କୋଭିଡ୍‌ ମାଡରେ କୃଷି ବଜେଟ୍‌ କମିଲା ୧୯୪୦ କୋଟି

ଭୁବନେଶ୍ୱର :  କୋଭିଡ଼ର ଛିଟା ରାଜ୍ୟ ସରକାରଙ୍କ ୨୦୨୧-୨୨ ଆର୍ଥିକ ବର୍ଷ କୃଷି ବଜେଟରେ ପଡିଛି। କୃଷି ବଜେଟରେ ଆର୍ଥିକ ମାନ୍ଦାବସ୍ଥାର ପ୍ରତିଫଳନ ହୋଇଛି। ଏଥିଯୋଗୁଁ କୃଷ‌ି ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୯୪୦ କୋଟି ଟଙ୍କା କମିଛି। ରାଜ୍ୟ ସରକାର ୨୦୨୦-୨୧ ବର୍ଷ ଲାଗି ୧୯ ହଜାର ୪୦୮କୋଟି ଟଙ୍କାର କୃଷି ବଜେଟ ଆଣିଥିବାବେଳେ ଚଳିତବର୍ଷ ୧୭ ହଜାର ୪୬୮କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ୧୩୦୬କୋଟି ଟଙ୍କା କମିଥିବାବେଳେ ଏଥର ବଜେଟରେ ୧୯୪୦ କୋଟି ଟଙ୍କା କମିଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲଗାତାର ଭାବେ ଦୁଇଟି ଆର୍ଥିକ ବର୍ଷରେ କୃଷି ବଜେଟ କମି ଚାଲିଛି। ଏହାସତ୍ତ୍ବେ ଆଗାମୀ ଆର୍ଥିକ ବର୍ଷରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ୫-ଟି ମନ୍ତ୍ର ଓ ମୋ-ସରକାର ଅଭିଯାନକୁ ନେଇ କୃଷକଙ୍କ ଆୟ ବୃଦ୍ଧି କରିବା ସହିତ ପୋଷଣୀୟ ଏବଂ ଅଭିବୃଦ୍ଧି ଭିତ୍ତିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର ମନ୍ଥର ଗତିରେ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କୃଷିବଜେଟ-୨୦୨୧-୨୨ ଆଜି ଗୃହରେ ଉପସ୍ଥାପନ କରି କହିଛନ୍ତି।
ସୋମବାର ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷି ବଜେଟ ଉପସ୍ଥାପନ କରି ଦର୍ଶାଇଥିଲେ ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ୭୧୬୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ମାତ୍ର ଚଳିତବର୍ଷ ଏହାର ଆକାର ୧୭ହଜାର ୪୬୮କୋଟି ଟଙ୍କାରେ ପହଞ୍ଚିଛି। କୃଷିକ୍ଷେତ୍ର ଓ କୃଷକଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଏବଂ ସେମାନଙ୍କ ଆୟ ଦ୍ବିଗୁଣ କରିବା ଲକ୍ଷ୍ୟ ନେଇ ଜଳସେଚନ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଓମବାଡସି ପାଣ୍ଠି ଓ ଜିଲା ଖଣିଜ ପାଣ୍ଠିର ବିନିଯୋଗ କରି ଅଧିକ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜଳବିଭାଜିକା ବିକାଶ, ଜଳ ସଞ୍ଚୟନ ସରଞ୍ଜନା, ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସହ ଆଡିବନ୍ଧ ନିର୍ମାଣ ଲାଗି ସରକାର ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ବର୍ଷ ସରକାର ପ୍ରାୟ ୨ଲକ୍ଷ ୭୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି। ଦେଶର ଶତକଡା ୧୧ଭାଗ ଜଳସମ୍ପଦ ରାଜ୍ୟରେ ଥିବାବେଳେ ୩୧ ଟି ‘ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର’ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି। ସବୁଠାରୁ ବଡ଼କଥା ହେଲା କଳାହାଣ୍ଡି ଜିଲାର ସାନ୍ଦୁଲ ଓ ନବରଙ୍ଗପୁରର ତୁରୀ-ଗୁଣ୍ଟାତରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯିବାକୁ ରହିଛି।
ସେ କହିଥିଲେ ଯେ ସରକାରଙ୍କ ଆକଳନ ଅନୁଯାୟୀ ଗତବର୍ଷ ଭାରତର ଅର୍ଥନୀତି ୭.୭ ପ୍ରତିଶତ ସଙ୍କୁଚିତ ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥନୀତି ଜାତୀୟସ୍ତର ତୁଳନାରେ କମ୍ ପ୍ରଭାବିତ ହୋଇ ୪.୯ ପ୍ରତିଶତ ସଙ୍କୁଚିତ ହେବ। ଶିଳ୍ପ, ଏମଏସଏମଇ, ସାମାଜିକ କ୍ଷେତ୍ର, ନିଯୁକ୍ତି ସୃଷ୍ଟି ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟ ଅର୍ଥନୀତି ଚଳିତବର୍ଷର ନିମ୍ନ ହାର ତୁଳନାରେ ଆଗାମୀ ଆର୍ଥିକବର୍ଷରେ ୧୦ରୁ ୧୧ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇବ।
୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ କୃଷକଙ୍କ ଆୟ ଦ୍ବିଗୁଣିତ ହୋଇଛି। କୃଷକଙ୍କ ଆୟ ଆହୁରି ବୃଦ୍ଧି କରିବା ପାଇଁ ସମୃଦ୍ଧି କୃଷି ନୀତି -୨୦୨୦ କାର୍ଯ୍ୟକାରୀ ହେଉଛି। ଯାହାକି କୃଷକଙ୍କ ନିରବଚ୍ଛିନ୍ନ ଏବଂ ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟ ସରକାର ୨୦୧୮ରେ ଚାଷୀଙ୍କ ଲାଗି କାଳିଆ ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୯-୨୦ରେ ଏହି ଯୋଜନାରେ ୫୬୧୧ କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ସେଥିମଧ୍ୟରୁ ୫୧୧୫ କୋଟି ଟଙ୍କା ୪୩ ଲକ୍ଷ ଚାଷୀଙ୍କୁ ଯୋଜନାରେ ବଣ୍ଟନ କରାଯାଇଛି। ସେହିପରି ଗତବର୍ଷ ୩୧୯୫ କୋଟି ଟଙ୍କା ବରାଦ କରିଥିବାବେଳେ ଚଳିତବର୍ଷ ମାତ୍ର ୧୮୦୦କୋଟି କାଳିଆ ଯୋଜନାରେ ଦେବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି।
ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ ଆସନ୍ତାବର୍ଷ ରାଜ୍ୟ ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାବାଦ୍ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ଲାଗି ୧୪୮କୋଟି ଟଙ୍କା ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ଆସନ୍ତା ବର୍ଷ ରାଜ୍ୟ ସରକାର ଉଦ୍ୟାନ କୃ‌ଷି ବିକାଶ କାର୍ଯ୍ୟକ୍ରମ ଲାଗି ୧୩୨କୋଟି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ପରମ୍ପରାଗତ କୃ‌ଷି ବିକାଶ ଯୋଜନା ଲାଗି ୩୫କୋଟି, ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଲାଗି ୮୬୦କୋଟି, ଗଭୀର ନଳକୂପ ଯୋଜନା ଲାଗି ୩୮୯କୋଟି ବଜୁ କୃଷକ ବିକାଶ ଯୋଜନା ଲାଗି ୪୦୦କୋଟି, ନବକୃଷ୍ଣ ଚୌଧୁରୀ ସେଚ ଯୋଜନାରେ ୭୭କୋଟି, ଅଚଳ ଉଠାଜଳସେଚନ ପ୍ରକଳ୍ପରୁ ପୁନରୁଦ୍ଧାର ଲାଗି ୧୬୦କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ୫୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେ କହିଥିଲେ ଯେ ରାଜ୍ୟ ସରକାର ଚଳିତବର୍ଷ ଅଣକୃଷି କାର୍ଯ୍ୟକ୍ରମ ଜରିଆରେ କୃକେଙ୍କ ଆୟ ବୃଦ୍ଧି ଲାଗି ବଜେଟରେ ୧୭ ପ୍ରତିଶତ ଅଧିକ ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ୧୪୧୫କୋଟି ଟଙ୍କା ବଜେଟରେ ରହିଛି। ଏହାବାଦ୍ ମାଛଚାଷ ପାଇଁ ୧୩୭କୋଟି, ମୋ ପୋଖରୀ ଖୋଳା ଯୋଜନାରେ ୭୦କୋଟି, ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଲାଗି ୫କୋଟି, ମତ୍ସ୍ୟ ବଜାର ନିର୍ମାଣ ପାଇଁ ୧୦୦କୋଟି, ନୀଳ ବିପ୍ଳବ ଲାଗି ୧୬୧କୋଟି, ଗୋପାଳନ ଉନ୍ନୟନ ଓ ପଶୁଧନ ପରିଚାଳନା ଲାଗି ୧୦୨କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି।

Comments are closed.