କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ, ସତର୍କତା ଜରୁରୀ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର ଭୟାବହତା ନ ସରୁଣୁ ଦେଶରେ ଏହି ଭୂତାଣୁର ତୃତୀୟ ଲହର ଆସିବା ନିଶ୍ଚିତ ତଥା ଅବଶ୍ୟମ୍ଭାବୀ। ସମ୍ଭାବ୍ୟ ତୃତୀୟ ଲହର ବର୍ତ୍ତମାନ ଅପେକ୍ଷା ଆହୁରି ବିପଜ୍ଜନକ ହୋଇପାରେ। ଏଭଳି ଚେତାବନୀ ଶୁଣାଇଛନ୍ତି ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟ ରାଘବନ୍‌। ତୃତୀୟ ଲହରର ଭୂତାଣୁ ନୂଆ ରୂପରେ ଆସିବା ସହ ଯେ କୌଣସି ମାଧ୍ୟମରେ ସଂକ୍ରମିତ କରିପାରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଲୋପ କରିଦେବା ସହ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବା ଆଶଙ୍କା ରହିଛି। ଏହା କେବେ ଆସିବ ତାହାର ଆକଳନ ଏବେଠାରୁ କରିହେବ ନାହିଁ; ତେଣୁ ଏଥିପ୍ରତି ଏବେଠାରୁ ସତର୍କତା ଅବଲମ୍ବନ କରିପାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏହାର ମୁକାବିଲା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବାକୁ ପଡ଼ିବ ଏବଂ ଟିକାର ବିକାଶ ଉପରେ ପ୍ରାଥମିକତା ଦେବାକୁ ପଡ଼ିବ। ଭୂତାଣୁ ବାରମ୍ବାର ରୂପ ପରିବର୍ତ୍ତନ କରୁଛି; ତେଣୁ ସମଗ୍ର ବିଶ୍ବର ବୈଜ୍ଞାନିକମାନେ ଭୂତାଣୁର ନୂଆ ପ୍ରକରଣ ନେଇ ଆଶଙ୍କା ବ୍ୟକ୍ତ କରିବା ସହ ଏହାକୁ ଆଗୁଆ ଚିହ୍ନଟ ପାଇଁ ପ୍ରୟାସ ଚଳାଇଛନ୍ତି। ଏହାର ମୁକାବିଲା ପାଇଁ ମଧ୍ୟ ସଘନ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଭାରତର ସାମ୍ପ୍ରତିକ ସଂକ୍ରମଣ ଉପରେ ତା’ର ସାପ୍ତାହିକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଗତ ସପ୍ତାହକ ମଧ୍ୟରେ ଭାରତର ସଂକ୍ରମଣ ହାର ସମଗ୍ର ବିଶ୍ବର ଅର୍ଦ୍ଧେକ ରହିଛି। ଅର୍ଥାତ୍ ବିଶ୍ବର ମୋଟ ସଂକ୍ରମଣର ୪୬ ପ୍ରତିଶତ ଏବେ ଭାରତରୁ ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ସମଗ୍ର ବିଶ୍ବର ୨୫ ପ୍ରତିଶତ ରହିଛି। ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୭୮୦ ଆକ୍ରାନ୍ତଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ହୁ ଏଭଳି ତଥ୍ୟ ରଖିଛି। ସେହିପରି ଗୋଟିଏ ଦିନରେ ୩ ଲକ୍ଷ ୮୨ ହଜାର ୩୧୫ ନୂଆ ସଂକ୍ରମଣକୁ ଲକ୍ଷ୍ୟ କରି ଏହା ବିଶ୍ବର ମୋଟ ନୂଆ ସଂକ୍ରମିତଙ୍କ ସଂଖ୍ୟାର ୪୬ ପ୍ରତିଶତ ବୋଲି ହୁ ଦର୍ଶାଇଛି। ଗତ ୧୪ଦିନ ଧରି ପ୍ରତ୍ୟହ ଭାରତରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଉପରେ ରହୁଛି।

Comments are closed.