ସ୍ଥାନୀୟ ବିରୋଧ ଯୋଗୁ କରୋନା ସନ୍ଦିଗ୍ଧଙ୍କ ଶବଦାହ ଅନ୍ୟତ୍ର କଲା ପ୍ରଶାସନ

କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ ନହୁଣୀ ଗ୍ରାମପଞ୍ଚାୟତର ଜଣେ ୭୫ ବର୍ଷର କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଶବ କେନ୍ଦ୍ରାପଡ଼ା ପୌରପାଳିକା ଅଧିନ କଜଳା ଶ୍ମଶାନରେ ଗୁରୁବାର ଦାହ କରାଯାଇଛି। ଏହି ବରିଷ୍ଠ ନାଗରିକ ଜଣକ କଲିକତାରୁ ନିକଟରେ ଫେରିଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ଘରକୁ ଫେରିଥିଲେ। ହେଲେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ମୃତଦେହ ସଂସ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଡରିଥିଲେ। ଏ ନେଇ ପ୍ରଶାସନକୁ ଅବଗତ କରିଥିଲେ। ଫଳରେ ପ୍ରଶାସନ ସହାୟତାରେ ମୃତଦେହକୁ କେନ୍ଦ୍ରାପଡ଼ା ଅଣାଯାଇ ଦାହ କରାଯାଇଛି। ଶବଦାହ ସମୟରେ ପୁଲିସ ପ୍ରଶାସନ ଉପସ୍ଥିତ ଥିବା ଜଣାପଡିଛି।