ଇମ୍ରାନଙ୍କ ବାଚାଳାମି : ଲକ୍‍ଡାଉନ ପାଇଁ ମୋଦୀ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି

ଇସଲାମାବାଦ : କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ପାକିସ୍ତାନ ସରକାର ଦେଶରେ ଲକଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏପରିସ୍ଥିତିରେ ଭାରତ ସରକାର ଘୋଷଣା କରିଥିବା ଲକଡାଉନକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସମାଲୋଚନା କରିଛନ୍ତି। ଭାରତର ଲକଡାଉନକୁ ସମାଲୋଚନା କରିବାକୁ ଯାଇ ଇମ୍ରାନ ନିଜେ ଭୁଲ କରିଛନ୍ତି। ଇମ୍ରାନ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଘୋଷଣା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଇମ୍ରାନଙ୍କ ଏପରି ତ୍ରୁଟିପୂର୍ଣ୍ଣ ମନ୍ତବ୍ୟକୁ ପାକିସ୍ତାନ ଗଣମାଧ୍ୟମ ସଂଶୋଧନ କରିଛି। ବାସ୍ତବରେ ମୋଦୀ ଲକଡାଉନ ନିଷ୍ପତ୍ତିକୁ ଯଥାର୍ଥ କହିଥିଲେ। ଲଡଡାଉନ ପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗି ନାହାନ୍ତି। ଲକଡାଉନ ଯୋଗୁଁ ଲୋକମାନେ ଯେଉଁ ସମସ୍ୟା ଭୋଗୁଛନ୍ତି ସେଥିପାଇଁ ମୋଦୀ କ୍ଷମା ମାଗିଛନ୍ତି। ରବିବାର ମୋଦୀ ତାଙ୍କ ମନ କି ବାତ୍‍ ସମ୍ବୋଧନରେ କହିଥିଲେ ଯେ ଲକଡାଉନ ଘୋଷଣା ନିଷ୍ପତ୍ତି ସମୟର ଆବଶ୍ୟକତା ଅନୁଯାୟୀ ନିଆଯାଇଛି। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ ଏହି ଲକଡାଉନ ପାଇଁ ଲୋକେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ କ୍ଷମା ମାଗୁଛି।

Comments are closed.