କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ: ରୁଜ୍ଜୁ ହେଉଛି ମାମଲା, ଆଦାୟ ହେଉଛି ଜୋରିମାନା

ରାଜ୍ୟରେ କରୋନା କଟକଣା ଲାଗୁ କରିବା ଉଦ୍ଦେଶ୍ୟରେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାଣମୂର୍ଛା ଉଦ୍ୟମ ସତ୍ୱେ କିଛି ଆମାନିଆଙ୍କ ନିର୍ଦ୍ଦେଶାବଳୀ ଉଲଂଘନ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏ ନେଇ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮ଟି ମାମଲା ରୁଜ୍ଜୁ କରାଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି।

ମାସ୍କ ନ ପିନ୍ଧିଥିବାରୁ ସମ୍ବଲପୁରରେ ୫୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ କଟକରେ ୧୨୬ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୩୪୫ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ଗଜପତି ଜିଲ୍ଲା ପୁଲିସ ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ୨୮ ହଜାର ୨୦୦ ଟଙ୍କା ଆଦାୟ କରିଛି।

ସେହିପରି ମାସ୍କ ପିନ୍ଧି ନଥିବା ଯୋଗୁ ପାରାଖେମୁଣ୍ଡି ଆଦର୍ଶ ଥାନା ୨ ହଜାର ୪୦୦ ଟଙ୍କା, ରାୟଗଡ଼ ଥାନା ୪ ହଜାର ୭୦୦, କାଶୀନଗର ଥାନା ୨ ହଜାର ୨୦୦, ଗାରାବନ୍ଧ ଥାନା ୧ ହଜାର ୨୦୦, ଗୁରାଣ୍ଡି ଥାନା ୧ ହଜାର ୬୦୦, ସେରଙ୍ଗ ଥାନା ୪ ହଜାର, ଆର୍‍. ଉଦୟଗିରି ଥାନା ୧ ହଜାର, ଅଡ଼ବା ଥାନା ୨ ହଜାର ୩୦୦ ଏବଂ ରାମଗିରି ଥାନା ୮୦୦ ଟଙ୍କା ଆଦାୟ କରିଛି। ଲକ୍‍ ଡାଉନ୍‍ କଟକଣା ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ବାବଦକୁ ୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

Comments are closed.