ମା’ର ମୃତଦେହ କୋଳରେ ଦୁଇମାସର ଶିଶୁକନ୍ୟା

ଆସିକା: କରୋନାର କରାଳ ରୂପ ଆସିକା ବ୍ଳକ ଅଞ୍ଚଳରେ ଦେଖିବାକୁ ମିଳିଛି। କିଏ ବାପାକୁ ହରାଇଛି ତ କିଏ ମା’କୁ ହରାଇଛି। ଆଉ କିଏ ଭାଇ ଓ ଭଉଣୀଙ୍କୁ ମଧ୍ୟ ହରାଇଛନ୍ତି। ଏହି ବ୍ଲକର ଗୋଲାପଲ୍ଲୀ ଗ୍ରାମରେ ଆଜି ଘଟିଥିବା ଦୁଃଖଦ ଘଟଣା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛନ୍ତି। ଜ୍ବର ଓ ଝାଡାରେ ପୀଡିତ ଜଣେ ମହିଳା ଘର ଭିତରେ ଆଜି ପ୍ରାଣ ହରାଇଛନ୍ତି। ହେଲେ ମା’ର ମୃତଦେହ କୋଳରେ ରାହା ଧରି ୨ ମାସର ଶିଶୁକନ୍ୟା ରାହା ଧରି କାନ୍ଦିବା ପରେ ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତ ମା’ କୋଳରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ଜିଲା ଶିଶୁ ଗୃହକୁ ହସ୍ତାନ୍ତର କରାଯାଇଛି। ମା’ର ମୃତଦେହକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିଧାନ କରି ସ୍ବେଚ୍ଛାସେବୀ, ପୁଲିସ ଓ ସରପଞ୍ଚ ସତ୍କାର କରିଛନ୍ତି।

ଏଭଳି ଏକ ଦୁଃଖଦ ଘଟଣାଟି ଘଟିଛି ଆସିକା ଥାନା ବରଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଲାପଲ୍ଲୀ ଗାଁରେ। ଏହି ଗଁାରେ ଭଡା ଘରେ ରହୁଥିବା ବିବାହିତ ୩୦ ବର୍ଷୀୟା ମହିଳା ଝିଲ୍ଲି ସାହୁ କିଛିଦିନ ଜ୍ୱର ଓ ଝାଡାରେ ଆକ୍ରାନ୍ତ ଥିଲେ। ତାଲା ବନ୍ଦ ଯୋଗୁ ସେ ଚିକିତ୍ସିତ ହେବାକୁ ପିଲାଟିକୁ ଧରି କୁଆଡେ ଯାଇ ପାରିନଥିଲେ। ଆସିକା ଉପଖଣ୍ଡ ଡାକ୍ତରଖାନା ଯିବାକୁ ସେ କୌଣସି ପ୍ରକାର ସୁବିଧା ପାଇନପାରି ଘର ଭିତରେ ହିଁ ଶିଶୁକୁ ଧରି ପଡି ରହିଥିଲେ। କରୋନ ଭୟରେ ସାହି ପଡିଶା ବି ସାହାଯ୍ୟ କରିବାକୁ ଭୟ କରିଥିଲେ। ମାମୁଡିହଁ ଗ୍ରାମର ସ୍ୱାମୀ ସଞ୍ଜୟ ସାହୁ ସୁରତରେ ଶ୍ରମିକ ରୁପେ କାର୍ଯ୍ୟ କରିବାକୁ ଚାଲି ଯାଇଛନ୍ତି।

ସଞ୍ଜୟ ଦୁଇବର୍ଷ ତଳେ ଝିଲ୍ଲିଙ୍କୁ ପ୍ରେମ ବିବାହ କରିଥିବାରୁ ଦୁଇ ପରିବାର କେହି ବି ଝିଲ୍ଲୀଙ୍କୁ ସହଯୋଗ କରିବାକୁ ଆଗଭର ହୋଇନଥିଲେ।ଚାରିଆଡୁ ନିରାଶ୍ରିତ ରୋଗିଣା ଝିଲ୍ଲୀ ଶେଷରେ ପ୍ରାଣ ହରାଇଛନ୍ତି। ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଲ୍ଲୀ କବାଟ ନ ଖୋଲିବା ଏବଂ ଘର ଭିତରୁ ଶିଶୁଟିର କ୍ରନ୍ଦନ ସ୍ବର ଶୁଣିବା ପରେ ଘର ମାଲିକ ନମିତା ପାଳ ସାହି ଲୋକଙ୍କ ସହଯୋଗରେ କବାଟ ତାଡିଥିଲେ। ଘର ଭିତରେ ଝିଲ୍ଲୀ ମରି ପଡିଥିବା ଦେଖି ଗଁାବାସୀ ବରଗାଁ ସମିତିସଭ୍ୟ ଶିବ ନାହକଙ୍କୁ ଖବର କରିଥିଲେ। ଖବର ପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଥିଲା। ମା’ କୋଳରୁ ଦୁଇମାସର ଶିଶୁ କନ୍ୟାକୁ ଆସିକା ସିଡିପିଓ ଭାରତୀ ମହାପାତ୍ର ଜିଲା ଶିଶୁ ବିଭାଗ ହାତରେ ହସ୍ତାନ୍ତର କରିବା ପରେ ଶିଶୁଟିକୁ ବ୍ରହ୍ମପୁର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି।

Comments are closed.