ହତାଶରେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ବିନା ପରୀକ୍ଷାରେ ପ୍ରବାସୀଙ୍କୁ ରାଜ୍ୟ ଭିତରେ ପ୍ରବେଶ ଅନୁମତି ମିଳିବନି ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେବା ପରେ ସୁରତରୁ ଗଲା କିଛିଦିନ ହେଲା ଓଡ଼ିଶାକୁ ଛୁଟିଥିବା ଟ୍ରେନ ସେବାକୁ ଆଜିଠାରୁ ସୁରତ ଜିଲା ପ୍ରଶାସନ ବାତିଲ କରି ଦେଇଛନ୍ତି। ଫଳରେ ଆସନ୍ତାକାଲି ସୁରତରୁ ବାହାରିବାକୁ ଥିବା ୩ଟି ଟ୍ରେନ ବାତିଲ ହୋଇ ଯାଇଛି। ଏହି ନୂତନ ନିର୍ଦେଶନାମା ପରେ ଜଣ ପିଛା ଆଠଶହରୁ ହଜା​‌େ‌ର ଟଙ୍କା ଲେଖାଏଁ ଅର୍ଥ ଜମା କରି ଟ୍ରେନ ଟିକଟ ଆବେଦନ କରିଥିବା ହଜାର ହଜାର ଓଡ଼ିଆ ନିରାଶ ହୋଇଛନ୍ତି। ଅଖିଆଅପିଆ ଘୁରି ବୁଲୁଥିବା ଓଡ଼ିଆମାନେ କୌଣସି ମତେ ଭିଟାମାଟିକୁ ଫେରିବାକୁ ଚଳାଇଥିବା ଉଦ୍ୟମରେ ରୋକ ଲାଗି ଯାଇଛି। ସୁରତ ଜିଲା ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ହଜାର ହଜାର ଓଡ଼ିଆ କିଂ କର୍ତ୍ତବ୍ୟ ବିମୂଡ ହୋଇ ପଡିଛନ୍ତି। କେବେ ସେମାନଙ୍କ କୋଭିଡ ଟେଷ୍ଟ ହେବ ଏବଂ କେବେ ସେମାନେ ଭିଟାମାଟି ଫେରିବେ ସେ ନେଇ କାହା ପାଖରେ ଉତ୍ତର ନଥିବାରୁ ଭିଟାମାଟି ଫେରିବାକୁ ଅପେକ୍ଷା କରିଥିବା ଓଡ଼ିଆମାନେ ନିରାଶ ହୋଇପଡିଛନ୍ତି।

ଟ୍ରେନ ଟିକଟ କରିବାକୁ ଓଡ଼ିଆମାନେ ଗଲା ଏକ ସପ୍ତାହ ହେଲା ସମଗ୍ର ସହର ଘୁରି ବୁଲି କୌଣସି ମତେ ଯୋଗାଡ କରିଥିବା ଅର୍ଥ ଜମା କରିଥିଲେ। କେହି କେହି ଟିକଟ ପାଇ ସାରିଥିବା ବେଳେ ଆଉ କେତେକ ଟିକଟ ପାଇବାକୁ ଅପେକ୍ଷା କରିଥିଲେ। ହେଲେ ସୁରତ ଜିଲାପାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁରତରୁ ଏଣିକି ଆଉ କୌଣସି ଟ୍ରେନ ଓଡ଼ିଶା ଯିବ ନାହିଁ ବୋଲି ଘୋଷଣା କରିବା ପରେ ଓଡ଼ିଆଙ୍କ ମଧ୍ୟରେ ଭାଳେଣି ପଡି ଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଚାରିଟି ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍ ଓଡ଼ିଶାରେ ପହଞ୍ଚିବ। ସୁରତରୁ୩ଟି ଟ୍ରେନ୍ ଏବଂ କାଲିକଟରୁ ଗୋଟିଏ ଟ୍ରେନ୍ ଜଗନ୍ନାଥପୁର ଷ୍ଟେସନ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ। ଉପରୋକ୍ତ ଟ୍ରେନ୍ ଆଜି ସେଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛନ୍ତି। ଏହା ବ୍ୟତୀତ ଆସନ୍ତା କାଲି ଅନ୍ୟ କୌଣସି ଟ୍ରେନ୍ ଓଡ଼ିଶାରେ ପହଞ୍ଚିବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Comments are closed.