ସ୍କୁଲ ବନ୍ଦ; କ୍ଷେତରେ ଧାନ ସଂଗ୍ରହ କରୁଛନ୍ତି ଛାତ୍ରଛାତ୍ରୀ

ଖଡିଆଳ : ମହାମାରୀ କରୋନା ବିପତ୍ତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ବିଦ୍ୟାଳୟର ଛାତ୍ରାଛାତ୍ରୀ। ଗତ ମାର୍ଚ୍ଚ ମାସରୁ ସେମାନଙ୍କ ବିଦ୍ୟାଳୟ ବନ୍ଦ କାରଣରୁ ପାଠ ପଢାରେ ଡୋରୀ ବନ୍ଧା ହୋଇଛି। ସଂକ୍ରମଣ ଭୟରେ ସରକାର ସ୍କୁଲ ଖୋଲୁନାହାନ୍ତି। ଧନୀ ଶ୍ରେଣୀର ଲୋକେ ସେମାନଙ୍କ ପିଲାଛୁଆକୁ ଟ୍ୟୁସନ ବ୍ୟବସ୍ଥା କରିବା ସହ ଅନଲାଇନ କ୍ଲାସ ପାଇଁ ଆଣ୍ଡ୍ରୋଏଡ ମୋବାଇଲ ଯୋଗାଇ ଦେଇଛନ୍ତି। ହେଲେ ଗରିବ ଲୋକଙ୍କ ପାଇଁ ଏସବୁ ସପନ ପାଲଟିଛି। ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ। ସେମାନେ ବର୍ତ୍ତମାନ ଖେଳକୁଦ କିମ୍ବା ଅନ୍ୟାନ୍ୟ କାମ କରି ସମୟ ବିତାଉଛନ୍ତି। ବିଦ୍ୟାଳୟ ବନ୍ଦ ଏବଂ ଶିକ୍ଷକ ଆସୁନଥିବାରୁ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ଲଗାମଛଡା ହୋଇଯାଇଛନ୍ତି। ସେମାନଙ୍କୁ ଆକଟ କରିବାକୁ କେହି ନାହାନ୍ତି। ବାପାମାଁ କିଛିକାଂଶରେ ଆକଟ କରୁଥିଲେ ମଧ୍ୟ ସେମାନଙ୍କୁ ଚକମା ଦେଇ ଲୁଚି ଖେଳିବାକୁ ଚାଳି ଯାଉଛନ୍ତି। ଏପରି ଦୃଶ୍ୟ ନୂଆପଡା ଜିଲା ସହ ଖଡିଆଳ ଅଞ୍ଚଳରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ବର୍ତ୍ତମାନ ଧାନ କଟା ଋତୁ ଆରମ୍ଭ ହୋଇଯାଇଥିବାରୁ କେତେକ ଛାତ୍ରଛାତ୍ରୀ ସେମାନଙ୍କ ସମୟରୁ ବର୍ତ୍ତିବା ପାଇଁ ଧାନ କ୍ଷେତକୁ ଯାଇ ଧାନ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ପୁଣି କେତେକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଖେଳରେ ମାତିଛନ୍ତି। ଦେଖିବାକୁ ଗଲେ ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀ ଯାହା ପାଠ ପଢିଥିଲେ ବା ମନେ ରଖିଥିଲେ, ସେସବୁକୁ ଏବେ ସେମାନେ ଭୁଲି ଗଲେଣି। ମହାମାରୀ କରୋନା ବିପତ୍ତି କେବେ ସରିବ ଏବଂ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ପାଠ ପଢିବେ, ତାହା ଦେଖିବାକୁ ବାକି ରହିଲା।

Comments are closed.