆଯାଉନି। ବୁଗୁଡ଼ା ଅଞ୍ଚଳରେ କରୋନାସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି । ଲୋକେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହୋଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ୱାବ ନମୁନା ରିପୋର୍ଟ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବା ବେଳକୁ କିଏ ସୁସ୍ଥ ହୋଇ ସାରି ଥାଉଛନ୍ତି ତ କାହାର ପ୍ରାଣବାୟୁ ଉଡ଼ିଯାଉଛି। ଲକ୍ଷଣ ନ ଥାଇ ଅଧିକାଂଶ ପଜିଟିଭ ଆସୁଥିବାରୁ ଘର ଘର ବୁଲି କରାଯାଉଥିବା ସର୍ଭେରେ କୌଣସି ସୁଫଳ ମିଳୁନି। ଶବକୁ ଅସମ୍ମାନ ସହ ଟ୍ରଲିରେ ଟାଣିନେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

Comments are closed.