କରୋନା ଭୂତାଣୁ ଆମ ସଭ୍ୟତାକୁ ବଦଳାଇ ଦେବ କି?

- ଡେଭିଡ ଆଣ୍ଡରସନ, ଆମେରିକୀୟ ଲେଖକ ଓ ଭାଷ୍ୟକାର

ସମଗ୍ର ପୃଥିବୀର ଚିତ୍ର ଗତ କେଇ ସପ୍ତାହ ମଧ୍ୟରେ ଦ୍ରୁତ ଗତିରେ ବଦଳୁଛି। ଆର୍ଥିକ, ପର୍ୟ୍ୟାବରଣ, ପ୍ରଯୁକ୍ତି ଓ ସାମାଜିକ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ପୂର୍ବର ସମସ୍ତ ବିଘଟନ, ବିଘ୍ନ ଓ ପ୍ରାକୃତିକ ବିପତ୍ତିଠାରୁ ଏହା ଭିନ୍ନ। ଏହାର ପରିସମାପ୍ତିର ସୂଚନା ମିଳୁନାହିଁ। ବାତ୍ୟା, ଭୂମିକମ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ବିପତ୍ତିର ଆଘାତ ଓ ପ୍ରଭାବ ନିର୍ଦିଷ୍ଟ ସମୟ ପାଇଁ ଅନୁଭୂତ ହୁଏ। ସେ ସମୟ ଅତିକ୍ରାନ୍ତ ହେବା ପର୍ୟ୍ୟନ୍ତ ସମସ୍ତେ ଧୈର୍ୟ୍ୟର ସହ ଅପେକ୍ଷା କରିଥାନ୍ତି। ତା’ପରେ ଅଣ୍ଟା ସଳଖି ଉଠି ପୁନଃନିର୍ମାଣ ଓ ପୁନର୍ବାସ କାମରେ ସମସ୍ତେ ଲାଗିପଡ଼ନ୍ତି। ଯଥାଶୀଘ୍ର ସମ୍ଭବ ଜୀବନଯାତ୍ରାକୁ ସ୍ବାଭାବିକ କରିଥାନ୍ତି।

ନୋଭେଲ କରୋନା ଭାଇରସ୍‌ କିନ୍ତୁ ଭିନ୍ନ। ଏହାର ସଂକ୍ରମଣକୁ ରୋକିବା ପାଇଁ ବାଟ ବାହାର କରିବାକୁ ଅନେକ ବ୍ୟକ୍ତିବିଶେଷ କାମରେ ଲାଗିଛନ୍ତି। ଏ କ୍ଷେତ୍ରରେ କେହି ଅନ୍ୟାନ୍ୟ ବିପତ୍ତି ଭଳି ଦୁଃସମୟକୁ ସେମିତି ଅତିକ୍ରାନ୍ତ ହେବାକୁ ଦେଉନାହାନ୍ତି। ଉଦାହରଣ ସ୍ବରୂପ ପୂର୍ବରୁ ଆଇଟି କମ୍ପାନୀମାନେ ନିଜ କର୍ମଚାରୀଙ୍କୁ ଘରେ ବସି ଅଫିସ ନ ଆସି କାମ କରିବାର ବିକଳ୍ପ ଉପରେ ପରୀକ୍ଷାନିରୀକ୍ଷା କରୁଥିଲେ। ଏହା କିନ୍ତୁ ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟକାରୀ ହୋଇପାରିନଥିଲା। ସିଆଟଲ ଆମେରିକାର ଏକ ଆଇଟି ସହର ଯେଉଁଠି ମାଇକ୍ରୋସଫ୍ଟ ଓ ଆମାଜନ୍‌ ଭଳି ବିଶ୍ବର ପ୍ରମୁଖ କମ୍ପାନୀଙ୍କ ସଦର କାର୍ୟ୍ୟାଳୟ। ଏଠାକାର ସବୁ କମ୍ପାନୀ ନିଜର କର୍ମଚାରୀଙ୍କୁ ଅଫିସ ନ ଆସି ଘରୁ କାମ କରିବାକୁ ଅନୁରୋଧ କରିଛନ୍ତି। କେତେକ କମ୍ପାନୀଙ୍କ ଦ୍ବାରା ଘରୁ କାମ କରିବା ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। କରୋନା ସଂକ୍ରମଣର ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଥିଲେ ହେଁ ଏହା କର୍ମସଂସ୍କୃତି ଓ ଶୈଳୀକୁ ସ୍ଥାୟୀ ଭାବେ ବଦଳାଇ ଦେଇପାରେ। ଏହା ଫଳରେ ଘରୁ ଅଫିସ ଯିବା, ଟ୍ରାଫିକ୍‌ ଜାମ୍‌, କାର୍ୟ୍ୟକ୍ଷେତ୍ରରେ ଗହଳି, ଗାଡ଼ି ରଖିବାର ଅସୁବିଧା ଓ ଅନ୍ୟାନ୍ୟ ଝାମେଲାର ସ୍ଥାୟୀ ସମାଧାନ ହୋଇପାରିବ। ମଣିଷର ଆତଯାତଜନିତ ବାଧ୍ୟବାଧକତା ଯଥେଷ୍ଟ ହ୍ରାସ ପାଇବ।

କିଛିଦିନ ତଳେ ବେଜିଂ ସହରର ଚିତ୍ର ଉପଗ୍ରହ ଦ୍ବାରା ଉତ୍ତୋଳିତ ହୋଇଥିଲା। ଲକ୍‌ଡାଉନ ପୂର୍ବ ଓ ପରବର୍ତ୍ତୀ ଚିତ୍ରର ତୁଳନାତ୍ମକ ଅନୁଧ୍ୟାନରୁ ଜଣାପଡ଼ିଲା ଯେ ଚୀନର ଏହି ରାଜଧାନୀ ସହରରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ସଟଡାଉନ ଯୋଗୁଁ କଳକାରଖାନା ସବୁ ପ୍ରାୟତଃ ଉତ୍ପାଦନ ବନ୍ଦ ଥିଲା। ଅଧିକାଂଶ କର୍ମଚାରୀ ଅଫିସ ନ ଯାଇ ଘରୁ କାମ କରିବାରୁ ସମସ୍ତପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଥିଲା। ତେଣୁ ଯାନ ଓ ଯନ୍ତ୍ରଜନିତ ପ୍ରଦୂଷଣ ହ୍ରାସ ପାଇବା ସ୍ବାଭାବିକ। ଏହି ପ୍ରକ୍ରିୟା ଯଦି ଆଉ କିଛିକାଳ ରହିବ ଏବଂ ନିୟନ୍ତ୍ରିତ ଅବସ୍ଥାରେ ଯାନବାହନ ଏବଂ କଳକାରଖାନା ସବୁ କାମ କରିବ ତାହେଲେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ହ୍ରାସ କରିବା ପାଇଁ ସ୍ବାକ୍ଷରିତ ପ୍ୟାରିସ ଚୁକ୍ତି ସଫଳ ହୋଇପାରେ।

ପ୍ରତ୍ୟେକ ଦେଶ କରୋନା ଭୂତାଣୁର ମୁକାବିଲା ପାଇଁ ନିଜନିଜ ବାଟରେ ନିଜର ସାମର୍ଥ୍ୟ ଅନୁସାରେ ଉଦ୍ୟମ କରୁଛନ୍ତି। ବିଡ଼ମ୍ବନା ହେଉଛି, ଭୂତାଣୁ କୌଣସି ଦେଶର ସୀମା ସରହଦକୁ ସମ୍ମାନ ଦିଏନାହିଁ। ଳକ୍‌ଡାଉନ୍‌ ପୂର୍ବରୁ ବିଭିନ୍ନ ଦେଶ ମଧ୍ୟରେ ଯେତେଶୀଘ୍ର ଚଳପ୍ରଚଳ କରିଛନ୍ତି ତାହା ସମଗ୍ର ବିଶ୍ବରେ ସଂକ୍ରମଣ ପାଇଁ ଯଥେଷ୍ଟ। ବର୍ତ୍ତମାନର ସଂକ୍ରମଣର ସ୍ଥିତିରୁ ଏହା ପ୍ରମାଣିତ ମଧ୍ୟ। ତେଣୁ ଏହି ସଂକ୍ରମଣକୁ ରୋକିବା ଏକପ୍ରକାର ଅସମ୍ଭବ। ଏ​‌େ​‌ବ ବିଭିନ୍ନ ଦେଶରେ ଯେଉଁ ଲକ୍‌ଡାଉନ୍‌ ପ୍ରକ୍ରିୟା ଚାଲିଛି ତାହା ଭିନ୍ନପ୍ରକାର ପ୍ରଭାବ ମଧ୍ୟ ଅନୁଭୂତ ହେଲାଣି। ଇଟାଲୀ ଏହି ବ୍ୟାଧି ଯୋଗୁ ବିଶେଷ ପ୍ରଭାବିତ। ଏହି ଦେଶ ବିଶ୍ବର ଅଷ୍ଟମ ବୃହତ୍‌ ଅର୍ଥନୀତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ ଯୋଗୁଁ ଇଟାଲୀର ଅର୍ଥନୀତି ଭୁଶୁଡ଼ିବା ସହ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆସନ୍ନ ପ୍ରାୟ। ଇଟାଲୀର ଅର୍ଥନୀତି ମୁଖ୍ୟତଃ ପର୍ୟ୍ୟଟନ ଉପରେ ନିର୍ଭର କରେ। ଲକ୍‌ଡାଉନ୍‌ ଫଳରେ ଏହି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ। ଏହାଛଡ଼ା ସେ ଦେଶର ବ୍ୟାଙ୍କ, ରିୟଲ ଇଷ୍ଟେଟ, ପରିବେଶ, ଊର୍ଜା, କୃଷି, ଖାଦ୍ୟ, ଯୋଗାଯୋଗ, ଭିତ୍ତିଭୂମି ବିକାଶ ଓ ପ୍ରଯୁକ୍ତି ଉଦ୍ୟୋଗ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଆମର ଅର୍ଥନୀତି, ପର୍ୟ୍ୟାବରଣ, ପରିବେଶ, ଊର୍ଜା, ଖାଦ୍ୟ, କୃଷି, ଉଦ୍ୟୋଗ, ଉତ୍ପାଦନ, ଯୋଗାଯୋଗ ଓ ପ୍ରଯୁକ୍ତି ଆଦି ସମସ୍ତ ବ୍ୟବସ୍ଥା ଏକ ସଂରଚନା ବା ଢାଞ୍ଚାରେ କାର୍ୟ୍ୟକରେ। ସେଇ ଢାଞ୍ଚା ପ୍ରଭାବିତ ଓ ବିଘ୍ନିତ ହେବାରୁ ଦୁର୍ଦିନର ଚାପ ସ୍ପଷ୍ଟ ଅନୁଭୂତ ହେବାକୁ ଲାଗିଲାଣି। ତେଣୁ କରୋନାଜନିତ ଏହି ଜରୁରୀ ଅବସ୍ଥା ଏବେ ଏକ ଆନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।

ଆମେ ସମସ୍ତେ ଗୋଟିଏ ପରସ୍ପର ସହ ସଂଯୋଜିତ ଗ୍ରହରେ ବାସ କରୁଛନ୍ତି। ତେଣୁ ଭବିଷ୍ୟତ ପାଇଁ କୌଣସି ବିକାଶମୂଳକ କାର୍ୟ୍ୟକ୍ରମ ପ୍ରସ୍ତୁତ କରିବାବେଳେ ଆମକୁ ନୂଆ ସ୍ତରର ବିଚାର ଓ ବୁଝାମଣା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଆମକୁ କେବଳ ଆମ ନିଜ ବିଷୟରେ ଚିନ୍ତା କରିବା ବିଚାରଧାରା ପରିହାର କରିବାକୁ ହେବ। ଏଇ ବିଚାରରେ ନିଜେ, ନିଜର ପରିବାର, ପଡ଼ୋଶୀ ଓ ଦେଶକୁ ସୀମିତ ନରଖି ସମଗ୍ର ବିଶ୍ବ ପାଇଁ ଭାବିବାକୁ ପଡ଼ିବ। ଆମେ ଆମର ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ବ୍ୟବସ୍ଥା ତିଆରି କରିଛୁ ତାହା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସକ୍ଷମ ନୁହେଁ। ସେହିଭଳି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିପାଇଁ ଜୀବନବୀମାର ସୁବିଧା ଦେବା ମଧ୍ୟ ହାସ୍ୟାସ୍ପଦ। ଭୂତାଣୁର କାର୍ୟ୍ୟ ଓ କରାମତି ଭିନ୍ନ। ମନେକରନ୍ତୁ ଆମେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସଫଳ ହେଲେ ବା ନିଜେ ନୀରୋଗ ରହିଲେ, କିନ୍ତୁ ଯେଉଁମାନେ ଏହାଦ୍ବାରା ଇତିମଧ୍ୟରେ ସଂକ୍ରମିତ ହୋଇ ସାରିଛନ୍ତି ସେମାନଙ୍କର କ’ଣ ହେବ ? ଏଥିପାଇଁ ସାମାଜିକ ସ୍ବାସ୍ଥ୍ୟ ବୀମା ନାହିଁ। ଦ୍ବିତୀୟ ବିଶ୍ବଯୁଦ୍ଧର ପରିଣତି ଭୟାନକ ଥିଲା। ୟୁରୋପର ଅଧିକାଂଶ ଭାଗରେ ଏହା ଧ୍ବଂସଲୀଳା ସୃଷ୍ଟି କରିବା ସହ ନିୟୁତନିୟୁତ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ମିଳିତ ଜାତିସଂଘର ଜନ୍ମ ହୋଇଥିଲା ଏହି ଯୁଦ୍ଧର ଧ୍ବଂସାବଶେଷରୁ। ନାଜିବାଦ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ପରେ ବିଶ୍ବରେ ଗଣତନ୍ତ୍ର, ସ୍ବାଧୀନତା ଓ ଶାନ୍ତିର ସୁରକ୍ଷା ତଥା ପୁନଃପ୍ରତିଷ୍ଠା ପାଇଁ ରାଷ୍ଟ୍ରଗୋଷ୍ଠୀ ବା ଲିଗ୍‌ ଅଫ ନେସନ୍ସର ଉତ୍ତରାଧିକାରୀ ଭାବେ ମିଳିତ ଜାତିସଂଘ ଗଠିତ ହେଲା। ପ୍ରଥମ ବିଶ୍ବଯୁଦ୍ଧ ପରେ ଲିଗ୍‌ ଅଫ୍‌ ନେସନ୍ସ ଗଠିତ ହୋଇଥିବାବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଆଉ ଏକ ବିଶ୍ବ ସଂଗଠନକୁ ଜନ୍ମ ଦେଇଥିଲା।

ଏବେ କୋଭିଡ୍‌ ସଂକ୍ରମଣ ପରବର୍ତ୍ତୀ ବିଶ୍ବରେ ଆଶା କ’ଣ ? ଆମେ ଆଶା କରିବା ପୁଣି ସମଗ୍ର ବିଶ୍ବ ଏକତ୍ର ହେବ ଏବଂ ସବୁ ପୂର୍ବ ବିଚାର ଓ ବିଶ୍ବାସରୁ ଊର୍ଦ୍ଧ୍ବକୁ ଯାଇ ଏହି ଧରିତ୍ରୀର ପ୍ରତ୍ୟେକ ମଣିଷ ଜୀବନର ସୁରକ୍ଷା ଓ ମଙ୍ଗଳକୁ ଅଗ୍ରାଧିକାର ଦେଇ ଅହିଂସା ମାର୍ଗରେ ଏକ ସାର୍ବଜନୀନ ମାନବୀୟ ବିଶ୍ବ ଗଠନ ଦିଗରେ କାର୍ୟ୍ୟ କରିବାକୁ ଅଙ୍ଗୀକୃତ ହେବ।

Comments are closed.