କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଭାରତ: ଲକ୍ଡ଼ାଉନ ୫ମ ପର୍ଯ୍ୟାୟ ଲାଗି ମୋଦୀ-ଶାହା ମହାମନ୍ଥନ

ନୂଆଦିଲ୍ଲୀ: କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଅତିକ୍ରମ କରିଛି ଭାରତ । କରୋନାର ଉତ୍ପତ୍ତିସ୍ଥଳ ଚୀନରେ ସଂକ୍ରମିତଙ୍କ ସଂଖ୍ୟା ୮୨୯୯୫ ଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ଲକ୍ଷ ଅତିକ୍ରମ କରିଛି । ସେହିପରି ଚୀନରେ କରୋନାରେ ସରକାରୀଭାବେ ୪୬୩୪ ଜଣ ମୃତ୍ୟୁବରଣ କରିଥିବା କୁହାଯାଉଛି ଓ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୪୭୦୬ ବୋଲି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଘୋଷଣା ହେବ କି ନାହିଁ ତାହାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଜୀବିକା ଓ ଅର୍ଥନୀତି ଦୃଷ୍ଟିରୁ ଲକ୍ ଡ଼ାଉନ ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାର ଆଶଙ୍କା ଅଛି, ଅନ୍ୟପକ୍ଷରେ ଲକ୍ଡ଼ାଉନ ହଟାଇଲେ ଲୋକଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ମଧ୍ୟରେ ହୋଇଛି ଦୀର୍ଘ ମାନସମନ୍ଥନ । ଆସନ୍ତା ୩୧ ତାରିଖରେ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବା ପରେ ୫ମ ପର୍ଯ୍ୟାୟ ଘୋଷଣା ହେବ କି ନାହି ତାହାକୁ ନେଇ ଦେଶର ଦୁଇ ଶୀର୍ଷନେତା ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ରାଜ୍ୟର ମତାମତ ଅବଗତ କରିଛନ୍ତି । ୩୧ ମଇରେ ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ଶେଷ ହେବା ପୂର୍ବରୁ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଶ୍ରୀ ଶାହା ଆଲୋଚନା କରିଛନ୍ତି । ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କ’ଣ ମତ ରଖିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ କିଛି ରାଜ୍ୟ ଲକ୍ଡ଼ାଉନ ବୃଦ୍ଧି ସପକ୍ଷରେ ମତ ରଖିଥିବା ସୂଚନା ମିଳିଛି । ତେବେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କିଛି କଟକଣା କୋହଳ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ । ତେଣୁ ଲକ୍ଡ଼ାଉନ ଅବଧି ବଢ଼ିବ କି ନାହିଁ ତାହା ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ଏବଂ ୩୧ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଲକଡ଼ାଉନ ଅବଧି ବୃଦ୍ଧି ସପକ୍ଷରେ ଗୋଆ

ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଅତ୍ୟନ୍ତ ଗୁରୁତର। ସାରା ଦେଶର ୭୦% କରୋନା ସଂକ୍ରମିତ ଏହି ରାଜ୍ୟଗୁଡ଼ିକର ୧୧ ସହରରେ ରହିଛନ୍ତି । ତେଣୁ ଲକ୍ ଡ଼ାଉନ ଉଠାଇବା ଏହି ସହରଗୁଡ଼ିକ ପାଇଁ ଘାତକ ହେବ । ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଉ ଦୁଇ ସପ୍ତାହ ଲକ୍ଡ଼ାଉନ ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି । ତେବେ ରେଷ୍ଟୁରାଣ୍ଟ, ଜିମ୍, ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ସର୍ତ ସହ ଖୋଲାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ବନ୍ଦ ରହିବ ସ୍କୁଲ-କଲେଜ, ଆନ୍ତର୍ଜାତିକ ଉଡ଼ାଣ ହେବନାହିଁ

ଲକ୍ଡ଼ାଉନ ଅବଧି ବଢ଼ୁ କି ନ ବଢ଼ୁ ସ୍କୁଲ କଲେଜ କିନ୍ତୁ ଏବେ କୋଲିବାର ସମ୍ଭାବନା ନାହିଁ । ଜୁନ୍ ୧୫ ପର୍ଯ୍ୟନ୍ତ ଓ କିଛି ରାଜ୍ୟ ସ୍କୁଲ କଲେଜ ବନ୍ଦ ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା ମିଳିଛି । ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଉଡ଼ାଣ ଉପରେ କଟକଣା ଲାଗିବ । ଧାର୍ମିକ ସ୍ଥାନ ବା ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗୁଳୁରୁ, ପୁନେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରତ ଓ କଲିକତା ଆଦି ସହରରେ କଟକଣା ହଟିବାର ସମ୍ଭାବନା କମ୍ । ତେବେ ଜିମ୍ ଓ ସପିଂ ମଲ ଖୋଲିବ କି ନାହିଁ ତାହା ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଦିଆଯାଇ ପାରେ ।

Comments are closed.