କରୋନା କାରୁଣ୍ୟ : ଆସିଲେନି ଜାତି ଭାଇ ଦୁଇଚକିଆରେ ବାପାଙ୍କ ଶବକୁ ନେଲେ ୨ ପୁଅ

ବେଲପଡ଼ା : କରୋନା ନେଇ ଏବେ ଅଜଣା ଭୟ ଓ ଆତଙ୍କ ଲୋକଙ୍କ ମଧ୍ୟରେ ରହିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଆଶଙ୍କାରେ ଜାତିଭାଇ ଦାହ କରିବାକୁ ଆସୁନାହାନ୍ତି। ଫଳରେ ଶବକୁ ଚାରି କାନ୍ଧ ମଧ୍ୟ ମିଳି ପାରୁନାହିଁ। ତେଣୁ ବାପାଙ୍କ ଶବକୁ ଦୁଇ ପୁଅ ଦୁଇ ଚକିଆ ଗାଡି (ସ୍କୁଟି)ରେ ଶ୍ମଶାନ ନେବା ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ସଲଣ୍ଡି ଗାଁରେ ଦେଖିବାକୁ ମିଳିଛି। ସଲଣ୍ଡି ଗାଁର ଉଦ୍ଧବ ବେହେରା (୫୫)ଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା। ଶ୍ରୀ ବେହେରା ଅସୁସ୍ଥ ହେବା ପରେ ଗତ କିଛି ଦିନ ହେଲା ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ ; ତେଣୁ ତାଙ୍କର କରୋନାରେ ମୃତ୍ୟୁ ଘଟିଥିବା ଗାଁରେ ପ୍ରଚାର ହୋଇ ଯାଇଥିଲା। ତାଙ୍କର ମୃତ୍ୟୁ ଖବର ଶୁଣିବା ସତ୍ତ୍ବେ ତାଙ୍କର ଜାତିଭାଇ କି ସମ୍ପର୍କୀୟ ଶବ ସତ୍କାର କରବା ପାଇଁ ଆସି ନ ଥିଲେ। ତାଙ୍କର ଦୁଇ ପୁଅ ପିପିଇ କିଟ୍‍ ପିନ୍ଧି ବାପାଙ୍କ ଶବକୁ ସ୍କୁଟିରେ ଲଦି ଗାଁ ମୁଣ୍ଡ ନର୍ସରୀରେ ଗାତ ଖୋଳି ପୋତି ଦେଇଥିଲେ। କରୋନା ଆକ୍ରାନ୍ତ ନେଇ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ରବୀନ୍ଦ୍ର ମେହେରଙ୍କୁ ପଚାରିବାରୁ ଉଦ୍ଧବ ବେହେରାଙ୍କ ବେଲପଡ଼ା ଡାକ୍ତରଖାନାରେ କରୋନା ପରୀକ୍ଷଣ ହୋଇ ନାହିଁ। ବାହାରେ ପରୀକ୍ଷା କରିଥିଲେ ସେ ବାବଦରେ ତାଙ୍କ ପାଖରେ ଖବର ନାହଁି ବୋଲି କହିଛନ୍ତି। ମୃତକଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ଥିବାରୁ ତାଙ୍କୁ ବଲାଙ୍ଗିର ପଠାଇବାର ବ୍ୟବସ୍ଥା କରିଛୁ ବୋଲି ସେ କହିଥିଲେ।

Comments are closed.