କାରିଗରଙ୍କୁ କନ୍ଦାଉଛି କରୋନା; ବାସ ଖୋଜୁଛନ୍ତି ବିଶ୍ବକର୍ମା !

କୋରାପୁଟ:କୌଳିକ ବୃତ୍ତିକୁ ଜାବୁଡ଼ି ଧରି ପିଢ଼ି ପରେ ପିଢ଼ି ନିଜର ପେଷାକୁ ନିଶାରେ ପରିଣତ କରିଥିବା କାରିଗର ଆଜି କାନ୍ଦୁଛି। କାରିଗରୀ ବିଦ୍ୟାରେ ନିପୁଣ, ତଥାପି ପ୍ରୋତ୍ସାହନ ଶୂନ। ଯେଉଁ କଳା ଓ କାରିଗରୀ ବିଦ୍ୟା ପାଇଁ ସେ ପରିଚିତ ଆଜି ସେ କଳା ତାଙ୍କୁ କନ୍ଦାଉଛି। ବୟସ ଗଡ଼ୁଛି, କଳା ଓ କାରିଗରି ବିଦ୍ୟାକୁ ନାଁ ସେ ଛାଡ଼ିପାରୁଛନ୍ତି, ନାଁ ଏହା ତାଙ୍କୁ ରୋଜଗାର ଯୋଗାଇପାରୁଛି। ସାମାନ୍ୟ ବର୍ଷାରେ ଭଙ୍ଗା ବିପଦ ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ପାଞ୍ଚ ପ୍ରାଣୀ।
ଖୋର୍ଦ୍ଧା ଜିଲା ଜୟଦେବ ନିର୍ବାଚନମଣ୍ଡଳୀ ବାଲିଅନ୍ତା ବ୍ଲକ ପ୍ରତାପ ଶାସନ ପଞ୍ଚାୟତ ରଥିଜେମା ଗାଁ ୮୦ଘର ସାହିର ଏହି ହସ୍ତଶିଳ୍ପ କଳା ସମର୍ପିତ ପରିବାର ଏବେ ସରକାରୀ ସହାୟତା ଅପେକ୍ଷାରେ। ନାଁ ତାଙ୍କର ଅଚ୍ୟୁତ ସାହୁ। ପରିବାର କହିଲେ ସ୍ତ୍ରୀ ଗୀତାଞ୍ଜଳି ସାହୁ, ଦୁଇ ପୁଅ ରଞ୍ଜନ ଓ ବନ୍ଧନ। ତାଙ୍କ ଉପରେ ନିର୍ଭରଶୀଳ ବୃଦ୍ଧା ମା ସୀତା ମଧ୍ୟ ଏମାନଙ୍କ ପାଖରେ ରହନ୍ତି। ହସ୍ତଶିଳ୍ପ କାରିଗର ଭାବେ ଖ୍ୟାତି ଅର୍ଜନ କରିଥିବା ୪୬ବର୍ଷୀୟ ଅଚ୍ୟୁତ ନିଜ ଘରେ ହିଁ ପିତ୍ତଳ ଶାଳ କରିଛନ୍ତି। ନିଜେ ରହିବା ପାଇଁ ଘର ଅଭାବ। ତଥାପି ପୂର୍ବ ପୁରୁଷରୁ ଏହି କାରିଗରି ବିଦ୍ୟାକୁ ଜାବୁଡ଼ି ଧରିଥିବା ଏହି ପରିବାର ପିତ୍ତଳ କାରିଗରୀ ବିଦ୍ୟାରେ ସମର୍ପିତ। ଭଙ୍ଗା କୁଡ଼ିଆରେ ପାଣି ଗଳୁଛି। ତଥାପି ସେ ନିଜ ବିଦ୍ୟାରୁ ଓହରିନାହାନ୍ତି। ନିଜ ବୃଦ୍ଧା ମା’ ସୀତା ମଧ୍ୟ ଭାଟିରେ କାମ କରନ୍ତି। ସରକାରୀ ସହାୟତା କହିଲେ ରେସନ କାର୍ଡ ଖଣ୍ଡିଏ ଅଛି, ସୀତାଙ୍କୁ ଭତ୍ତା ମିଳୁଛି। ତେବେ ଇନ୍ଦିରାଆବାସ କିମ୍ବା ମୋ କୁଡ଼ିଆରେ ଘର ଖଣ୍ଡିଏ ଅଚ୍ୟୁତଙ୍କ ପାଇଁ ଦିବାସ୍ୱପ୍ନ। ବହୁ କଷ୍ଟରେ କଳା ଓ କାରିଗରି ବିଦ୍ୟାକୁ ବଞ୍ଚାଇ ରଖିଥିବା ଅଚ୍ୟୁତଙ୍କ ପଥରୋଧ କରିଛି କରୋନା କଟକଣା। ଆଜକୁ ଚାରିମାସ ହେଲା ଭାଟି ବନ୍ଦ ପ୍ରାୟ। ଘରର ସୁନା ବନ୍ଧା ପକାଇ ଏବେ ସେ ପରିବାର ପ୍ରତିପୋଷଣ କରୁଥିବା କହନ୍ତି। କେବଳ କାରିଗରି ବିଦ୍ୟାରେ ନିପୁଣ ତା ନୁହେଁ ଅଚ୍ୟୁତ ନିଜେ ଗୀତ, ଭଜନ ଲେଖିବା ସହ ଭଜନ ଗାଇବା ଓ ବିଭିନ୍ନ ଲୋକପ୍ରିୟ ଭଜନରେ ଅଭିନୟ କରି ଜଣେ ଭଲ କଳାକାର ଭାବେ ସେ ପରିଚିତ। ଏତେ ପ୍ରତିଭାଧାରୀ ଅଚ୍ୟୁତ ଆଜି ଅଭାବ ଅନଟନରେ ଅଣାୟତ୍ତ ହେଲେଣି। ତାଙ୍କ ଖୋଦେଇ ପିତ୍ତଳ ସାମଗ୍ରୀର ଚାହିଦା ଢେର। ଚକ୍ର, ପଦ୍ମ, ଖଟୁଳି, ଘଣ୍ଟି, ଘଣ୍ଟ, ତ୍ରିଶୂଳ, ଦୋଳ ବେଦି, ଢାଳ, ଗରା, ଦୀପ , ବ୍ୟାସାସନ ଆଦି ନିର୍ମାଣ କରିବାରେ ସେ ସିଦ୍ଧହସ୍ତ। କୌଳିକ ବୃତ୍ତି ପାଇଁ ସେ ନିଜ ପରିବାରକୁ ଦେଖିପାରୁନାହାନ୍ତି। ଆଜିର ସମାଜରେ ଆଗଭଳି କଂସା ପିତ୍ତଳ ଚାହିଦା ମଧ୍ୟ ନାହିଁ, ଏଣୁ ଏହାକୁ ବେଉଷା କରି ବଞ୍ଚିବା କଷ୍ଟକର, ନିଜର ଭବିଷ୍ୟତ ନେଇ ସନ୍ଦୀହାନ ସେ। ଗ୍ରାମୀଣ କାରିଗରଙ୍କ ପାଇଁ ସରକାର ଅନେକ ଯୋଜନା ସତ୍ତ୍ବେ ଅଚ୍ୟୁତଙ୍କ ଭଳି କାରିଗରଙ୍କ ପାଇଁ ଏସବୁ କୁଆଡ଼େ ସ୍ୱପ୍ନ। ପିତୃ ଅର୍ଜିତ ମାତ୍ର ଏକ ଡିସିମିଲ ଜାଗାରେ ଶାଳ କରି ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବାରେ ସେ ଆଜି ଅକ୍ଷମ। ମହାବାତ୍ୟାର ୧୯ବର୍ଷ ପରେ ମଧ୍ୟ ଘରଟିଏ ପାଇଁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହେଲେଣି। ଘର ଥିବା ଲୋକଙ୍କୁ ଇନ୍ଦିରାଆବାସ ଓ ମୋ କୁଡ଼ିଆ ମିଳୁଥିବା ଅଭିଯୋଗ ହେଉଥିବାବେଳେ ଅଚ୍ୟୁତ ସରକାରୀ ସହାୟତାକୁ ଚାତକ ଭଳି ଚାହିଁଛନ୍ତି। କରୋନା କଟକଣା ଭିତରେ ବେପାର ବନ୍ଦ। ସମସ୍ତେ ଘରେ ବନ୍ଦୀ ପ୍ରାୟ ଅବସ୍ଥାରେ ଥିବାବେଳେ ବର୍ଷାରେ ଘାଣ୍ଟି ହେଉଛନ୍ତି ଏହି ପାଞ୍ଚ ପ୍ରାଣୀ। ଆଜକୁ ୨୦ବର୍ଷ ହେବ କାରିଗର ପରିଚୟପତ୍ରଟିଏ ମିଳିପ।।ରିନାହିଁ ବୋଲି ସେ ଦୁଃଖର ସହ କହନ୍ତି। ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ହସ୍ତଶିଳ୍ପ କଳା ଓ କାରିଗର ବିଦ୍ୟାରେ ସମର୍ପିତ ଏହି ପରିବାର ମୁହଁରେ ହସ ଫୁଟିପାରନ୍ତା ବୋଲି ମତପ୍ରକାଶ ପାଉଛି।

Comments
Loading...