ଲକଡାଉନ କଟକଣା ; ଫିକା ପଡିଲା ରଜ ମହୋତ୍ସବ

ପାରମ୍ପରିକ ରୀତିନୀତିକୁ ବଜାୟ ରଖିବାପାଇଁ କରାଗଲା ଦୋଳି ପୂଜନ

କଳାପଥର : ସାରା ଦେଶରେ ଏବେ ମହାମାରୀ କରୋନାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ରାଜ୍ୟଠୁ ଆରମ୍ଭକରି ଦେଶ ପର୍ଯ୍ୟନ୍ତ ଦିନକୁ ଦିନ ଆକ୍ରାନ୍ତ ଓ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରି ଆଗରେ ପ୍ରତିହତ ପାଇଁ ସରକାର ଜନଗହଳି ଉପରେ କଟକଣା ଜାରି ରଖିଛନ୍ତି। ବିଭିନ୍ନ ପ୍ରକାରର ମେଳା-ମହୋତ୍ସବ ବିବାହ ବ୍ରତ ଉପରେ କଟକଣା ଜାରି କରିଥିବା ବେଳେ ଯାନିଯାତ୍ରା ଉପରେ ମଧ୍ୟ କଟକଣା ଜାରିହୋଇଛି। ଯଦିବା କଟକଣାକୁ କେତେକାଂଶରେ କୋହଳ କରାଯାଇଛି ତଥାପି ମେଳା,ମହୋତ୍ସବ , ଯାନିଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିଛି। ଏହି କ୍ରମରେ ଓଡିଆଙ୍କ ଗଣପର୍ବ ଭାବରେ ପରିଗଣିତ ହୋଇଥିବା ରଜ କରୋନା କଟକଣାରେ ଫିକା ପଡିଯାଇଛି। ଗାଁ ଗହଳିର କୁଆଁରି ଝିଅମାନେ ପହିଲି ରଜ ଠାରୁ ଆରମ୍ଭକରି ଭୂଦାହପର୍ଯ୍ୟନ୍ତ ୪ ଦିନ ରଜ ଦୋଳି ଖେଳ ମଉଜମସ୍ତି କରିଥାନ୍ତି। ଏଥିରେ ଆୟୋଜକମାନେ ମଧ୍ୟ ରଜ ଦୋଳିର ପ୍ରତିଯୋଗିତା କରିଥାନ୍ତି।  ଏହି କ୍ରମରେ ବାଙ୍କୀର ରୁଚିକା ମାର୍କେଟ, ସୁନାଦେଇ ମୁଣ୍ଡିଆ, ବ୍ରହ୍ମେଇ ଠାକୁରାଣୀପୀଠ,କଳାପଥର/ଧଳାପଥର,ଜଗନ୍ନାଥପୁର, ତୁଳସିପୁର, ତାଳବସ୍ତ ଆଜି ସ୍ଥାନ ଗୁଡିକରେ ରଜଦୋଳି ଖେଳର ପ୍ରତିଯୋଗିତା ହୋଇଥାଏ। କିନ୍ତୁ ଚଳିତ ବର୍ଷ ସରକାରଙ୍କ ଲକ୍‍ଡାଉନ କଟକଣା କୁଆଁରି ଝିଅ ମାନଙ୍କ ରଜ ମଉଜକୁ ଫିକା କରିଦେଇଛି। ବାଙ୍କୀର କୈାଣସି ସ୍ଥାନରେ ରଜ ଦୋଳି ପ୍ରତିଯୋଗିତା ହେଉନାହିଁ। ଫଳରେ କେତେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା କୁଆଁରୀ ଝିଅମାନଙ୍କର ଆୟୋଜନ ମାନଙ୍କ ମଧ୍ୟରେ ନୈରାଶ୍ୟତା ଦେଖାଦେଇଛି। ଲକଡାଉନ କଟକଣାକୁ ସମ୍ମାନ ଜଣାଇ ବାଙ୍କୀର ରୁଚିକା ମାର୍କେଟରେ ଖୁବ୍‍ ଧୁମ ଧାମରେ ପାଳିତ ହେଉଥିବା ରଜ ମହୋତ୍ସବ ପ୍ରତିଯୋଗୀତା ଚଳିତବର୍ଷ ଆନୁଷ୍ଠାନିକ ଭାବରେ ବନ୍ଦ କରାଯାଇଛି ବୋଲି ଏହାର ଆୟୋଜକ ସଚ୍ଚିଦାନନ୍ଦ ସାମଲ (କୁନା) ପ୍ରକାଶ କରୁଛନ୍ତି। ତେବେ ରଜ ଦୋଳିର ଖେଳ ସଂମ୍ପୁର୍ଣ୍ଣ ବନ୍ଦ ହୋଇନାହିଁ। କୁଆଁରୀ ଝିଅ ଠାରୁ ଆରମ୍ଭକରି ଛୋଟ ଛୋଟ ପିଲାମାନେ ନିଜ ଘର ଅଗଣା ବାଡିପଛପଟରେ ଥିବା ଗଛଡାଳରେଦୋଳି ଲଗାଇ ମଉଜ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଧଳାପଥର ପରଦା ଅନୁଷ୍ଠାନ ଦ୍ୱାରା ୨ ବର୍ଷଧରି ରଜ ମହୋତ୍ସବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପାରମ୍ପରିକ ରୀତିନୀତିକୁ ବଜାୟ ରଖିବାପାଇଁ ଦୋଳି ପୂଜନ କରାଯାଇଅଛି। ଏଥିରେ ଧଳାପଥର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସୁରଜ ପ୍ରସାଦ ସୁବୁଦ୍ଧି ଏବଂ ପରଦା ଅନୁଷ୍ଠାନର ସଭାପତି ବିଜୟ କୁମାର ସୁବୁଦ୍ଧି ଯୋଗଦେଇ ଦୋଳି ପୂଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ରଜ ମହୋତ୍ସବ ଧଳାପଥର କମିଟିର ସଦସ୍ୟ ମନୋଜ କୁମାର ମହାରଣା,ପ୍ରଶନ୍ନ କୁମାର ସାହୁ,ଶୁଶାନ୍ତ କୁମାର ସାହୁ, ଶ୍ରୀନିବାସ ମହାରଣା,ରଶ୍ମୀରଞ୍ଜନ ସେଠୀ,ରମେଶ ଚନ୍ଦ୍ର ସାହୁ,ଶ୍ରୀଦ୍ଧାନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

Comments are closed.