କରୋନା କବଳିତ ଶିକ୍ଷା

-ମହାମାରୀ ମଣିଷକୁ କେବଳ ଅସୁସ୍ଥ କରିନାହିଁ,-ଅଶିକ୍ଷା ଭିତରକୁ ମଧ୍ୟ ଠେଲିଦେଇଛି

ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ମହାମାରୀର ଦ୍ବିତୀୟ ତରଙ୍ଗ ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ଦେଢ଼ଲକ୍ଷରୁ ଟପିଲାଣି। ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଗଲାଣି। ଏହାର ଅର୍ଥ ହେଉଛି, ଗତବର୍ଷ ଆମେ ଯେଉଁ ଦୁଃସ୍ଥିତି ଭିତରେ ଗତି କରୁଥିଲେ, ଏବେ ତାହା ପୁଣିଥରେ ଆରମ୍ଭ ହେବାର ଅପଶକୁନମାନ ଦେଖାଗଲାଣି। ୨୦୨୦ ବର୍ଷରେ ସ୍ବାସ୍ଥ୍ୟ ସଙ୍କଟ ତ ଯାହା ଦେଖାଦେଇଥିଲା, କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଶିକ୍ଷା ବ୍ୟବସ୍ଥା। ସ୍କୁଲକଲେଜ ପ୍ରାୟ ବର୍ଷଯାକ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ତା’ ସତ୍ତ୍ବେ ସେମାନଙ୍କୁ ପରୀକ୍ଷା ଦେବାକୁ ପଡ଼ିଛି। ଅନେକ ରାଜ୍ୟର ସରକାର ସବୁ ପିଲାଙ୍କୁ ଉଚ୍ଚ ଶ୍ରେଣୀକୁ ଉନ୍ନୀତ କରାଇବାକୁ ବାଧ୍ୟ ହୋଇଛନ୍ତି। ସେମାନେ ଉଚ୍ଚ ଶ୍ରେଣୀରେ ପହଞ୍ଚିଯାଇଛନ୍ତି ସତ୍ୟ; କିନ୍ତୁ ଶିକ୍ଷା କ୍ଷେତ୍ରରେ ସେମାନେ ଯେ ପଛରେ ରହିଛନ୍ତି ସେଥିରେ ସନ୍ଦେହ ନାହିଁ।
କୋଭିଡ୍‌-୧୯ ଆହ୍ବାନର ମୁକାବିଲା କରିବା ପାଇଁ ସରକାର ଅନ୍‌ଲାଇନ୍‌ କ୍ଲାସ୍‌ର ଆୟୋଜନ କରିବା ସହ ଟିିଭି, ରେଡିଓ ଆଦିରେ ପାଠ ପଢ଼ାଇବାକୁ ଉଦ୍ୟମ କରିଥିଲେ; କିନ୍ତୁ ଶ୍ରେଣୀକକ୍ଷରେ ପିଲା ଯେପରି ଶିକ୍ଷକଙ୍କ ନିକଟରୁ ଓ ପାରିପାର୍ଶ୍ବିକ ପରିବେଶ ଭିତରୁ ଶିକ୍ଷା ଆହରଣ କରିଥାନ୍ତି, ସେପରି ହୋଇପାରିଲା ନାହିଁ, ଯାହା ସ୍ବାଭାବିକ। ୟୁନିସେଫ୍‌ର ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଟିଭି, ରେଡିଓ, ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷା ଶ୍ରେଣୀକକ୍ଷ ଶିକ୍ଷାର ‘ଅସମ୍ପୂର୍ଣ୍ଣ ବିକଳ୍ପ’; କାରଣ ଏଥିରେ ପିଲାଙ୍କ ସହ ଶିକ୍ଷକଙ୍କର ଭାବ ଆଦାନପ୍ରଦାନର ସୁଯୋଗ ନାହିଁ ବା ଅତି ଅଳ୍ପ। ଅନ୍‌ଲାଇନ୍‌ କ୍ଲାସ୍‌ରେ କାମଚଳା ପାଠ ଅବଶ୍ୟ ପଢ଼ାଯାଇପାରିଲା; କିନ୍ତୁ ସେଥିପାଇଁ କେବଳ ଶିକ୍ଷକଙ୍କୁ ନୁହେଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମଧ୍ୟ କମ୍‌ କସରତ କରିବାକୁ ପଡ଼ିଲା ନାହିଁ। ଏବେ ମଧ୍ୟ ଏହି ସଙ୍କଟ ଜାରି ରହିଛି। ଦଶମ ଓ ଦ୍ବାଦଶ ପରି ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସ୍କୁଲ୍‌କୁ ଯିବାକୁ ବାରଣ କରାଯାଇଛି। ଦୁଇ ମାସ ତଳେ ଯେତେବେଳେ ମହାମାରୀ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା, ସେତେବେଳେ ପିଲାଙ୍କର ସ୍କୁଲ୍‌କୁ ଯାଇ ସ୍ବାଭାବିକଭାବେ ପାଠ ପଢ଼ିବାର ଆଶା ଉଳ ହୋଇଥିଲା ଏବଂ ସେଥିପାଇଁ ସରକାର ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା; କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆଉ ତାହା ସମ୍ଭବପର ହେବାପରି ମନେହେଉ ନାହିଁ। ଅତଏବ ଆମକୁ ପୁଣି ଅନ୍‌ଲାଇନ୍‌ ବ୍ୟବସ୍ଥାର ସେହି ସୀମିତ ପରିସରରେ ପୁଣିଥରେ ପିଲାଙ୍କୁ ପାଠ ପଢ଼ାଇବାକୁ ହେବ।
ୟୁନିସେଫ୍‌ର ଆକଳନ ଅନୁଯାୟୀ, ବିଦ୍ୟାଳୟ ବନ୍ଦ ହେବା ଦ୍ବାରା ଦେଶର ପ୍ରାୟ ୨୫ କୋଟିରୁ ଊର୍ଦ୍ଧ୍ବ ପିଲା ପ୍ରଭାବିତ ହୋଇଛନ୍ତି। ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାଜନିତ ବିଭିନ୍ନ ପ୍ରକାରର ସମସ୍ୟା ପିଲାଙ୍କ ଭିତରେ ମଧ୍ୟ ଭେଦଭାବ ସୃଷ୍ଟି କରିଦେଇଛି। ଆର୍ଥିକ ଅସ୍ବଚ୍ଛଳ ପିଲାମାନେ ସ୍ମାର୍ଟ ଫୋନ୍ ବା ଆବଶ୍ୟକ ଇଣ୍ଟରନେଟ୍‌ ଡାଟା କିଣିପାରିନଥିବା ବେଳେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ଉପଲବ୍ଧ ନ ହେବା ଏହି ଭେଦଭାବର ଅନ୍ୟତମ ପ୍ରମୁଖ କାରଣ। ଜାତୀୟ ପରିସଂଖ୍ୟାନ ସଂଗଠନର ଏକ ଅନୁଧ୍ୟାନ ଅନୁଯାୟୀ, ୨୦୧୯ ମସିହା ପର୍ଯ୍ୟନ୍ତ ଭାରତର ଗ୍ରାମାଞ୍ଚଳର ମାତ୍ର ୧୫ ଶତାଂଶଙ୍କ ଘରେ ହିଁ ଇଣ୍ଟର୍‌ନେଟ୍‌ ସୁବିଧା ରହିଥିଲା। ଫଳରେ ସ୍ବଚ୍ଛଳ ବର୍ଗର ଓ ସହରାଞ୍ଚଳର ପିଲା ଗରିବ ଓ ଗ୍ରାମାଞ୍ଚଳର ପିଲାଙ୍କ ଅପେକ୍ଷା ଅଧିକ ସୁବିଧାସୁଯୋଗ ହାସଲ କରିଛନ୍ତି; ତେଣୁ ଶିକ୍ଷାକ୍ଷେତ୍ରରେ ମଧ୍ୟ ସେମାନେ ଆଗରେ ରହିବା ସ୍ବାଭାବିକ। ଏହି ଡିଜିଟାଲ୍‌ ବିଭାଜନକୁ ଦୂର କରିବା ନିହାତି ଜରୁରୀ ହୋଇଥିଲେ ହେଁ ନା କେନ୍ଦ୍ର ନା ରାଜ୍ୟ ସରକାର ଏ ବିଷୟରେ ଚିନ୍ତା କରିଛନ୍ତି। ମାଗଣା ସଂସ୍କୃତିର ରାଜ୍ୟ ଭାବେ ଅପଖ୍ୟାତ ତାମିଲନାଡୁ ଅବଶ୍ୟ କଲେଜ ପିଲାଙ୍କୁ ପରୀକ୍ଷା ସମୟରେ ମାଗଣା ୨ ଜିବି ଡାଟା ପ୍ରଦାନ କରି ଏକ ଉଦାହରଣ ସାଜିଛି। ଯଦି ସରକାର ସମସ୍ତଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ ବୋଲି କହୁଛନ୍ତି, ତେବେ ନୀତି ପ୍ରସ୍ତୁତକାରୀମାନଙ୍କୁ ଏ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଅନ୍ତତଃ ମହାମାରୀ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବା ପର୍ଯ୍ୟନ୍ତ ଅନ୍‌ଲାଇନ୍‌​‌େ​‌ର ପିଲାଙ୍କର ସୁଚାରୁ ପାଠପଢ଼ା ପାଇଁ ଇଣ୍ଟରନେଟ୍‌ ଡାଟାରେ କିଛି ରିଆତି ଦେବାର ବା ମାଗଣା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇପାରେ। ଅନ୍‌ଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭାବୀ ଛାତ୍ରଛାତ୍ରୀ ଏହାଦ୍ବାରା ନିଶ୍ଚିତ ଉପକୃତ ହେବେ।
ଅପରପକ୍ଷେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାରର ପିଲାଏ ସ୍କୁଲ୍‌ ବନ୍ଦ ହେବାଦ୍ବାରା ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି। ସେମାନେ ମଧ୍ୟାହ୍ନ ଭୋଜନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। କେତେକ ରାଜ୍ୟ ସରକାର ପିଲାଙ୍କ ଘରେ ମଧ୍ୟାହ୍ନ ଭୋଜନ ଟଙ୍କା ପଠାଇବାର ବ୍ୟବସ୍ଥା କରିଛନ୍ତି; କିନ୍ତୁ ତା’ର ଦୁରୁପଯୋଗ ହେବାର ଆଶଙ୍କା ବେଶି। ସ୍କୁଲ୍‌ ବନ୍ଦ ରହିବା ଫଳରେ ଗ୍ରାମାଞ୍ଚଳର ବହୁ ପିଲା ପାଠ ଛାଡ଼ିଦେଇଛନ୍ତି ଓ ବିଦ୍ୟାଳୟ ଆସିବାକୁ ଇଚ୍ଛା କରୁନାହାନ୍ତି। ଦୀର୍ଘକାଳୀନ ପ୍ରଚେଷ୍ଟା ଦ୍ବାରା ଯେଉଁ ପିଲାଙ୍କୁ ସ୍କୁଲ୍‌ ଅଣାଯାଇପାରିଥିଲା, ଏବେ ତାହା ବିଫଳ ହେବାକୁ ବସିଛି। ସମାଜର ନିମ୍ନବର୍ଗର ଏହି ପିଲାମାନେ କିପରି ପୁଣି ବିଦ୍ୟାଳୟ ଓ ଶିକ୍ଷାମନସ୍କ ହେବେ, ସେଥିପାଇଁ ସରକାର ନୂଆ ଯୋଜନା କରନ୍ତୁ। ମହାମାରୀ ମଣିଷକୁ କେବଳ ଅସୁସ୍ଥ କରିନାହିଁ, ଅଶିକ୍ଷା ଭିତରକୁ ମଧ୍ୟ ଠେଲିଦେଇଛି। ଏଥିରୁ ବର୍ତ୍ତିବାର ଉପାୟ ଖୋଜିବାକୁ ହେବ।

Comments are closed.