ପୁଣି ୧ ଲକ୍ଷ ତଳେ ସଂକ୍ରମଣ, ଆରୋଗ୍ୟ ହାର ୯୪.୭୭ %କୁ ବୃଦ୍ଧି

ଦେଶରେ କୋଭିଡ ଜନିତ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଆଜି ତୃତୀୟ ଦିନରେ ମଧ୍ୟ ଦୈିନିକ ସଂକ୍ରମଣ ୧ ଲକ୍ଷ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୧ ହଜାର ୩୬୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସାରା ଦେଶରେ ୯୪ ହଜାର ୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ କରୋନା ଜନିତ ଆରୋଗ୍ୟ ହାର ୯୪.୭୭ %କୁ ବୃଦ୍ଧି ପାଇଛି।

ଆଜିକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣ ୨ କୋଟି ୫୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ପାଇଛି। ତେବେ ଗତ କିଛିଦିନ ହେବ ସଂକ୍ରମଣ ହାର ହ୍ରାସ ପାଉଥିବାରୁ ଏବେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୪ ପ୍ରତିଶତରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାରେ ୬୩ ହଜାର ୪୬୩ ହ୍ରାସ ପାଇବା ଫଳରେ ଏବେ ସାରା ଦେଶରେ ୧୧ ଲକ୍ଷ ୬୭ ହଜାର ୯୫୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେଜଣ ସଙ୍ଗରୋଧରେ ମଧ୍ୟ ଅଛନ୍ତି। ସେହିପରି ଦୈନିକ ସଂକ୍ରମଣ ହାର ୫% ତଳକୁ ଖସିଛି ଏବଂ ୧୭ ଦିନ ସୁଦ୍ଧା ଏହା ୧୦%କୁ ହ୍ରାସ ପାଇଛି। ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରୁ ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ ସୂଚନା ଦେଇଛି ଯେ କରୋନା ମହାମାରୀର ମୁକାବିଲା ନିମନ୍ତେ ୫ଟି ବୈଧାନିକ ନୀତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ପରୀକ୍ଷା, ଚିହ୍ନଟ, ଚିକିତ୍ସା, ସଙ୍ଗରୋଧ ଏବଂ ଟିକାକରଣକୁ ଗୁରୁତ୍ୱ ଦିଆଯିବା ଫଳରେ ଏପର୍ଯ୍ୟନ୍ତ ଦେଶର ୨ ହଜାର ୬୨୯ଟି ସରକାରୀ ଏବଂ ଘରୋଇ ପରୀକ୍ଷଣ ସଂସ୍ଥାରେ କରୋନା ପରୀକ୍ଷା ୩୭ କୋଟି ୨୧ ଲକ୍ଷ ୯୮ ହଜାର ୨୫୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୨୦ ଲକ୍ଷ ୪ ହଜାର ୬୯୦ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.