ହାଣ୍ଡିଶାଳରେ କରୋନା ମାଡ଼: କମୁଛି ରୋଜଗାର, ବଢ଼ୁଛି ଖର୍ଚ

ଭୁବନେଶ୍ବର: ଯେତିକି ବଢ଼ୁଛି କରୋନା କଟକଣା, ସେତିକି ବଢୁଛି ଯନ୍ତ୍ରଣା । କରୋନା ପ୍ରଭାବ ଓ ଲକ୍ଡ଼ାଉନ ଯୋଗୁଁ  ଅନେକ ହାତବାନ୍ଧି ଘରେ ବସିଥିବାବେଳେ ରନ୍ଧନ ଗ୍ୟାସ୍‌ ସହ ତେଜରାତି ସାମଗ୍ରୀ ମହଙ୍ଗା ହେବା ଖାଉଟିଙ୍କ ପାଇଁ ବେଡି ଉପରେ କୋରଡା ମାଡ ପରି ହୋଇଛି ।  ବଜାରରେ ବର୍ତ୍ତମାନ ଖାଇବାତେଲ, ସୁଜି ଏବଂ ବିସ୍କୁଟ ଦର ବଢିଥିବାବେଳେ ସାବୁନ୍‌, ନୁଡୁଲ୍ସ ଏବଂ ବିସ୍କୁଟ୍‌ ଯୋଗାଣ କମୁଛି । ଏଥିଯୋଗୁ ଅନେକ ସାମଗ୍ରୀ ସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ବିକ୍ରି ହେଉଛି ।

ନିକଟରେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି । ଏଥିଯୋଗୁ ରାଜ୍ୟରେ ରନ୍ଧନ ଗ୍ୟାସ୍‌ (୧୪.୨ କେଜି) ଦର ସିଲିଣ୍ଡର ପିଛା ୨୬ ଟଙ୍କା ୫୦ ପଇସା ବଢ଼ିଛି । ପୂର୍ବରୁ ଏହାର ଦର ସିଲିଣ୍ଡର ପିଛା ୫୯୨ ଟଙ୍କା ୫୦ ପଇସା ରହିଥିବାବେଳେ ଏବେ ଏଥିରେ ବୃଦ୍ଧି ଘଟି ୬୧୯ ଟଙ୍କା ହୋଇଛି ।

ଅନ୍ୟପକ୍ଷରେ ସମ୍ପ୍ରତି ବଜାରରେ ବଢିବାରେ ଲାଗିଛି ତେଜରାତି ସାମଗ୍ରୀ ଦର । ବିଶେ​‌ଷ କରି ଖାଇବାତେଲ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ପାମୋଲିନ୍‌ ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷତେଲ ସବୁର ଦର ବଢିଛି । ଲିଟର ପିଛା ୧୧୦ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଏବେ ୧୧୫ ଟଙ୍କା​‌ ହୋଇଛି । ସେହିଭଳି ୯୮ରୁ ୯୯ ଟଙ୍କା ଲିଟର ପିଛା ବିକ୍ରି ହେଉଥିବା ସୂର୍ଯ୍ୟମୁଖୀ ତେଲ ଏବେ ୧୦୩ ଛୁଇଁଛି । ଲକ୍‌ ଡାଉନ୍‌ରେ ଅଧିକାଂଶ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଯାଉଥିବା ​‌େ​‌ଯାଗୁ ବଜାରକୁ ବିସ୍କୁଟ୍‌, ନୁଡୁଲ୍ସ ଏବଂ ସାବୁନ୍‌ ଭଳି ଅନେକ ସାମଗ୍ରୀ ଯୋଗାଣ କମ୍‌ ହେଉଛି । ବିସ୍କୁଟ୍‌ ଅଭାବ ସହ ଛୋଟ ପ୍ୟାକେଟ୍‌ର ନୁଡୁଲ୍ସ ଆଉ ସାବୁନ୍‌ ମଧ୍ୟ ବଜାରକୁ ଆସୁନାହିଁ । ଏଭଳି ସ୍ଥଳେ ଏବେ ଖୁଚୁରା ବଜାରରେ ବିସ୍କୁଟ୍‌ ଦର ମଧ୍ୟ ବଢିଯାଇଛି । ପୂର୍ବରୁ ୩୦ ଟଙ୍କା ଏମ୍‌ଆର୍‌ପି ଥିବା​‌ ବିସ୍କୁଟ୍‌ ୨୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଏହା ୩୨ ଏମ୍‌ଆର୍‌ପି ସହ ୩୨ ଟଙ୍କାରେ ବିକ୍ରି ହେଉଛି । ​‌ଏହା ବର୍ତ୍ତମାନ ଖାଉଟିଙ୍କ ଚିନ୍ତା ବଢାଇଛି । କମ୍ପାନୀଗୁଡିକୁ ଛୋଟ ପ୍ୟାକେଟ୍‌ ଉତ୍ପାଦ ପ୍ରସ୍ତୁତି ପାଇଁ ପ୍ୟାକେଜିଂ ସାମଗ୍ରୀ ପଯ୍ୟାପ୍ତ ପରିମାଣରେ ମିଳୁନାହିଁ, ଫଳରେ ଉତ୍ପାଦନକାରୀ ଛୋଟ ପ୍ୟାକେଟ୍‌ର ଖାଇବାତେଲ ଓ ନୁଡୁଲ୍ସ ବଜାରକୁ ଛାଡୁନାହାନ୍ତି । ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଲକ୍‌ ଡାଉନ୍‌ ବଢିବାରେ ଲାଗିଥିବାବେଳେ ଛୋଟ ଛୋଟ ଶିଳ୍ପ କାରଖାନାରେ କିଭଳି ଭାବେ କାର୍ଯ୍ୟ ଜାରି ରହିବ ସରକାର ତାହା ଉପରେ ଗୁରୁତ୍ବ ଦିଅନ୍ତୁ । ବଡ ବଡ କମ୍ପାନୀଙ୍କ ଉପରେ ନିର୍ଭରଶୀଳ ଏହି ଛୋଟ ଛୋଟ ଶିଳ୍ପ ସଂସ୍ଥା ବର୍ତ୍ତମାନ ଠିକ୍‌ ଭାବେ ଚାଲିପାରୁନାହିଁ, ଯାହାକି ଏବେ ଦରଦାମ୍‌ ବୃଦ୍ଧିର ମୁଖ୍ୟ କାରଣ।

Comments are closed.