କ୍ରୀଡ଼ାଗ୍ରାମରେ କରୋନା, ୩ ଖେଳାଳିଙ୍କ ସହ ୧୦ ସଂକ୍ରମିତ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏହାରି ଭିତରେ ଅଲିମ୍ପିକ୍‌ସ ଉପରେ କରୋନା ରାଜୁତି ଦେଖିବାକୁ ମିଳିଛି। ଅଲିମ୍ପିକ୍‌ସ କ୍ରୀଡ଼ାଗ୍ରାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର କ୍ରୀଡ଼ା ଗ୍ରାମରେ ଜଣେ ବିଦେଶୀ ପର୍ୟ୍ୟବେକ୍ଷକ କରୋନା ଆକ୍ରାନ୍ତ ହୋଇଥିବାବେଳେ ରବିବାର ୩ଜଣ ଖେଳାଳି କରୋନା ଆକ୍ରାନ୍ତ ହୋଇଥିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୩ ଆକ୍ରାନ୍ତ ମଧ୍ୟରୁ କ୍ରୀଡ଼ାଗ୍ରାମରେ ରହୁଥିବା ଦୁଇଜଣ ଖେଳାଳି ଓ ବାହାରେ ରହୁଥିବା ଜଣେ ଖେଳାଳି ରହିଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଦୁଇଜଣ ଖେଳାଳିଙ୍କୁ କ୍ରୀଡ଼ା ଗ୍ରାମରୁ ବାହାର କରିଦିଆଯାଇଥିବାବେଳେ ସେମାନେ କେଉଁ ଦେଶର ବୋଲି ଜଣାପଡ଼ିନାହିଁ। ସେମାନଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରଖାଯାଇଛି। ୨ଦିନରେ କ୍ରୀଡ଼ାଗ୍ରାମରେ ୩ଜଣ ଖେଳାଳି କରୋନା ଆକ୍ରାନ୍ତ ହେବା ଆୟୋଜକଙ୍କ ଚିନ୍ତା ବଢାଇ ଦେଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି କ୍ରୀଡ଼ା କାର୍ୟ୍ୟନିର୍ବାହୀ ନିର୍ଦେଶକ ଖ୍ରିଷ୍ଟୋଫେ ଦୁବି କହିଛନ୍ତି, କ୍ରୀଡ଼ା ଗ୍ରାମରେ କରୋନା ଆକ୍ରାନ୍ତ ହେଉଥିବା ଖେଳାଳିଙ୍କୁ ସେଠାରୁ ବାହାର କରିଦିଆଯିବା ସହିତ ସଙ୍ଗରୋଧରେ ରକାଯାଉଛି। ତାଙ୍କ ସସ୍ପର୍ଶରେ ଆସିଥିବା ଖେଳାଳି କିମ୍ବା ସହଯୋଗୀ ସଦସ୍ୟଙ୍କୁ ମଧ୍ୟ ଚିହ୍ନଟ କରିବା ନେଇ ପକ୍ରିୟା ଜାରି ରହିଛି। ସାଂପ୍ରତିକ ପରିସ୍ଥିତିରେ ସଂକ୍ରମଣ ମାମଲା ଯେପରି ନ ବୃଦ୍ଧି ପାଏ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଦୁବି କହିଛନ୍ତି।

ଗତ ୩ ଦିନ ପୂର୍ବରୁ ଅଲିମ୍ପିକ୍‌ସରେ ଅଂଶଗ୍ରହଣ କରିବାକୁ ଥିବା ଜଣେ ଖେଳାଳି ଓ ୫ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଏବେ ଟୋକିଓ ସହରରେ ପ୍ରତିଦିନ ୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି। ଏଥିରେ ୩ଜଣ ଖେଳାଳିଙ୍କ ସମେତ ମୋଟ ୧୦ଜଣ କରୋନା ଆକ୍ରାନ୍ତ ହେବା ପରେ ଆୟୋଜକ କମିଟି ଚିନ୍ତା ବଢିଯାଇଛି। ଆଇଓସି ସଭାପତି ଥମାସ ବାକ୍‌ କହିଛନ୍ତି, ଅଲିମ୍ପିକ୍‌ସ ଉପରେ କରୋନା ପ୍ରଭାବ ପକାଇବ ନାହିଁ। ଖେଳାଳିଙ୍କୁ କରୋନାରୁ ଦୂରରେ ରଖିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଖେଳାଳି ବିନା ଭୟରେ କ୍ରୀଡ଼ାଗ୍ରାମରେ ଅବସ୍ଥାନ କରୁଛନ୍ତି ବୋଲି ବାକ୍‌ କହିଛନ୍ତି।

Comments are closed.