ମହାମାରୀ ସମୟରେ ଆର୍ଥିକ ନୀତି

ପୁଞ୍ଜିପତିଙ୍କ ସ୍ବାର୍ଥରକ୍ଷାକୁ ଗୁରୁତ୍ବ ଦିଆଯାଇ ଆର୍ଥିକ ନୀତି ପ୍ରଣୟନ ଦ୍ବାରା ଦେଶ ବହୁ କ୍ଷତି ସହିବାକୁ ବାଧ୍ୟ ହେଉଛି

ଏପ୍ରିଲ ୧୩ରେ ରାଇସିନା ସଂଳାପରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୋଭିଡ -୧୯ ମହାମାରୀ ଏକ ବିଶ୍ୱ ବ୍ୟବସ୍ଥାକୁ ନୂତନ ରୂପ ଦେବା ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତ ଏହାର ୧୩୦ କୋଟି ନାଗରିକଙ୍କୁ ମହାମାରୀରୁ ରକ୍ଷା କରିବାକୁ ଉଦ୍ୟମ କରିଥିଲା ଏବଂ ସେହି ସମୟରେ ଅନ୍ୟ ଦେଶମାନଙ୍କୁ ମହାମାରୀ ଲଢେଇରେ ସମର୍ଥନ କରିବାକୁ ଚେଷ୍ଟା କରିଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ ଏହି ମହାମାରୀ ସମୟରେ, ଆମେ ଅତ୍ୟନ୍ତ ନମ୍ର ଭାବରେ, ଆମର ସୀମିତ ସମ୍ବଳ ମଧ୍ୟରେ ଫମ୍ପା ପ୍ରତିଶ୍ରୁତି ନଦେଇ ଯାହା କରିବା କଥା ତାହା କରିବାକୁ ଚେଷ୍ଟା କରିଛୁ। କରୋନା ମହାମାରୀଜନିତ ସଙ୍କଟରୁ ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସାମୂହିକ ପ୍ରୟାସ ଲୋଡ଼ା ଏବଂ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ତାହାର କିଛିଦିନ ପରେ, ଏପ୍ରିଲ୍ ୨୦ରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶକୁ ଉଦ୍‌ବୋଧନ ଦେଇଛନ୍ତି; କିନ୍ତୁ ଦେଶବାସୀ ତାଙ୍କ ଉଦ୍‌ବୋଧନରୁ ସେମାନେ ଖୋଜୁଥିବା ପ୍ରଶ୍ନର ଉତ୍ତର ପାଉନାହାନ୍ତି। ମହାମାରୀ ପୂର୍ବରୁ ଏବଂ ପରେ କ’ଣସବୁ ଠିକ୍‌ ପଦକ୍ଷେପ ନିଆଯାଇଛି? ଆମ ଅର୍ଥନୀତି କାହିଁକି ଅଧିକ କ୍ଷତିଗ୍ରସ୍ତ? ବିଶ୍ୱରେ ମହାମାରୀ ପ୍ରଭାବରେ ଭାରତ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଦେଶ କାହିଁକି ହୋଇଛି? ଏସବୁର ଉତ୍ତର ଖୋଜାଯିବା ଜରୁରୀ।
ଏପ୍ରିଲ ୨୨ ସୁଦ୍ଧା ଦୈନିକ କରୋନା ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ରହିବାର ଅପକୀର୍ତ୍ତି ହାସଲ କରିଛି। ମୋଟ ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ଆମେରିକା ପରେ ଦ୍ବିତୀୟ ଏବଂ ମୋଟ ମୃତ୍ୟୁ ଦୃଷ୍ଟିରୁ ବିଶ୍ୱରେ ଆମେରିକା, ବ୍ରାଜିଲ୍, ମେକ୍ସିକୋ ପରେ ଚତୁର୍ଥ ସ୍ଥାନରେ ରହିଛି। ଲଜ୍ଜାର କଥା ଯେ କରୋନା ହେତୁ ମୃତକଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବାକୁ ବସିଥିବାବେଳେ ନିଜ ତ୍ରୁଟିବିଚ୍ୟୁତିକୁ ସ୍ୱୀକାର କରିବା ପରିବର୍ତ୍ତେ ସରକାର ଭାରତରେ କମ୍‌ ମୃତ୍ୟୁ ହାର ବୋଲି ବାହାବା ନେଉଛନ୍ତି। ଏବେ ସୁଦ୍ଧା ସଂକ୍ରମିତ ବା ମୃତକଙ୍କ ପରିବାରର ସଦସ୍ୟଙ୍କ ମାନସିକ ଯନ୍ତ୍ରଣା, ଆର୍ଥିକ ସଙ୍କଟ ଏବଂ ଦୁଃସ୍ଥିତି ବିଷୟରେ ସରକାରୀ ସ୍ତରରେ ନିଆଯାଇଥିବା ବା ନିଆଯାଉଥିବା ପଦକ୍ଷେପକୁ ଯଥେଷ୍ଟ ବୋଲି କହିହେଉ ନାହିଁ।
ମହାମାରୀର ଦ୍ୱିତୀୟ ତରଙ୍ଗକୁ କ’ଣ ରୋକିବା ପାଇଁ ବା ଏହାର ସମ୍ମୁଖୀନ ହେବା ପାଇଁ ସରକାର ପ୍ରସ୍ତୁତ ଥିଲେ କି? ଆମ ସ୍ୱାସ୍ଥ୍ୟକ୍ଷେତ୍ରକୁ ମଜଭୁତ କରିବା ପାଇଁ କ’ଣସବୁ ପ୍ରଚେଷ୍ଟା କରାଯାଇଛି? ବାସ୍ତବରେ କ୍ଷମତାକୁ ଅଧିକ ନିରଙ୍କୁଶ କରିବା ପାଇଁ କ୍ଷମତାଶାଳୀମାନେ ଅଧିକ ଚେଷ୍ଟା କରିଆସିଛନ୍ତି। ଏହା ହୋଇନଥିଲେ ନିର୍ବାଚନ ପ୍ରଚାର ବନ୍ଦ ହୋଇଥାନ୍ତା ଏବଂ ଶାସକ ଶ୍ରେଣୀ ବାରମ୍ୱାର ଏପରି ଉଗ୍ର ପ୍ରଚାରରେ ଲିପ୍ତ ହୋଇନଥାନ୍ତେ; ହିଂସା ଦେଖିବାକୁ ମିଳିନଥାନ୍ତା ଏବଂ କୁମ୍ଭମେଳା ପରି ବୃହତ୍‌ ଜନସମାଗମକୁ ଅନୁମତି ଦିଆଯାଇନଥାନ୍ତା। ଭାରତ ଆଜି ବିଶ୍ୱ ଗଣତନ୍ତ୍ର ସୂଚକାଙ୍କରେ ନିମ୍ନମୁଖୀ ହେବା ସହିତ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ଭାବେ ଅଭିହିତ ହେଲାବେଳେ ସ୍ୱିଡେନ ସ୍ଥିତ ଭି-ଡେମ ଇନଷ୍ଟିଚ୍ୟୁଟ ତା’ର ରିପୋର୍ଟରେ ଏକ ନିର୍ବାଚିତ ନିରଙ୍କୁଶ ରାଜତ୍ୱ ଚାଲିଛି ବୋଲି କହିନଥାନ୍ତା!
ପୂର୍ବରୁ ବିଶ୍ୱରେ ଏପରି ମହାମାରୀ ଦେଖାଦେଇଛି; କିନ୍ତୁ ଭାରତ ସବୁଥର ଏପରି ପ୍ରଭାବିତ ହୋଇନଥିଲା। ୨୦୦୭-୦୯ର ବିଶ୍ୱ ଆର୍ଥିକ ସଙ୍କଟବେଳେ ବିଶ୍ୱ ଅର୍ଥନୀତି, ଆମେରିକା ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲାବେଳେ ଭାରତ ସେପରି ପ୍ରଭାବିତ ହୋଇନଥିଲା। ବର୍ତ୍ତମାନ ଭାରତ ଅଧିକ କ୍ଷତିଗ୍ରସ୍ତ ହେବାର କାରଣ ହେଲା, ରାଷ୍ଟ୍ର ତାର ପୂର୍ବ ବଣ୍ଟନ ନ୍ୟାୟ (ପ୍ରି-ଡିଷ୍ଟ୍ରିବ୍ୟୁଟିଭ୍‌ ଜଷ୍ଟିସ୍) ଏବଂ ବଣ୍ଟନକାରୀ ନ୍ୟାୟ (ଡିଷ୍ଟ୍ରିବ୍ୟୁଟିଭ୍ ଜଷ୍ଟିସ୍) ପ୍ରଦାନ କାର୍ଯ୍ୟ ଠିକ ଭାବରେ କରିନାହିଁ। ପୂର୍ବ-ବଣ୍ଟନ ନୀତି ସହିତ ସରକାର ନିଶ୍ଚିତ କରନ୍ତି ଯେ ଲୋକମାନେ ମୌଳିକ ଜନସେବା ଏବଂ ଉତ୍ତମ କର୍ମସଂସ୍ଥାନ ପାଇପାରିବେ। ଲୋକଙ୍କ ସମସ୍ୟା ସମାଧାନ ହେଉଥିବ। ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧି ନିୟନ୍ତ୍ରିତ ହେଉଥିବ ଏବଂ ଆୟର ଅସମାନତା ବ୍ୟାପକ ହେଉନଥିବ। ବଣ୍ଟନକାରୀ ନ୍ୟାୟ ନୀତିରେ ଧନୀ, ପୁଞ୍ଜିପତି ବଡ ଶିଳ୍ପପତିଙ୍କ ଅଧିକ ଟିକସ ବା ସମ୍ବଳ ସଂଗ୍ରହ କରି ନିଯୁକ୍ତି ସୃଷ୍ଟି କରିବା, ସାମାଜିକ ଭିତ୍ତିଭୂମି, କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ କରି ସାଧାରଣ ଜନତାଙ୍କ ନିମ୍ନମୁଖୀ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବା ଓ ଆର୍ଥିକ ବୈଷମ୍ୟ ପ୍ରତିହତ କରିବା ଆଦି ଅନ୍ତର୍ଭୁକ୍ତ। ଆମ ଦେଶରେ ମୁକ୍ତ ବଜାର ଅର୍ଥନୀତି କାର୍ଯ୍ୟକାରୀ ହେବାପରେ ରାଷ୍ଟ୍ର ତାର ଏସବୁ ଦାୟିତ୍ବରୁ ଓହରି ଆସିଛି; କିନ୍ତୁ ଗତ ୪ ରୁ ୫ ବର୍ଷ ହେବ ଏହି ଓହରିବା ପ୍ରକ୍ରିୟା ଆହୁରି ତ୍ବରାନିତ ହୋଇଛି। ରାଷ୍ଟ୍ର ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ ନ କଲାବେଳେ, ଧନିକ ଶ୍ରେଣୀ, କର୍ପୋରେଟ, ନିବେଶକଙ୍କ ସ୍ବାର୍ଥପାଇଁ ହସ୍ତକ୍ଷେପ କରୁଛି।
କୌଣସି ମହାମାରୀ ବା ପ୍ରାକୃତିକ ବା ଆର୍ଥିକ ବିପର୍ଯ୍ୟୟ ସମୟରେ ରାଷ୍ଟ୍ରର ଭୂମିକା ସର୍ବାଧିକ ଗୁରୁତ୍ୱ ବହନ କରିଥାଏ। କାରଣ ଏହି ସମୟରେ ଦୁର୍ବଳ ଶ୍ରେଣୀର ଲୋକ ବେଶୀ କ୍ଷତିଗ୍ରସ୍ତ ହୋଇଥାନ୍ତି ଏବଂ ସେସବୁ ବିପର୍ଯ୍ୟୟ ସମ୍ମୁଖୀନ ହେବାକୁ ଆବଶ୍ୟକ ଅର୍ଥ ବା ସମ୍ବଳ ନଥାଏ। ଉଦାହରଣ ସ୍ୱରୂପ କରୋନା ମହାମାରୀବେଳେ ଧନିକ ଶ୍ରେଣୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରୁଥିଲାବେଳେ ଗରିବ ଶ୍ରେଣୀଙ୍କ ପାଇଁ ଏହା ଅସମ୍ଭବ। ମହାମାରୀ ସମୟରେ ସରକାର ଦୁର୍ବଳ ଶ୍ରେଣୀ ଲୋକଙ୍କ ହାତକୁ ଅର୍ଥ ହସ୍ତାନ୍ତର କରିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସେବା ବିନା ମୂଲ୍ୟରେ କିମ୍ବା ସୁଲଭ ମୂଲ୍ୟରେ ଲୋକଙ୍କୁ ଯୋଗାଇବେ; କିନ୍ତୁ ତାହା ହୋଇପାରୁ ନାହିଁ। ମହାମାରୀ ପ୍ୟାକେଜ ବାବଦରେ ସରକାର ୨୭ ଲକ୍ଷ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି ବୋଲି କହୁଥିଲାବେଳେ, ବାସ୍ତବରେ ଟଙ୍କା ଦୃଷ୍ଟିରୁ ଏହା ୨ ଲକ୍ଷ କୋଟି ଟଙ୍କା ହେବ। ବିଶ୍ୱରେ ହାରାହାରି ଉନ୍ନତ ଦେଶ ଜିଡିପିର ୧୦ ରୁ ୧୫% ବ୍ୟୟ କରିଥିଲାବେଳେ ଭାରତ ମାତ୍ର ୧ରୁ ୨% ବ୍ୟୟ କରିଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ମହାମାରୀ ବିଶ୍ୱବ୍ୟବସ୍ଥାକୁ ନୂତନ ରୂପ ଦେବାପାଇଁ ଆହ୍ୱାନ ଦେଲାବେଳେ, ସରକାର ଯେଉଁ ନୀତି ଆପଣାଇଛନ୍ତି ତାହା ମୁଖ୍ୟତଃ ଧନିକ ଶ୍ରେଣୀ, ବଡ଼ବଡ଼ କମ୍ପାନୀ ଏବଂ ପୁଞ୍ଜି ନିବେଶକ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ସରକାର କଂପାନୀମାନଙ୍କ ଏବଂ ନିଜର ସୁଧ ବାବଦ ଦେୟ ହ୍ରାସ ପାଇଁ ସୁଧହାର (ରେପୋ ରେଟ) ବିଭିନ୍ନ ପର୍ଯ୍ୟାୟରେ ୧.୧୫ % ହ୍ରାସ କରିଛନ୍ତି। ସଂଚୟକାରୀ ଏବଂ ସଂଚୟ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକ ଆଜି ବିଯୁକ୍ତାତ୍ମକ ବାସ୍ତବ ସୁଧ (ନାମାଙ୍କନ ସୁଧହାର – ମୁଦ୍ରାସ୍ଫୀତି) ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି। ପୁନଶ୍ଚ ସରକାର ସଞ୍ଚୟଜନିତ ଟିକସ ଆୟକର ରିଆତି ସୀମା ବହୁବର୍ଷ ବୃଦ୍ଧି ନକରିବା ସହିତ ସଞ୍ଚୟର ପରିପକ୍ୱତା ମୂଲ୍ୟ ଉପରେ ଟିକସ ନେଉଥିବାରୁ ସଞ୍ଚୟ ଭଳି ପୁଣ୍ୟ କାର୍ଯ୍ୟକୁ ପାପ ବୋଲି ଅନେକ ମଣୁଛନ୍ତି। ଏହାକୁ ଆର୍ଥିକ ଦମନ କୁହାଯାଏ।
କରୋନା ମହାମାରୀ ସମୟରେ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ ହେଉଛି ବିଭିନ୍ନ ସେବା ଲୋକଙ୍କୁ ସହଜରେ ଉପଲବ୍ଧ କରାଇବା। ଏଥିପାଇଁ ସରକାରୀ ସଂସ୍ଥାକୁ ଅଧିକ ଶକ୍ତିଶାଳୀ କରିବା; କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାର ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ଏହାର ଘରୋଇକରଣ ଏବଂ ରାଷ୍ଟ୍ରର ସମ୍ପତ୍ତି ବିକ୍ରି କରି ସମ୍ବଳ ସଂଗ୍ରହ କରୁଛନ୍ତି। ବେଶୀ ଆଶ୍ଚର୍ଯ୍ୟର ବିଷୟ ହେଉଛି ବ୍ୟାଙ୍କ ଶିଳ୍ପର ଘରୋଇକରଣ; କିନ୍ତୁ ଏହାଦ୍ୱାରା ବ୍ୟକ୍ତିଗତ ଲୋକଙ୍କ ହାତକୁ ରାଷ୍ଟ୍ରର ସମ୍ପତ୍ତି ଏବଂ କ୍ଷମତା ଚାଲିଯାଉଛି। ଆମେ ଜାଣିଛୁ ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇକରଣ ହେବା ଯୋଗୁଁ କିପରି ଏହା ଅଧିକାଂଶଙ୍କ ପାଇଁ ଅପହଞ୍ଚ ହୋଇଛି ଏବଂ ସ୍ୱାସ୍ଥ୍ୟ ବ୍ୟୟ ଭରଣା ପାଇଁ ହାତରୁ ଖର୍ଚ୍ଚ କରି କୋଟିକୋଟି ଲୋକ ଦାରିଦ୍ର୍ୟର ଗହ୍ୱରକୁ ଠେଲିହୋଇ ଯାଇଛନ୍ତି। ଘରୋଇକରଣ ଆହୁରି ବ୍ୟାପକ କରିବା ଅର୍ଥ ସାଧାରଣ ଜନତାଙ୍କ ସ୍ୱାର୍ଥହାନି ପାଇଁ ରାସ୍ତା ପରିଷ୍କାର କରିଦେବା।
ସାଧାରଣତଃ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରଭାବ ସବୁ କ୍ଷେତ୍ରକୁ ପ୍ରଭାବିତ କରିଥାଏ; କିନ୍ତୁ ଯେତେବେଳେ ଲୋକଙ୍କର ଆୟ ହ୍ରାସ ପାଉଛି, ସେତେବେଳେ ଧନିକଙ୍କଠାରୁ ଅଧିକ ଟିକସ ଆଦାୟ ନକରି ସରକାର ପେଟ୍ରୋଲ, ଡିଜେଲ ଉପରେ ଟିକସ ବୃଦ୍ଧି କରି ସମ୍ବଳ ସଂଗ୍ରହ କରିବାର ଯେଉଁ ପଥ ଅବଲମ୍ବନ କରୁଛନ୍ତି ତାହା ଲୋକଙ୍କ ଜୀବନଧାରଣର ମାନକୁ ନିମ୍ନଗାମୀ କରିଛି। ଦରଦାମ, ମୁଦ୍ରାସ୍ଫୀତି ବୃଦ୍ଧି ସାଙ୍ଗକୁ ଏହା ଲୋକଙ୍କର କ୍ରୟଶକ୍ତି ହ୍ରାସ କରି ସାମଗ୍ରିକ ଚାହିଦା ଉପରେ କୁପ୍ରଭାବ ପକାଉଛି। ତୈଳ ଉପରେ ପୃଥିବୀରେ ସର୍ବାଧିକ ଟିକସ ଭାରତୀୟମାନେ ଦେଉଛନ୍ତି।
ସୀମିତ ସମ୍ବଳ କଥା କୁହାଯାଉଛି; କିନ୍ତୁ ଭାରତ ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଏବଂ ଏକ ମହାଶକ୍ତି ବୋଲି ଆମେ ଗର୍ବ କଲାବେଳେ ଆମର ସମ୍ବଳ କାହିଁକି ସୀମିତ? ବାସ୍ତବରେ, ଧନୀମାନେ ଅନ୍ୟମାନଙ୍କ ତୁଳନାରେ କମ୍ ଟିକସ ଦିଅନ୍ତି କାରଣ ଆମର ସର୍ବାଧିକ ଆୟକର ସ୍ଲାବ୍ ମାତ୍ର ୩୦% ଅଟେ, ଯାହା ଟିକସଯୋଗ୍ୟ ଆୟ ବୃଦ୍ଧି ସହିତ ବୃଦ୍ଧି ହେବା ଉଚିତ୍। ଆମ ଦେଶରେ ସମ୍ପଦ ଟିକସ ନାହିଁ କିମ୍ବା ଉତ୍ତରାଧିକାର ଟିକସ ନାହିଁ ଏବଂ ଶିଳ୍ପ ଟିକସ ହାର ଦୁନିଆର ସର୍ବନିମ୍ନ ଅଟେ। ଅଧିକ ହାରରେ ଧନୀ, ଶିଳ୍ପପତି, ପୁଞ୍ଜିପତିଙ୍କଠାରୁ ଟିକସ ଆଦାୟ ନକରିବା ଏବଂ ଟିକସ ଛାଡକୁ ରୋକିବାରେ ବିଫଳ ହେବା ଅର୍ଥ ହେଉଛି ଆମେ ସେମାନଙ୍କୁ ଅଧିକ ରିଆତି ଦେବା। ବିଶ୍ୱରେ ଏହି ପ୍ରକାର ନୀତି ଧନିକ ଶ୍ରେଣୀଙ୍କ ଚାପରେ ଅନୁସରଣ କରାଯାଉଛି। ଆମ ଦେଶରେ ଏହା ଅଧିକ; ଫଳରେ ଏଠାରେ ଟିକସ-ଜିଡିପି ଅନୁପାତ ବିଶ୍ବରେ ସର୍ବନିମ୍ନ।
ଯେତେବେଳେ କରୋନା ମହାମାରୀ ସଙ୍କଟ ହେତୁ ଲୋକମାନେ ଜୀବନଜୀବିକା ହରାଉଛନ୍ତି, ସେତେବେଳେ ଧନକୁବେରଙ୍କ ସଂଖ୍ୟା ଏବଂ ସେମାନଙ୍କ ସମ୍ପଦ ଅହେତୁକ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ରେ ପ୍ରକାଶିତ ଫୋର୍ବସର ୩୫ତମ ବାର୍ଷିକ ତାଲିକା ଅନୁଯାୟୀ, ଭାରତୀୟ ଧନକୁବେରଙ୍କ ସଂଖ୍ୟା ଗତବର୍ଷ ୧୦୨ ଥିଲାବେଳେ ତାହା ୧୪୦କୁ ବୃଦ୍ଧି ପାଇଛି। ସେମାନଙ୍କର ମିଳିତ ସମ୍ପଦ ପ୍ରାୟ ଦ୍ୱିଗୁଣିତ ହୋଇ ପ୍ରାୟ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କେବଳ ତିନି ଧନୀ ଭାରତୀୟ ଗୋଟିଏ ବର୍ଷରେ ପ୍ରାୟ ୭୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପଦ ଠୁଳ କରିଛନ୍ତି। ଏଣୁ ଟିକସଫାଙ୍କି ରୋକିବା ସହିତ ଆୟ ଅନୁସାରେ ଆୟକର ହାର ଏବଂ କର୍ପୋରେଟ ଟିକସ ହାର ବୃଦ୍ଧି କରିବା ଉଚିତ। ସେହିପରି ସମ୍ପଦ ଟିକସ ପୁନଃ ପ୍ରଚଳନ କରାଯାଇ ତାହା ମାଧ୍ୟମରେ ଅଧିକ ସମ୍ବଳ ସଂଗ୍ରହ କରିବା ଆବଶ୍ୟକ। ଏସବୁ ଅର୍ଥକୁ ମହାମାରୀ ପରି ବିପର୍ଯ୍ୟୟ ଓ ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ପାଇଁ ବ୍ୟୟ କରିବା ବିଧେୟ।

ସନ୍ତୋଷ କୁମାର ମହାପାତ୍ର

ମୋ :୯୪୩୭୨୦୮୭୬୨, skmohapatra67@gmail.com

Comments are closed.