ହଜାରେ ଡେଇଁଲା କରୋନା

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାରି ଅଙ୍କ ଛୁଇଁଛି। ବୁଧବାର ସକାଳ ୯ଟା ସୁଦ୍ଧା ନୂଆ ୭୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ୬୬ ଦିନ ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଗତକାଲି ଏମ୍ସରେ ଭର୍ତ୍ତି ହୋଇଥିବା ଖୋର୍ଦ୍ଧା ଜିଲାର ୭୦ ବର୍ଷିୟ ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ପରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଅପରପକ୍ଷେ ଆଜି ୩୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଛାଡ଼ ପାଇଛନ୍ତି। ରାଜ୍ୟରେ ଏବେ ୭୦୩ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୩୪୩ ଜଣ ସୁସ୍ଥ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଜିଲାରେ ୨ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୧୧ଜଣ ପୁରୀ ଜିଲାର। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଥିବାବେଳେ ୮ଜଣ ସୁରଟ ଏବଂ ଜଣେ କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରୁ ଫେରିଥିଲେ। ଏମାନଙ୍କୁ ମିଶାଇ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ପୁରୀରୁ ଏପର୍ୟ୍ୟନ୍ତ ଜଣେ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି କଟକରୁ ୯, ଖୋର୍ଦ୍ଧାରୁ ୭, ଯାଜପୁରରୁ ୬, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। କେନ୍ଦ୍ରାପଡାରୁ ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମ ଜିଲାରେ ନୂଆ ୬ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଥିଲେ। ସେହିପରି ଖୋର୍ଦ୍ଧା ଜିଲାରୁ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଅନ୍ୟମାନେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସୁଦ୍ଧା ରାଜ୍ୟରେ ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୧୦୯ ଜଣ ଥିବାବେଳେ ଯାଜପୁରର ୫୫, ଖୋର୍ଦ୍ଧାର ୪୮, ବାଲେଶ୍ୱରର ୨୭, ଭଦ୍ରକର ୨୩ ଓ ସୁନ୍ଦରଗଡର ୧୩ଜଣ ରହିଛନ୍ତି।

ଓଡ଼ିଶାର ୧୭ଟି ଜିଲାରେ ଅଟକି ରହିଥିବା ଉତ୍ତର ପ୍ରଦେଶର ୧୦୬୮ ଜଣ ପ୍ରବାସୀ ଅତିଥି ଓ ୫୦ ଜଣ ଶିଶୁଙ୍କୁ ସମ୍ପୃକ୍ତ ଜିଲାପାଳଙ୍କ ଜରିଆରେ ୩୦ଟି ବସ୍‌ରେ ପଠାଯାଇଛି। ସେହିପରି ଆଜି ୧୧୨୯୫ ଜଣ ଓଡ଼ିଆ ଲୋକ ରାଜ୍ୟକୁ ଫେରିଛନ୍ତି। ଏବେ ସୁଦ୍ଧା ୧୦୩୨୨୦ ଜଣ ପ୍ରବାସୀ ଟ୍ରେନ୍‌, ବସ୍ ଓ ଅନ୍ୟ ଗାଡ଼ିରେ ଓଡ଼ିଶାକୁ ଫେରିଲେଣି। କୋଭିଡ୍‌-୧୯ ନିମୟ ଓ ମାର୍ଗଦର୍ଶିକା ଉଲ୍ଲଘଂନ କରିବା ଅଭିଯୋଗରେ ୧୯ରୁ ୨୦ ତାରିଖ ସକାଳ ସୁଦ୍ଧା ୧୨ଟି ମାମଲା ଦାୟର କରାଯାଇଛି। ଏଥିରୁ ୧୦ଟି ଲକ୍‌ଡାଉନ୍ ଉଲ୍ଲଘଂନ ମାମଲା ଅନ୍ତର୍ଭୁକ୍ତ। ବିଭିନ୍ନ ଅଭିଯୋଗରେ ୩୮ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୦୫୯୧୪ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.