ଆମପାଣି ପୁଲିସ ଦ୍ୱାରା ଅଟକ ହେଲେ ଆନ୍ଧ୍ରରୁ ଚାଲି ଚାଲି ଆସୁଥିବା ଶ୍ରମିକ

କଲମପୁର : ଲାଗି ରହିଛି କରୋନା ଭୟ। ଏହି କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ ଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଲକ ଡାଉନ ଫଳେରେ ରେଳ ଓ ଅନ୍ୟ ସମସ୍ତ ଯାନ ବାହାନ ଚଳାଚଳ ଠପ୍‍ ହେଇଯାଇଛି। ଯେଉଁଥି ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଏ ଖାଇବାକୁ ନପାଇ ଅସହାୟ ହୋଇ ପଡୁଛି ତ କିଏ ଚାଲି ଚାଲି ଘରକୁ ଫେରୁଛି ତ ପୁଣି କିଏ ସାଇକଲରେ ଘରକୁ ଫେରୁଛି। ଏଭଳି ସ୍ଥିତରେ କଳାହାଣ୍ଡି ଜିଲା ପ୍ରଶାସନ ଆନ୍ତ ରାଜ୍ୟ ଜିଲା ସୀମାରେଖା ବନ୍ଦ କରି ଦେଇଥିବାରୁ ଆନ୍ଧ୍ର ପ୍ରଦେଶରୁ ଫେରୁଥିବା ଜୁନାଗଡ, ଜୟପାଟଣା, ଧର୍ମଗଡ, ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ୧୭ ଜଣ ମହିଳା ଓ ପୁରୁଷ ଶ୍ରମିକ ଆମପାଣି ପୁଲିସ ଦ୍ୱାରା ଅଟକ ରହିଛନ୍ତି। ସେମାନଙ୍କୁ ଆମପାଣି ସରକାରୀ ହାଇସ୍କୁଲଠାରେ ଥିବା ଅସ୍ଥାୟୀ ସଙ୍ଗରୋଧ ଶିବିରରେ ରଖାଯାଇଛି।
ସୁଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଦେଇ ଧର୍ମଗଡ ଗୋଡଭଞ୍ଜାର ସୁବାସ ସୁନାନୀ, ଗୋପବନ୍ଧୁ ଦୁର୍ଗା, ଚୈତନ୍ୟ ସୁନାନୀ, କଘ୍ଲେଇ ନାଏକ ଓ ମୁକ୍ତା ସୁନାନୀଙ୍କ ସମେତ ବେହେରାଗୁଡାର କୁମୁଦ ନାଏକ, ତ୍ରିଲୋଚନ ନାଏକ, ଦାବ୍ରିଗୁଡାର ଲୋକେଶ୍ୱର ଦୁର୍ଗା, ଜୁନାଗଡ ବ୍ଲକ ଚକୁଳି ଗ୍ରାମର ରାଧାକାନ୍ତ ବେମାଲ, ଅମିତ କର, ଜୟପାଟଣା ବ୍ଲକ ଅରେବେଡା ଗ୍ରାମର ନିରଞ୍ଜନ ଧଙ୍ଗଡା ମାଝୀ, ଦେବାନନ୍‍ ଧଙ୍ଗାଡା ମାଝୀ, ଖଲିଆକାନୀର ସୁଧିର ନାଏକ, ଆଶିଷ ମହାନନ୍ଦ, ସୁକନୀମୁଣ୍ଡାର ଭାରତ ସିପକା, ଫଲସାପାନୀର ପୂର୍ଣ୍ଣ ଖମାରୀ ପ୍ରମୁଖ ୧୭ ଜଣ ଶ୍ରମିକ ଯାନ ବାହାନ ଚଳାଚଳ ବନ୍ଦ କାରଣରୁ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ନିଜ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ କଳାହାଣ୍ଡି ପୁଲିସର ଜିଲା ସୀମାନ୍ତକୁ ବନ୍ଦ କରିଥିବାରୁ କର୍ତ୍ତବ୍ୟରେ ଥିବା ଏ.ଏସ.ଆଇ ରମେଶ ପଟ୍ଟନାୟକ ଶ୍ରମିକଙ୍କୁ ଅଟକାଇଥିଲେ। ଏହାସହ ସେମାନଙ୍କ ଠିକଣା ପଚାରିବା ସହ ଶ୍ରମିକ ଭାବେ ଆନ୍ଧ୍ର ପ୍ରଦେଶରେ ନିୟୋଜିତ ଥିବା ନେଇ ସୂଚନା ପାଇବା ପରେ ଥାନା ଅଧିକାରୀ ପୁଷ୍ପଞ୍ଜଳୀ ନିଙ୍ଗିଙ୍କ ସହ ଯୋଗାଯୋଗ କରିଥିଲେ। ଥାନା ଅଧିକାରୀ ଶ୍ରୀମତି ନିଙ୍ଗି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଆମପାଣି ଏସ.ଏସ ଡି ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ ସଙ୍ଗରୋଧ ଶିବିରରେ ଅଟକ ରଖିଛନ୍ତି।

Comments are closed.