କରୋନାର କରୁଣ ଚିତ୍ର – ମାଗଣା ଖାଦ୍ୟ ଉପରେ ନିର୍ଭର କରୁଛନ୍ତି ଆଜାଦ ହିନ୍ଦ୍‌ ଫୌଜ ଯୋଦ୍ଧାଙ୍କ ପରିବାର

ଭୁବନେଶ୍ବର/ପାଇକମାଳ: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଆହ୍ବାନକ୍ରମେ ଦେଶକୁ ବ୍ରିଟିଶ ସରକାର କବଳରୁ ସ୍ବାଧୀନତା ଦେବା ପାଇଁ ଆଜାଦ ହିନ୍ଦ ଫୌଜରେ ସେ ଯୋଗ ଦେଇଥିଲେ। ବ୍ରିଟିଶଙ୍କ ସହ ଲଢ଼େଇ କରି ଗୁଳି ମାଡ଼ ଖାଇଥିଲେ। ଏଭଳି ଜଣେ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଜି କରୋନାର ତାଡ଼ନାରେ ଜର୍ଜରିତ। ସେମାନଙ୍କ ପରିସ୍ଥିତି ଏମିତି ହୋଇଛି ଯେ ପେଟର ଜ୍ବାଳା ଶାନ୍ତ କରିବା ପାଇଁ ରାସ୍ତାରେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ବଣ୍ଟା ଯାଉଥିବା ଖାଦ୍ୟ କିମ୍ବା ପଞ୍ଚାୟତରେ ଦିଆଯାଉଥିବା ଡ଼ାଲମା ଭାତ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ସେମାନେ ହେଉଛନ୍ତି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ମହାନ୍ ସ୍ବାଧୀନତା ସଂଗ୍ରାମୀ ଶେଖ ମହମ୍ମଦ ରମଜାନ୍ କ୍ୟୁରେସିଙ୍କ ପରିବାର ସଦସ୍ୟ।

ଚୁଡ଼ି ବିକ୍ରି କରି ପେଟ ପୋଷୁଥିବା କ୍ୟୁରେସିଙ୍କ ପରିବାର ଆଜି ଲକ୍ ଡାଉନ୍ ପାଇଁ ନିଜ ଉଦ୍ୟମରେ ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ପାଇଁ ସକ୍ଷମ ହୋଇ ରହିନାହାନ୍ତି। ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ନା ଆଜି ପର୍ୟ୍ୟନ୍ତ ରାସନ କାର୍ଡ ମିଳିଛି ନା ବିଧବା ଭତ୍ତା। ଏପରିକି ଲକ୍ ଡାଉନ୍ ସମୟରେ ସରକାର ଦେଉଥିବା ରାସନ ଓ ଅନ୍ୟ ସହାୟତାରୁ କ୍ୟୁରେସିଙ୍କ ପରିବାର ବଞ୍ଚିତ ହୋଇରହିଛନ୍ତି। କ୍ୟୁରେସିଙ୍କ ଏକମାତ୍ର ପୁଅ ଅନଗ୍ରସର ହୋଇଥିବାରୁ ପରିବାରର ତିନିପ୍ରାଣୀଙ୍କ ପେଟର ବୋଝ ରହିଛି ୭୫ ବର୍ଷୀୟ ବିଧବା ମା’ଙ୍କ କାନ୍ଧରେ।

ତତ୍କାଳୀନ ମଧ୍ୟ ପ୍ରଦେଶ ରାଜ୍ୟର ରାୟପୁର ନିକଟସ୍ଥ ଯୋଦପୁର ଠାରେ ଶେଖ ରମଜାନ କ୍ୟୁରେସି ଜନ୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆଜାଦ୍ ହିନ୍ଦ୍ ଫୌଜ୍‌ରେ ସାମିଲ ହୋଇ ସଶସ୍ତ୍ର ସଂଗ୍ରାମରେ ଭାଗ ନେଇଥିଲେ। ୧୯୪୫ ମସିହାରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜାପାନର ପରାଜୟ ପରେ ଆଜାଦ୍ ହିନ୍ଦ୍ ଫୌଜର ଗତିପଥ ବଦଳି ଯାଇଥିଲା। ଏହି ସଂଘର୍ଷରୁ ଅନେକ ଲୋକ ନିଜ ନିଜ ଭିଟାମାଟିକୁ ଫେରି ଆସିଥିଲେ। ପାଖାପାଖି ୫୦ ବର୍ଷ ତଳେ ଜୀବିକା ସନ୍ଧାନରେ ଆସି କ୍ୟୁରେସି ଓଡିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମକୁ ଆସି ନିଜର କର୍ମଭୂମି ଆଦରି ନେଇଥିଲେ। ଆଖପାଖ ଅଞ୍ଚଳର ସାପ୍ତାହିକ ବଜାର ବୁଲି ଛତା ମରାମତି, ତାଲା ମରାମତି କରି ନିଜର ପରିବାର ପରି ପୋଷଣ କରୁଥିଲେ।

୨୦୧୬ ମସିହା ଏପ୍ରିଲ ମାସ ୩ ତାରିଖ ଦିନ ମାଣ୍ତୋସିଲ ଗ୍ରାମରେ କ୍ୟୁରେସି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବଞ୍ଚିଥିବା ସମୟରେ ଦୀର୍ଘ ଦିନର ସଂଗ୍ରାମ ପରେ କ୍ୟୁରେସିଙ୍କୁ ସ୍ବାଧୀନତା​‌ ସଂଗ୍ରାମୀ ଭତ୍ତା ମିଳିପାରି ନଥିଲା। ୮ ବର୍ଷ ପୂର୍ବେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ କ୍ୟୁରେସିଙ୍କ ମୃତ୍ୟୁ ପରେ ତାହା ବି ବନ୍ଦ ହୋଇଯାଇଛି। ୭୫ ବର୍ଷୀୟ କ୍ୟୁରେସିଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ମିଳିପାରି ନାହିଁ। ଏପରିକି ରାସନ କାର୍ଡ କଥା ଦୂରରେ ଥାଉ ଲକ୍ ଡାଉନ୍ ସମୟରେ ସରକାର ଦେଉଥିବା ରାସନ ସାମଗ୍ରୀ ତାଙ୍କ ଦୁଆରେ ପହଞ୍ଚି ପାରିନାହିଁ। ଏହା ପରଠାରୁ ତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ଅଞ୍ଚଳରେ ଚୁଡ଼ି ବିକ୍ରି କରି ପେଟ ପୋଷି ଆସୁଛନ୍ତି। ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଲକ୍ ଡାଉନ୍ ସମୟରେ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ରାସନ, ନଗଦ ଟଙ୍କା ସହାୟତା ଦେଉଛନ୍ତି। ଯୋଗାଣ ବିଭାଗ ସେମାନଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କରୁଛି। କିନ୍ତୁ ପରିତାପର ବିଷୟ ଆମ ରାଜ୍ୟରେ ଜଣେ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଜି ଅନାହାର ମଧ୍ୟରେ ଦିନ ବିତାଇବା ପରିସ୍ଥିତିରେ ଅଛି। ହାତରେ ଅର୍ଥ ନଥିବାରୁ ଚୁଲି ଚଳୁନାହିଁ। ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନର ଏଥିପ୍ରତି ଦୃଷ୍ଟି ନପଡ଼ିବା ଦୁଃଖଦାୟକ। ତେଣୁ ସରକାର ତୁରନ୍ତ କ୍ୟୁରେସିଙ୍କ ପରିବାରକୁ ସହାୟତା ଦେବା ଆବଶ୍ୟକ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।

Comments are closed.