କର୍ତ୍ତବ୍ୟ ଆଗରେ ହାରମାନିଛି ମାତୃତ୍ୱ

କରୋନା ମୁକାବିଲାରେ ମହିଳା ଯୋଦ୍ଧା

ଦୁଇବର୍ଷର ଶିଶୁକୁ ଛାଡ଼ି ରକ୍ତ ନମୁନା ସଂଗ୍ରହରେ ୧୫ଘଣ୍ଟା

ମାଲକାନଗିରି : ବିଶ୍ୱ ଏବେ ମହାମାରୀ କରୋନା ମୁକାବିଲା କରୁଛି। ଏଭଳି ସ୍ଥିତିରେ ମାଓପ୍ରବଣ ମାଲକାନଗିରିରେ ପୁଣି ଜଣେ ମହିଳା କରୋନା ଯୋଦ୍ଧାଙ୍କ କାହାଣୀ ପଦାକୁ ଆସିଛି। ମାତୃ ଶକ୍ତି ହିଁ କରୋନା ମୁକାବିଲାର ମଙ୍ଗ ଧରିପାରିବେ ଏହା ପ୍ରମାଣିତ କରି ଦେଖାଇଛନ୍ତି ଏହି ଜିଲାର ଜଣେ ମାଓକ୍ରୋବାଇଲୋଜିଷ୍ଟ। ମାତୃତ୍ୱକୁ ପଛରେ ପକାଇ ସେ କର୍ତ୍ତବ୍ୟପଥରେ ଆଗେଇ ଚାଲିଛନ୍ତି। ଦୁଇବର୍ଷର ଶିଶୁ ମା’କୁ ଦେଖିବା ପାଇଁ ବ୍ୟାକୁଳ ହେଉଛି, ମନ ଅଥୟ ହେଉଛି ଛୁଆକୁ ଧରି କୋଳାଇ ନେବା ପାଇଁ, ତଥାପି କର୍ତ୍ତବ୍ୟ ଆଗରେ ସେ ସବୁକିଛି ପଛରେ ପକାଇ ଦିନକୁ ୧୫ଘଣ୍ଟା ରକ୍ତ ନମୂନା ସଂଗ୍ରହ କରୁଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ମାଲକାନଗିରିର ପ୍ରିୟଦର୍ଶିନୀ ଦାସ ସେଭଳି ଜଣେ ଯୋଦ୍ଧା ସାଜି ନିଜ ଦୁଇବର୍ଷର ଛୁଆକୁ ଘରେ ଛାଡ଼ି କର୍ତ୍ତବ୍ୟ ପଥରେ ଆଗେଇ ୧୫ରୁ ୨୦ଘଣ୍ଟା କାର୍ଯ୍ୟ କରି ଆଜି ସମଗ୍ର ମହିଳା ପାଇଁ ଆଦର୍ଶ ପାଲଟିଛନ୍ତି। ମାଲକାନଗିରି ଜିଲା ସ୍ୱାସ୍ଥ୍ୟ ବିଭାଗର ମାଇକ୍ରୋ ବାୟୋଲୋଜି ଭାବେ କାର୍ଯ୍ୟ କରନ୍ତି ପ୍ରିୟଦର୍ଶନୀ ଦାସ। ଶ୍ରୀମତୀ ଦାସ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ନିମନ୍ତେ ନମୂନା ସଂଗ୍ରହର ଦାୟିତ୍ୱ ନେଇଛନ୍ତି। ଜିଲା ବାହାରୁ ଆସୁଥିବା ଓ କରୋନା ଆଶଙ୍କା ଥିବା ଲୋକଙ୍କ ନମୂନା ସଂଗ୍ରହରେ ଲାଗି ପଡିଛନ୍ତି ଶ୍ରୀମତୀ ଦାସ। ସକାଳ ୭ଟାରୁ ରାତି ଯାଏଁ ନମୂନା ସଂଗ୍ରହ ଓ ଏହି ନମୂନା ଗୁଡିକ ପ୍ୟାକେଟ କରି ଭୁବନେଶ୍ୱର ପଠାଉଛନ୍ତି। ସେଠାରୁ ଇ-ମେଲ୍‍ ଯୋଗେ ନେଗେଟିଭ୍‍ ଓ ପଜିଟିଭ୍‍ର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ଦେଉଛନ୍ତି। ଅନ୍ୟପଟେ ଘରେ ତାଙ୍କର ୨ ବର୍ଷର କଅଁଳ ଶିଶୁ। ଘରୁ ବାହାରିବା ବେଳେ କେବଳ ଛୋଟ ଛୁଆଟିର ବିକଳ ଚାହାଣୀକୁ ଚାହିଁ ସେ ଘରୁ ଗୋଡ଼ କାଢ଼ନ୍ତି। କେତେବେଳେ ଘରକୁ ଯିବାକୁ ହୁଏ ତାହା ସେ ମଧ୍ୟ ଜାଣି ନ ଥାନ୍ତି। ଛୁଆଟିର ବିକଳ ଚାହାଣୀ ତାଙ୍କୁ କର୍ତ୍ତବ୍ୟପଥରେ ଅବରୋଧ କରୁଛି ସତ, ତଥାପି ସେ ଭାଙ୍ଗିପଡ଼ିନାହାନ୍ତି। ତାଙ୍କ ଆସିବା ବାଟକୁ ଚାହିଁ ଛୁଆଟି କେତେବେଳେ କାନ୍ଦି କାନ୍ଦି ଶୋଇ ପଡ଼ୁଛି। ତାଙ୍କ ମା’ ଶିଶୁଟିର ଦେଖାଶୁଣା କରୁଥିବା କହନ୍ତି ଶ୍ରୀମତି ଦାସ। ଜିଲା ବାହାରୁ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାରୋଟି ନମୂନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ମାଥିଲି, ମୋଟୁ ଓ ମାଲକାନଗିରିର ଦୁଇଟି କେନ୍ଦ୍ର। ପୂର୍ବରୁ ସେ କ୍ଷେତ୍ର ପରିଦର୍ଶନରେ ଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ମାଲକାନଗିରିରେ ରହି ସମସ୍ତ ନମୂନା ସଂଗ୍ରହ କରିବା ଦାୟିତ୍ୱ ନେଇଛନ୍ତି। ଯାଜପୁର ଜିଲାରେ ତାଙ୍କର ଘର ହୋଇଥିବାବେଳେ ଦୁଇବର୍ଷ ପୂର୍ବେ ସେ ଦାୟିତ୍ୱ ନିଅନ୍ତି ମାଲକାନଗିରି ଜିଲାର ମାଇକ୍ରୋବାୟୋଲୋଜି ଭାବେ। ରକ୍ତ ନମୂନା ପରୀକ୍ଷା ସମୟରେ ନିଶ୍ଚିତ ଭାବେ ବିପଦ ରହିଛି। ତଥାପି ନିଜ ଜୀବନକୁ ବାଜି ଲଗାଇ ଶ୍ରୀମତୀ ଦାସଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଶ୍ରୀମତୀ ଦାସ କହନ୍ତି ‘ଆମେ ଆପଣଙ୍କ ପାଇଁ ଲଢେଇ କରୁଛୁ, ଆପଣମାନେ ମଧ୍ୟ ଆମକୁ ସହ ଯୋଗ କରନ୍ତୁ, ଆବଶ୍ୟକ ନ ପଡିଲେ ଘରୁ ବାହାରନ୍ତୁ ନାହିଁ। ମାଲକାନଗିରି ଅଞ୍ଚଳରୁ ଯାଇ ତାମିଲନାଡୁ, କେରଳ ଓ ଅନ୍ୟ ରାଜ୍ୟ ଗୁଡିକରେ କାମ କରୁଥିବା ଶ୍ରମିକ ଘରକୁ ଫେରୁଛନ୍ତି। ସେମାନେ କିଭଳି ଭାବେ ସଚେତନ ହେବେ ଏବଂ ନିଜ ନାମ ପଞ୍ଜିକରଣ କରି ସଂଗରୋଧ ଗୃହରେ ରହି ରକ୍ତ ନମୂନା ସଂଗ୍ରହ କରିବେ ସେଥିପାଇଁ ମଧ୍ୟ ସଚେତନା କରୁଥିବା ସେ ପ୍ରକାଶ କରିଛନ୍ତି।

Comments are closed.