୬୩୬ ଜିଲ୍ଲାରେ ଚାଲିଛି କରୋନା ଟୀକାକରଣ ପ୍ରାକ ଅଭ୍ୟାସ କାର୍ଯ୍ୟକ୍ରମ

ଆଜି ସମଗ୍ର ଦେଶରେ କୋଭିଡ୍‍ ପ୍ରତିଷେଧକ ଦିଆଯିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ ଚାଲିଛି। ଏହି ପ୍ରସ୍ତୁତି ଅଭ୍ୟାସ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ଟି ଜିଲ୍ଲାରେ କରାଯାଉଛି। ପ୍ରତିଷେଧକ ଦିଆଯିବା ପୂର୍ବରୁ ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରାଯାଉଛି। ଏହି ପ୍ରସ୍ତୁତି ଅଭ୍ୟାସ ସମୟରେ ଜିଲ୍ଲାପାଳମାନଙ୍କ ତଦାରଖରେ ହିତାଧିକାରୀମାନଙ୍କ ପଞ୍ଜୀକରଣ ଏବଂ ଟୀକାକରଣ ହେବାକୁ ଥିବା ସ୍ଥାନରେ ଟୀକାକରଣ ଓ ଏ ସଂକ୍ରାନ୍ତୀୟ ପୁଙ୍ଖାନୁପୁଙ୍ଖ ଯୋଜନାର ପରୀକ୍ଷା ନିରୀକ୍ଷା କରାଯାଉଛି। ଏହି ପ୍ରସ୍ତୁତି ଅଭ୍ୟାସ ରାଜ୍ୟ, ଜିଲ୍ଲା, ବ୍ଲକ୍‍ ଓ ହସ୍ପିଟାଲ୍‍ସ୍ତରୀୟ ଅଫିସରମାନଙ୍କୁ କୋଭିଡ୍‍ ପ୍ରତିଷେଧକ ଟୀକାକରଣ ସମ୍ବନ୍ଧୀୟ ସମସ୍ତ ପଦ୍ଧତି ବିଷୟରେ ଅବଗତ କରାଇବା।

ଟୀକାକରଣ କେନ୍ଦ୍ରଗୁଡ଼ିକରେ ଠିକ୍‍ ରୂପେ ପ୍ରତିଷେଧକ ଦେବାପାଇଁ ୧ ଲକ୍ଷ ୭୦ ହଜାର ପ୍ରତିଷେଧକ ଦେବାକୁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟକର୍ମୀ ଓ ୩ ଲକ୍ଷ ପ୍ରତିଷେଧକ ଟିମ୍‍ର ସଦସ୍ୟଙ୍କୁ ତାଲିମ୍‍ ଦିଆଯାଇଛି। ଭାରତର ଔଷଧ ନିୟନ୍ତ୍ରକ ସଂସ୍ଥା ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭିସିଲ୍‍ଡ୍‍ ଓ କୋଭାକ୍ସିନ୍‍ ଭଳି ଦୁଇଟି ପ୍ରତିଷେଧକକୁ ଅନୁମତି ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତି ଅଭ୍ୟାସ ଗତ ୨ ତାରିଖରେ ସମଗ୍ର ଦେଶରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରତ୍ୟେକ ଜିଲ୍ଲାରେ ସୁଚାରୁରୂପେ ପ୍ରତିଷେଧକ ଦିଆଯିବା କାର୍ଯ୍ୟ ସମ୍ପନ୍ନ କରାଇବା ଲକ୍ଷ୍ୟରେ ଏହି ପ୍ରସ୍ତୁତି ଅଭ୍ୟାସ କରାଯାଉଛି।

ଦ୍ୱିତୀୟ ପର୍ଯ୍ୟାୟର ପ୍ରସ୍ତୁତି ଅଭ୍ୟାସ ଉତ୍ତର ପ୍ରଦେଶ ଓ ହରିୟାଣାକୁ ଛାଡ଼ି ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ଟି ଜିଲ୍ଲାରେ କରାଯାଉଛି। ପ୍ରତ୍ୟେକ ଜିଲ୍ଲାରେ ୩ଟି କେନ୍ଦ୍ରକୁ ଚିହ୍ନଟ କରାଯିବ। ଏହି ଚିହ୍ନଟ ପ୍ରକ୍ରିୟା ପୂର୍ବରୁ କରାଯାଇଥିବା ପ୍ରସ୍ତୁତି ଅଭ୍ୟାସକୁ ଭିତ୍ତିକରି କରାଯିବ। ସେହି ୩ଟି କେନ୍ଦ୍ର ମଧ୍ୟରେ ସର୍ବସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ର, ବେସରକାରୀ ଚିକିତ୍ସା କେନ୍ଦ୍ର ଓ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମୁଖ୍ୟ ସ୍ଥାନଗୁଡ଼ିକୁ ରଖାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି କାର୍ଯ୍ୟପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଓ ଚିକିତ୍ସା ପେସାଦାରମାନଙ୍କ ଅକ୍ଳାନ୍ତ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଏଥିପାଇଁ ଉଦ୍ଦିଷ୍ଟ ଡିଜିଟାଲ୍‍ ପ୍ଲାଟ୍‍ଫର୍ମ Co-Win ବିଷୟରେ କହିଛନ୍ତି। Co-Winରୁ ପ୍ରତିଷେଧକର ମହଜୁଦ୍‍ ପରିମାଣ, ପ୍ରତିଷେଧକଗୁଡ଼ିକୁ ସଂରକ୍ଷିତ କରି ରଖିବାପାଇଁ ଆବଶ୍ୟକ ତାପମାତ୍ରା ସମ୍ବନ୍ଧୀୟ ସୂଚନା ଓ ପ୍ରତିଷେଧକ ନେବାକୁ ଥିବା ହିତାଧିକାରୀମାନଙ୍କୁ ଠାବ କରିବା ଆଦି ବିଷୟରେ ସୂଚନା ମିଳିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସିରିଞ୍ଜ୍‍ ଓ ସାମଗ୍ରୀ ଯୋଗାଇବା ବିଷୟ ନିଶ୍ଚିତ କରିଛନ୍ତି।

ସେ କହିଛନ୍ତି, ଦେଶର ଶୀତଳ ଭଣ୍ଡାର ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯାଇଛି। ପ୍ରତିଷେଧକର ସୁରକ୍ଷା ଓ ବିଶ୍ୱସନୀୟତାକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ପ୍ରତି ସାବଧାନ ରହିବାକୁ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି।

Comments are closed.