ଓଡ଼ିଶାରେ ୧୧୦୦ ଟପିଲା କରୋନା: ୫୧ ନୂଆ ସଂକ୍ରମିତ ଚିହ୍ନଟ, ଆଉ ଜଣେ ମୃତ

ଭୁବନେଶ୍ଵର: ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବୁଧବାର ଏହି ସଂଖ୍ୟା ୧ ହଜାର ଅତିକ୍ରମ କରିଥିଲାବେଳେ ଗୁରୁବାର ୧୧୦୦ ପାର୍ ହୋଇଛି। ରାଜ୍ୟରେ ଗୁରୁବାର ୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୧୦୩ରେ ପହଞ୍ଚିଛି। ସେହିପରି ଗୁରୁବାର ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ସେ ନିକଟରେ ସୁରତରୁ ପେରିଥିଲେ। ତାଙ୍କ ବୟସ ୮୫ ବର୍ଷ। ତାଙ୍କର ଉଚ୍ଚ ରକ୍ତଚାପ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୪୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ଏବେ ୭୫୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।