କରୋନା ସଂକ୍ରମିତଙ୍କ ପରିଚୟ ଗୋପନକୁ ପ୍ରାଥମିକତା, ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: କୋଭିଡ-୧୯ ‌ସଂକ୍ରମିତଙ୍କ ପରିଚୟ ପ୍ରଘଟ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କରୋନା ସଂକ୍ରମିତଙ୍କ ତଥ୍ୟ ପ୍ରଘଟ ଉପରେ ଅଙ୍କୁଶ ନେଇ ରାଜ୍ୟ ସରକାରଙ୍କ ଜାରି ନିୟମାବଳୀ‌ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏଭଳି ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାକୁ କୋଡ୍ ନମ୍ବର ବ୍ୟବହାର କରାଯିବା ଉଚିତ। ଏଥିସହିତ ବିଭିନ୍ନ ବିଭାଗ ମଧ୍ୟରେ ସୂଚନା ବିନିମୟ ବେଳେ ରୋଗୀଙ୍କ ପରିଚୟ ଯେପରି ପ୍ରଘଟ ନ ‌ହୁଏ ତାହାକୁ ପ୍ରାଥମିକତା ଦେବା ଆବଶ୍ୟକ। ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଓ ଜଷ୍ଟିସ ଶତ୍ରୁଘନ ପୂଜହାରୀଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ପ୍ରକାଶିତ ରାୟରେ ଗଣମାଧ୍ୟମର ଦାୟିତ୍ବସଂପନ୍ନ ଆଚରଣ ଲାଗି ଗୁରୁତ୍ବାରୋପ କରାଯାଇଛି। ଗଣମାଧ୍ୟମ ଏଭଳି ବ୍ୟକ୍ତିଙ୍କ ପରିଚୟ ଅନାଧିକୃତ ଭାବେ ପ୍ରକାଶ କରିବା ଉଚିତ ନୁହେଁ। ସାମାଜିକ ଗଣମାଧ୍ୟମରେ କରୋନା ସଂକ୍ରମିତଙ୍କ ତଥ୍ୟ ଅନାଧିକୃତ ପ୍ରକାଶକୁ ହାଇକୋର୍ଟ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏଭଳି ତଥ୍ୟ ଓ ଗୁଜବ ପ୍ରସାରକାରୀଙ୍କ ବିରୋଧରେ ସରକାର ନିୟମ ଅନୁସାରେ ପଦକ୍ଷେପ ନେଉଛନ୍ତି। ଏହି ନିୟମାବଳୀ ଅଧିକ କଡାକଡି କାର୍ୟ୍ୟକାରୀ ଉପରେ ସରକାର କଡା ନଜର ରଖିବା ଉଚିିତ। ଅନ୍ୟପକ୍ଷରେ କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଅଧିକ ବ୍ୟାପକ କରିବା ପାଇଁ ବ୍ୟବସ୍ଥା କରିବାକୁ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କରୋନା ଯୁଦ୍ଧରେ ପ୍ରାଣ ହରାଉଥିବା କରୋନା ଯୋଦ୍ଧାଙ୍କ ପରିଚୟ ରାଜ୍ୟ ସରକାର ବାହାରେ ପ୍ରକାଶ କରି ପାରିବେ। ରାଜ୍ୟ ସମ୍ମାନ ସହ କରୋନା ଯୋଦ୍ଧାଙ୍କ ‌ଶେଷକୃତ୍ୟ କରାଯାଉଛି। ପରିବାରକୁ ଆ‌ର୍ଥିକ କ୍ଷତିପୂରଣ ଦିଆଯାଉଛି। ଏଭଳି ସ୍ଥିତିରେ ସରକାର ତାଙ୍କ ପରିବାର ସଦସ୍ୟଙ୍କ ଅନୁମତି ନେଇ ନାମ ପ୍ରକାଶ କରିପାରିବେ।

ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନିୟମାବଳୀ ଜାରି କରିଥିଲେ ଯେ କୌଣସି ଗଣମାଧ୍ୟମ ବା ବ୍ୟକ୍ତି କରୋନା ସଂକ୍ରମିତଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରି ପାରିବେନାହିଁ। ଇଣ୍ଡିଆନ୍ କାଉନିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ମଧ୍ୟ କରୋନା ରୋଗୀଙ୍କ ପରିଚୟ ବାହାରେ ପ୍ରକାଶ ନ କରିବାକୁ କହିଥିଲା; କିନ୍ତୁ କେତେକ ରାଜ୍ୟରେ ବ୍ୟତିକ୍ରମ ଦେଖା ଦେଇଥିଲା। କରୋନା ସଂକ୍ରମିତଙ୍କ ପରିଚୟ ଓ ସବିଶେଷ ତଥ୍ୟ ସାଧାରଣରେ ପ୍ରକାଶ କରାଯିବାରୁ ସଂପୃକ୍ତ ରୋଗୀ ସାମାଜିକ ବାସନ୍ଦ ଓ ଅନ୍ୟାନ୍ୟ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଥିବାର ଦେଖା ଦେଇଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Comments are closed.