ଦେଶରେ କରୋନା ଆରୋଗ୍ୟ ହାର ୯୧.୧୫ ପ୍ରତିଶତକୁ ବୃଦ୍ଧି

ଦେଶରେ କରୋନା ଆରୋଗ୍ୟ ହାର ଶତକଡ଼ା ୯୧.୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୫୭ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭୩ ଲକ୍ଷ ୭୩ ହଜାରରେ ପହଞ୍ଚିଛି। କ୍ରମାନ୍ୱୟରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ୭.୩୫ ପ୍ରତିଶତ ରହିଛି। ଦେଶରେ ମୋଟ୍‍ ୫ ଲକ୍ଷ ୯୪ ହଜାର ସଂକ୍ରମିତ ଲୋକ ଚିକିତ୍ସାଧୀନ ଅଛନ୍ତି।

ଗତ ୨୪ ଘଣ୍ଟା ଭିତରେ ୪୮ ହଜାର ୬୪୮ ଜଣ ନୂଆ ସଂକ୍ରମିତ ଚହ୍ନଟ ହେବା ପରେ ହେବା ସହ ମୋଟ୍‍ ସଂକ୍ରମଣ ୮୦ ଲକ୍ଷ ୮୮ ହଜାରକୁ ଅତିକ୍ରମ କରିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିୟମର ସଠିକ୍‍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ ବର୍ତ୍ତମାନ କୋବିଡ ମୃତ୍ୟୁହାର ୧.୫ ପ୍ରତିଶତ ରହିଛି, ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍।

ଗତ ୨୪ ଘଣ୍ଟା ଭିତରେ ୫୬୩ ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ରିପୋର୍ଟ ଅନୁସାରେ, ଗତ ୨୪ଘଣ୍ଟା ଭିତରେ ୧୧ଲକ୍ଷ ୬୪ ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୦କୋଟି ୭୭ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Comments are closed.