ହଟ୍ ସ୍ପଟ ୫ ଜିଲାରୁ ରାଜଧାନୀ ବସ୍ତିକୁ ଆସିଲେ ବାଧ୍ୟତାମୂଳକ ୧୪ ଦିନିଆ ସଙ୍ଗରୋଧ

ରାଜଧାନୀରେ କରୋନାକୁ ଡ଼ାକୁଛି ବସ୍ତି; ସାଲିଆ ସାହି, ସୁବାସନଗର ଉପରେ ନଜର

ରାଜଧାନୀକୁ ପୁଣି ଲେଉଟିଛି କରୋନା । ଆଜି ସୁଦ୍ଧା ରାଜଧାନୀରେ ସଂକ୍ରମିତ ହୋଇଛନ୍ତି ୨୭୪ ଜଣ ଏବଂ ଏମାନଙ୍କ ମଧ୍ୟରୁ ୧୩୮ ସୁସ୍ଥ ହୋଇଛନ୍ତି । ୧୩୨ ଜଣ ସକ୍ରିୟ କରୋନା ସଂକ୍ରମିତ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ଘରୋଇ ଡ଼ାକ୍ତରଖାନାରେ ଯାଞ୍ଚ କରାଯାଉଛି ଓ କିଛି ଡ଼ାକ୍ତରଖାନାକୁ ସିଲ୍ କରାଯାଇଛି । କେବଳ ସିଲ୍ ହୋଇଥିବା ଡ଼ାକ୍ତରଖାନାଗୁଡ଼ିକରୁ ୩୯ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।

ହଟସ୍ପଟ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ସଙ୍ଗରୋଧରେ ରହିବେ ।  ୫ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଂଚଳ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏହି ୫ ଜିଲ୍ଲା ଗୁଡିକ ହେଉଛି-ଗଂଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର ।  ଆସୁଥିବା ଲୋକଙ୍କୁ ୧୪ ଦିନ ସରକାରୀ କ୍ୱାରେଣ୍ଟିନରେ ପ୍ରଥମେ ରଖାଯିବ । ଏସବୁ ଜିଲ୍ଲାରୁ କେହି ଆସିଲେ ସେମାନଙ୍କୁ ସ୍ଲମ ସର୍ଭେଲାନ୍ସ ଟିମ ଧରିବ । ସେମାନଙ୍କୁ ସ୍ଲମ ସର୍ଭେଲାନ୍ସ ଟିମଙ୍କ ଦ୍ୱାରା ଧରାଯାଇ କ୍ୱାରେଣ୍ଟିନ ପଠାଯିବ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ।

ଅନ୍ୟପକ୍ଷରେ ରାଜଧାନୀର ଦୁଇ ବଡ଼ ବସ୍ତି ଉପରେ ବିଏମସି ନଜର ରଖିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ତାଙ୍କ ସୂଚନା ଅନୁସାରେ  ସାଲିଆ ସାହି ବସ୍ତିରେ ୧୦ ରାଉଣ୍ଡ ସର୍ଭେଲାନ୍ସ ସରିଛି । ସୁବାସନଗର ବସ୍ତିରେ ମଧ୍ୟ ୬ ରାଉଣ୍ଡ ସର୍ଭେଲାନ୍ସ କରାଯାଇଛି । ବସ୍ତିରେ ଯେପରି କରୋନା ସଂକ୍ରମଣ ନ ବଢ଼ିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ।  ଭୁବନେଶ୍ୱରକୁ ପ୍ରତିଦିନ ୬ଟି ଟ୍ରେନ୍ ଆସୁଛି । ତେଣୁ ଏହା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି । କରୋନା ମୁକାବିଲା ନିମନ୍ତେ ପ୍ରତି ୱାର୍ଡ଼ରେ କୋବିଦ ପରିଚାଳନା କମିଟି ଗଠନ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କୁ ୫ଟି ୱାର୍ଡ଼ ଦାୟିତ୍ବରେ ରଖାଯାଇଛି । ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଲୋକମାନେ ସଚେତନ ହେବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ଦୁଇ ଜଣ ସଂକ୍ରମିତ ହେଉଛନ୍ତି ଯଦୁପୁରର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏବଂ ଆଉ ଜଣେ ହେଲେ ଡେଲଟା କଲୋନୀର ୨୧ ବର୍ଷୀୟା ମହିଳା । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ ।  ବରମୁଣ୍ଡା ବିଡିଏ କଲୋନୀର ୨୨ ଓ ୨୪ ବର୍ଷର ଦୁଇଜଣ ବ୍ୟକ୍ତି ରହିଛନ୍ତି । ଝାରପଡାରୁ ମଧ୍ୟ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରପଦା ଅଭିରାମ ବସ୍ତିର ୫୦ ବର୍ଷୀୟା ମହିଳା ଓ ଓଲଡଟାଉନ୍ ମହତାବ ରୋଡର ଜଣେ ୬୧ ବର୍ଷର ବ୍ୟକ୍ତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

Comments are closed.