କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ବର: ରାଜ୍ୟର ଜଣେ ୮୫ ବର୍ଷୀୟ ମହିଳା କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଏହି ମହିଳା ହେଉଛନ୍ତି ସବୁଠାରୁ ବୟସ୍କ । ସମ୍‌ କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ମହିଳା  କରୋନା ମହାମାରୀ ସହ ଲଢ଼ି ବିଜୟୀ ହେବା ଅନ୍ୟ ରୋଗୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି । ଯାଜପୁର ଜିଲାରୁ ଆସିଥିବା ଏହି ୮୫ ବର୍ଷୀୟ ବୃଦ୍ଧା ୧୨ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ମଙ୍ଗଳବାର ଡାକ୍ତରଖାନାରୁ ତାଙ୍କୁ ଡିସଚାର୍ଜ କରାଯାଇଛି।

ସମ୍ ହସ୍ପିଟାଲ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ଏହି ମହିଳାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କର ଚିକିତ୍ସା ସହଜ ନଥିଲା । ତେବେ ହସପିଟାଲର ଚିକିତ୍ସାକାରୀ ଦଳ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ବଞ୍ଚାଇ ପାରିଛନ୍ତି । ମଙ୍ଗଳବାର ଦିନ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୪ ଜଣ କରୋନା ରୋଗୀଙ୍କୁ ସୁସ୍ଥ ଅବସ୍ଥାରେ ଡିସଚାର୍ଜ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ୩ ବର୍ଷ ବୟସର ଶିଶୁ । ଏମାନେ ସମସ୍ତେ ଯାଜପୁର ଜିଲାର ବୋଲି ଜଣାପଡ଼ିଛି । କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷୀୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ହେବା ସମୟରେ ସେ ମଧୁମେହରେ ଆକ୍ରାନ୍ତ ଥିବା ଜାଣିଥିଲେ।

Comments are closed.