ପରିବେଶ ପାଇଁ କରୋନା ସାଜିଛି ବରଦାନ : ଭୁବନେଶ୍ବର ସମେତ ୫ ପ୍ରମୁଖ ସହର ନିର୍ମଳ

ଭୁବନେଶ୍ବର : କରୋନା ମହାମାରୀ ମାନବସମାଜ ପାଇଁ ମହାକାଳ ସାଜିଥିବା ବେଳେ ପରିବେଶ ପାଇଁ ଏକ ପ୍ରକାର ବରଦାନ ସାଜିଛି। ବିଗତ କିଛିବର୍ଷ ଭିତରେ ରାଜ୍ୟର ଭୁବନେଶ୍ବର ଭଳି ଅନ୍ୟାନ୍ୟ ପ୍ରମୁଖ ସହରରେ ପରିବେଶରେ ଯେଉଁ ପରିବର୍ତ୍ତନ ଦେଖା ଦେଇ ନଥିଲା ତାହା ଆଜି ସମ୍ଭବ ହୋଇପାରିଛି। କରୋନା ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ପରିବେଶର ଉତ୍ତମ ସ୍ଥିତି ପାଇଁ ପ୍ରଦୂଷଣ ବୋର୍ଡ ଆଶ୍ବସ୍ତ ରହିଥିବା ଜଣାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସି)ର ମାନଙ୍କ ଅନୁସାରେ ମାର୍ଚ୍ଚ ୨୨ରେ ଲକଡାଉନ ଲାଗୁ ହେବାର ପୂର୍ବଦିନ ଭୁବନେଶ୍ବରରେ ବାୟୁମଣ୍ଡଳୀୟ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ କରାଯାଇଥିବାବେଳେ ଏବେ ଏହି ପରିମାଣ ୪୫ପିଏମ-୧୦ ଭିତରେ ରହିଛି। ସେହିପରି ପ୍ରମୁଖ ସହର ମଧ୍ୟରେ ବ୍ରହ୍ମପୁରରେ ୪୮ ପିଏମ୍-୧୦ରୁ ଖସି ୩୩ରେ ରହିଥିବାବେଳେ ପୁରୀରେ ୮୭ରୁ ଖସି ୩୬ରେ, କୋଣାର୍କରେ ୬୯ରୁ ଖସି ୩୪ ଏବଂ ସମ୍ବଲପୁରରେ ୧୦୯ରୁ ଖସି ମାତ୍ର ୫୦ ପିଏମ୍-୧୦ରେ ରହିଛି। ଏହି ପ୍ରମୁଖ ସହର ଗୁଡିକରେ ପ୍ରଦୂଷଣସ୍ତର ୫୦ ଭିତରେ ରହିଛି। ଯାହାକି ଦୀର୍ଘବର୍ଷର ରେକର୍ଡ ଭାଙ୍ଗିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ଏହାବାଦ୍ ଖଣିଜ ଜିଲା ଝାରସୁଗୁଡାରେ ୧୧୦ ପିଏମ୍-୧୦ରୁ ଖସି ୬୫ରେ ରହିଥିବାବେଳେ କଳିଙ୍ଗନଗରରେ ୧୨୨ରୁ ଖସି ୮୧, କେନ୍ଦୁଝରରେ ୧୦୦ରୁ ୫୩, ରାଉରକେଲାରେ ୧୦୭ରୁ ଖସି ୫୧ ଏବଂ ରାଜଗାଙ୍ଗପୁରରେ ୮୫ରୁ ଖସି ୬୨ ପିଏମ୍-୧୦ ମଧ୍ୟରେ ରହିଛି। ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଓ କୋଣାର୍କ ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ପରିମାଣ କମ୍ ରହିଛି, ଯାହାଫଳରେ ବାୟୁସ୍ତର ନିର୍ମଳ ରହିଛି। ତେବେ ପ୍ରଦୂଷଣସ୍ତରରେ ଏଭଳି ଏକ ପରିସ୍ଥିତି ସମ୍ଭବ ହୋଇଛି କେବଳ କରୋନା ମହାମାରୀ କାରଣରୁ। ଲକଡାଉନ ସମୟରେ ଲକ୍ଷାଧିକ ସଂଖ୍ୟାର ଯାନବାହନ ଚଳାଚଳ ଓ ଧୂଆଁ ନିର୍ଗତକାରୀ କଳକାରଖାନା ବନ୍ଦ ରହିବା ଯୋଗୁଁ ବାୟୁମଣ୍ଡଳରେ ଘୋଟି ଯାଇଥିବା କଳାବାଦଲ ଉପରୁ ଆସ୍ତରଣ ହଟିଛି। ଆଜିର ଏହି ପରିସ୍ଥିତି ମାନବ ଜାତି ପାଇଁ ଆହ୍ବାନ ପାଲଟିଥିଲେ ହେଁ ଜୀବଜଗତ ପାଇଁ ବରଦାନ ସାଜିଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି। ଏସମ୍ପର୍କରେ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିବା କଥା ହେଲା ରାଜ୍ୟର ପ୍ରମୁଖ ୫ଟି ସହରରେ ପରିବେଶରେ ଯେଉଁ ପୂର୍ବାପେକ୍ଷା ତାରତମ୍ୟ ଆସିଛି ତାହା କେବଳ ଲକ୍‌ଡାଉନ୍‌ ପ୍ରଭାବ ଯୋଗୁଁ। ରାଜ୍ୟରେ ଗାଡିମୋଟର ଯାତାୟାତ ନହେବା ଏବଂ କଳକାରଖାନା ବନ୍ଦ ରହିବା ଯୋଗୁଁ ପରିବେଶ ନିର୍ମଳ ରହିଛି।

Comments are closed.