‘ସମାଜ’ର ପ୍ରୟାସ- କରୋନା ତାଲାବନ୍ଦ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁଁ ରାଜ୍ୟବାସୀ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇଥିଲେ ହେଁ ଅନ୍ୟାନ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ପ୍ରଦତ୍ତ ହ୍ବାଟ୍‌ସ ଆପ୍‌ ନମ୍ବର – ୯୭୭୬୨୨୩୦୨୪ରେ ହସ୍ତଗତ ହୋଇଥିବା ଲୋକଙ୍କ ସମସ୍ୟା ଏହି ସ୍ତମ୍ଭରେ ଉପସ୍ଥାପିତ।

ହୋଲସେଲରଙ୍କ ଗଚ୍ଛିତ ସାମଗ୍ରୀ ତନଖି ହେଉ
ପୁରୀ ଜିଲା ଅନ୍ତର୍ଗତ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ନୟାହାଟ, ଚାରିଛକ, ବଳଙ୍ଗା, ଖେଲାର, ବାମନାଳ ଓ ଗବକୁଣ୍ଡ ଆଦି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବୀ ବିକ୍ରି ହେଉଛି। ହୋଲସେଲରମାନେ ସାମଗ୍ରୀ ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ପାଉଛି। ପୁଲିସ କେବଳ ଛୋଟ ବ୍ୟବସାୟୀଙ୍କୁ ମାଡ଼ପିଟ୍‍ କରୁଥିବା ବେଳେ ବଡ଼ ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି। ହୋଲସେଲରମାନଙ୍କ ଗଚ୍ଛିତ ସାମଗ୍ରୀ ମଧ୍ୟ ତନଖି ହେଉ। ଦୁଗ୍ଧ ବ୍ୟବସାୟୀ, ରାସନ କାର୍ଡ ନଥିବା ପରିବାର, ଖବରକାଗଜ ହକର ଓ ବିଭିନ୍ନ ପ୍ରାଣୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ।
ଅକ୍ଷୟ କୁମାର ନାୟକ, ନିମାପଡ଼ା, ପୁରୀ
ମିଳିଲାନି ପିଲାଙ୍କ ମଧ୍ୟାହ୍ଣଭୋଜନ ଚାଉଳ
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବାସୁଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ଏଯାଏ କରୋନା ପାଇଁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ମିଳିଲା ନାହିଁ। ବିଦ୍ୟାଳୟଠାରୁ ଦୁଇ କିଲୋମିଟର ଦୂରରେ ଥିବା କଣ୍ଟ୍ରୋଲ ଡିଲରଙ୍କଠାରୁ ଚାଉଳ ଆଣିବାକୁ କୁହାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନଚାଉଳ ଓ ପାଠ୍ୟ ପୁସ୍ତକ ବିତରଣ କରିବା ପାଇଁ ଅଭିଭାବକମାନେ ଦାବି କରୁଛନ୍ତି।
ରବି ପଟ୍ଟନାୟକ, ନାଉଗାଁ, ଜଗତସିଂହପୁର
ବ୍ୟାଙ୍କଖାତାରୁ ଉଠାଇପାରୁନି ଅର୍ଥ
ମୁଁ ଜଣେ ଦିନ ମଜୁରିଆ। ଦୈନିକ କାମକୁ ଗଲେ ମୋ ଘର ଚଳେ। କରୋନା ତାଲାବନ୍ଦ ଯୋଗୁଁ କାମକୁ ଯାଇପାରୁନାହିଁ। ପରିବାର ଚଳାଇବା ପାଇଁ ମୋ ପାଖରେ ଆଉ ପଇସା ନାହିଁ। ବହୁତ କଷ୍ଟରେ ଦିନ କାଟୁଛି। ଗତ ଫଣି ବାତ୍ୟାରେ ମୋ ଘର ଭାଙ୍ଗିଯାଇଥିବା ବେଳେ ମୋ ବ୍ୟାଙ୍କଖାତାକୁ କ୍ଷତିପୂରଣ ଟଙ୍କା ଆସିଥିଲା। ହେଲେ ଟଙ୍କା ଆସିବାର ୧୫/୨୦ ଦିନ ପରେ ଜିଲା ପ୍ରଶାସନ ମୋ ବ୍ୟାଙ୍କ ଖାତାକୁ ହୋଲ୍‍ଡ କରିଦେଇଛନ୍ତି। ଫଳରେ ମୋ ସଞ୍ଚିତ ଅର୍ଥ ଉଠାଇ ପାରୁନି କି କୌଣସି ସରକାରୀ ଯୋଜନାର ଲାଭ ମୁଁ ପାଇପାରୁନି। ଏନେଇ ଜନ ଅଭିଯୋଗ ଶୁଣାଣିରେ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ସରକାର ଏହି ହୋଲ୍‍ଡ ଉଠାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମୁଁ ନିବେଦନ କରୁଛି।
ବୃନ୍ଦାବନ ସାହୁ, କଳିଙ୍ଗ ବିହାର, ସାକ୍ଷିଗୋପାଳ, ପୁରୀ
ବସ୍ତି ଅଞ୍ଚଳକୁ ବିଶୋଧନ କରାଯାଉ
ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ଗରିବ, ଖଟିଖିଆ, ଦିନ ମଜୁରିଆମାନେ ଅଭାବ, ଅନାଟନ ମଧ୍ୟରେ କାଳ କାଟୁଛନ୍ତି। ତାଲାବନ୍ଦ ଥିବା ପର୍ଯ୍ୟନ୍ତ ସରକାର ଏମାନଙ୍କୁ ରନ୍ଧାଖାଦ୍ୟ, ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ବାଟମାରଣା ନହେବା ପାଇଁ ପ୍ରଶାସନର ସତର୍କ ରହୁ। ଏହାବାଦ ସେମାନେ ବାସ କରୁଥିବା ବସ୍ତି ଅଞ୍ଚଳକୁ ବିଶୋଧନ କରାଯିବା ସହ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଉ।
ଡ. ପଦ୍ମଲୋଚନ ରାଉତ, କାଲିମେଳା, ମାଲକାନାଗିରି
ଅଧିକ ଲୋକଙ୍କୁ ଏକାଠି କାମ କରିବାକୁ ବାଧ୍ୟ କରାଯାଉଛି
ତାଲାବନ୍ଦ ସମୟରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି କେତେକ ହୋଲସେଲ ମେଡିସିନ୍‍ ଦୋକାନରେ ଅଧିକ କର୍ମଚାରୀଙ୍କୁ ଏକାଠି କାମ କରିବା ପାଇଁ ବାଧ୍ୟ କରାଯାଉଛି। ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ବ୍ୟବସାୟ ଚଳାଇବା ପାଇଁ ସରକାରୀ ନିୟମ ହୋଇଥିବା ବେଳେ ତାହା କରାଯାଉନାହିଁ। ଏହାଦ୍ୱାରା କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲା ପ୍ରଶାସନକୁ ଅନୁରୋଧ ହୋଲସେଲ ମେଡିସିନ ଦୋକାନଗୁଡ଼ିକୁ ସରକାରୀ ଆଇନ୍‍ ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯିବା ଉଚିତ।
ଯୁଧିଷ୍ଠିର ମହାରଣା, ସଭାପତି, ଫାର୍ମାସ୍ୟୁଟିକାଲ ଏମ୍ପ୍ଲଇଜ୍‍ ୟୁନିୟନ, କଟକ
ପୌର କର୍ମଚାରୀଙ୍କୁ ବୀମାଭୁକ୍ତ କରାଯାଉ
ଓଡ଼ିଶାର ବିଭିନ୍ନ ପୌରସଂସ୍ଥାରେ କର୍ମଚାରୀମାନେ ନିତିଦିନ ଜୀବନକୁ ବାଜିଲଗାଇ ସହରର ନାଗରିକମାନଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କର ଦିନେ ହେଲେ ଛୁଟି ମଧ୍ୟ ନାହିଁ। ଡାକ୍ତର, ନର୍ସ ଆଦି କର୍ମଚାରୀଙ୍କୁ ବୀମାଭୁକ୍ତ କରାଯିବା ମହତ ଯୋଜନା। ଅନୁରୂପ ଭାବେ ପୌର କର୍ମଚାରୀମାନଙ୍କ ମଧ୍ୟ ବୀମାଭୁକ୍ତ କରାଯାଉ। ଏ ଦିଗରେ ଗୃହ ଓ ନଗର ଉନ୍ନୟନ ବିଭାଗ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମୁଁ ନିବେଦନ କରୁଛି।
ପଦ୍ମଲୋଚନ ନାୟକ, କଟକ
ଭଡ଼ା ମାଗିଲେଣି ଘର ମାଲିକ
କରୋନା ତାଲାବନ୍ଦ ପାଇଁ ଘରୁ ବାହାରି ହେଉନାହିଁ। ରୋଜଗାର ସମ୍ପୂର୍ଣ୍ଣ ରୂପେ ବନ୍ଦ। ଖାଇବା ପାଇଁ ଖର୍ଚ୍ଚ କରିବା ବି କଷ୍ଟକର ହୋଇଛି। କଟକ ସହରରେ ଘର ଭଡ଼ା ନେଇ ରହୁଛି। ଏପରିସ୍ଥିତିରେ ଘରମାଲିକ ଏ ମାସର ଘରଭଡ଼ା ଦେବାକୁ କହିଲେଣି। ହେଲେ ମୋ ପାଖରେ ପଇସା ନାହିଁ।
ସମୀର ନାୟକ, ମହାନଦୀ ବିହାର, କଟକ

Comments are closed.