କରୋନା ଖୋଲୁଛି ଦାଦନ ବେଦନା

ଭବାନୀପାଟଣା (ବିଜୟ ଦ୍ୱିବେଦୀ):କରୋନା ଲକଡାଉନ ସମୟ ଯେତେଯେତେ ବଢ଼ିଚାଲିଛି ସେତେସେତେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଜିଲାର ଦାଦନ ଶ୍ରମିକଙ୍କୁ ନେଇ ଗୁମର ଫିଟିବାରେ ଲାଗିଛି। କଳାହାଣ୍ଡି ଜିଲାର ୧୩ଟି ବ୍ଲକ, ବଲାଙ୍ଗିର ଜିଲାର ୧୪ଟି ବ୍ଲକ, ନୂଆପଡା ଜିଲାର ୫ଟି ବ୍ଲକ ଅଞ୍ଚଳରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସର୍ବେକ୍ଷଣ ଅନୁସାରେ ଏହିସବୁ ଜିଲାରୁ ପ୍ରତିବର୍ଷ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଲକ୍‌ଡାଉନ ପଞ୍ଚମ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ମାତ୍ର ୩୦ରୁ ୫୦ ପ୍ରତିଶତ ଦାଦନ ଓ ଅନ୍ୟ ଶ୍ରମିକ ନିଜ ଜିଲାକୁ ଫେରିଥିବାବେଳେ ଲକ୍ଷାଧିକ ଦାଦନ ବର୍ତ୍ତମାନ ମଧ୍ୟ ବିଭିନ୍ନ ରାଜ୍ୟରେ ଫସିରହି ଭୋକ ଉପାସରେ କାଳ କାଟୁଥିବା ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

କରୋନା ଲକ୍‍ଡାଉନ୍‍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ କରାଯାଉଥିବା ପଞ୍ଜୀକରଣ ପରିସଂଖ୍ୟାନରୁ ଏସବୁ ଜିଲାର ଦାଦନ ଶ୍ରମିକଙ୍କ ସମ୍ପର୍କରେ ବହୁ ଅଜଣା ତଥ୍ୟ ମିଳୁଛି। ଏହା ଜଣାପଡିବା ପରେ ଦାଦନ ସମସ୍ୟାକୁ ନେଇ ପୁଣି ବିତର୍କ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପ୍ରତିବର୍ଷ ଦେଇଆସୁଥିବା ପରିସଂଖ୍ୟାନଠାରୁ ଏହା ଢେର୍‌ ବେଶି ହୋଇଥିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରବାସୀ ଶ୍ରମିକ ପରିସଂଖ୍ୟାନ ନେଇ ଖୋଦ୍‌ ପ୍ରଶାସନ ବି ଚିନ୍ତାରେ ପଡିଯାଇଛି। ଏହି ସମସ୍ତ ଲୋକ ଆସିଲେ କେମିତି କରୋନା ମୁକାବିଲା କରାଯିବ ଏବଂ ଏମାନଙ୍କୁ କେମିତି କର୍ମନିଯୁକ୍ତି ଦିଆଯିବ ତାହା ପ୍ରଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

୨୦୧୯-୨୦ ବିଧାନସଭାର ବଜେଟ୍‍ ଅଧିବେଶନ ସମୟରେ ରାଜ୍ୟ ସରକାର ଓଡିଶାରୁ ୧ ଲକ୍ଷ ୫୬ ହଜାର ୫ ଶହ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବା ଓ ସେଥିରୁ ମାତ୍ର ୨୬ ହଜାର ଆଇନଗତ ଭାବେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦର୍ଶାଇଥିଲେ; କିନ୍ତୁ କରୋନା ମହାମାରୀ ଲକ୍‌ଡାଉନ ସବୁ ସରକାରୀ ତଥ୍ୟକୁ ଗୋଳମାଳିଆ କରିଦେଇଛି। ଧୀରେଧୀରେ ଗୃହଫେରନ୍ତା ଶ୍ରମିକଙ୍କ ସଂଖ୍ୟା ଯେତେଯେତେ ବଢୁଛି ସରକାର, ଲୋକପ୍ରତିନିଧି, ପ୍ରଶାସନ ଓ ଶ୍ରମ ବିଭାଗର ଗୁମର ଖୋଲିବାରେ ଲାଗିଛି। ଏଥିରୁ ଜଣାପଡ଼ୁଛି ଯେ ନା ରାଜ୍ୟ ସରକାର ନା ଜିଲା ପ୍ରଶାସନ ନା ଶ୍ରମ ବିଭାଗ, କାହା ପାଖରେ ମଧ୍ୟ ଠିକ୍‌ ତଥ୍ୟ ନାହିଁ। ପୂର୍ବରୁ କେବଳ ଅନ୍ଧାରରେ ବାଡ଼ି ବୁଲାଯାଉଥିଲା, ତାହା ଏବେ ସ୍ପଷ୍ଟ ହେଉଛି।

ଦାଦନ ଶ୍ରମିକ ଭାବେ ଯେଉଁ ତିନିଟି ଜିଲାରୁ ବେଶି ଲୋକ ବାହାର ରାଜ୍ୟକୁ ଯାଇଥାନ୍ତି, ସେସବୁ ଜିଲାର କିଛି ତଥ୍ୟ ଦେଖିଲେ ଏହାର ସତ୍ୟତା ଜଣାପଡ଼ୁଛି। ଲକ୍‍ଡାଉନ ପରଠାରୁ, ଅର୍ଥାତ ମାର୍ଚ୍ଚ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲାର ୧୩ଟି ବ୍ଲକ ଓ ଭବାନୀପାଟଣା ପୌରପରିଷଦ ଏବଂ ୩ଟି ଏନ୍‍ଏସି ଅଞ୍ଚଳର ୬୮ ହଜାର ୪୦୯ ଜଣ ନିଜ ଘରକୁ ଫେରିବା ପାଇଁ ଗତ ୩ ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବାବେଳେ ୩୨ ହଜାର ୧୬୭ ଜଣ ଫେରିସାରିଛନ୍ତି। ସେମାନଙ୍କୁ ଜିଲାର ବିଭିନ୍ନ ପଞ୍ଚାୟତ ଓ ପୌର ଏବଂ ଏନ୍‍ଏସି ଅଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ସଂଗରୋଧ ଗୃହ ଏବଂ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।
ସେହିପରି ନୂଆପଡା ଜିଲାର ୫ଟି ବ୍ଲକ ଓ ୩ଟି ଏନ୍‍ଏସିରେ ୭୦ ହଜାର ୭୬୧ ଜଣ ନିଜ ଘରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ସେଥିମଧ୍ୟରୁ ୨୫ ହଜାର ୮୨୩ ଜଣ ନିଜ ଜିଲାକୁ ପ୍ରତ୍ୟାବର୍ତ୍ତନ କରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହୋମ୍‍ କ୍ୱାରେଣ୍ଟାଇନରେ ରହିଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗିର ଜିଲାରେ ୧୩ଟି ବ୍ଲକ ଓ ସମସ୍ତ ପୌରାଞ୍ଚଳ ଏବଂ ଏନ୍‍ଏସିରେ ବର୍ତ୍ତମାନ ସୁଦ୍ଧା ୯୩ ହଜାର ୩୮୬ ଜଣ ଘରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ନିଜ ଗ୍ରାମକୁ ଫେରି ସଂଗରୋଧ ଗୃହରେ ରହିଛନ୍ତି।
ଦାଦନ ଶ୍ରମିକଙ୍କୁ ନେଇ ସରକାର ଓ ଶ୍ରମ ବିଭାଗ ବିଭିନ୍ନ ସମୟରେ ଦେଇଥିବା ତଥ୍ୟ ବର୍ତ୍ତମାନ ବିଭିନ୍ନ ପଞ୍ଚାୟତରେ ଘରକୁ ଫେରିବା ପାଇଁ ପଞ୍ଜିକୃତ ହୋଇଥିବା ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରମିକଙ୍କ ତଥ୍ୟ ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି। ଏହିସବୁ ଜିଲାରେ ଥିବା ଶ୍ରମିକଙ୍କୁ ପ୍ରତିଦିନ ସରକାର କାମ ଯୋଗାଇ ପାରୁନଥିବାବେଳେ ବର୍ତ୍ତମାନ ବହିରାଗତ ଲକ୍ଷାଧିକ ଶ୍ରମିକଙ୍କୁ ସରକାର କିପରି କାମ ଯୋଗାଇ ପାରିବେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ମନରେଗାରେ କାମ ଯୋଗାଇ ଦେବା କଥା କହୁଥିବାବେଳେ ପ୍ରକୃତରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନେ ମନରେଗାରେ କାମ କରିବାକୁ କୁଣ୍ଠାବୋଧ କରୁଥିବା ଦେଖାଯାଉଛି; କାରଣ ସେମାନେ ବିଭିନ୍ନ ପ୍ରକାର କଳକାରଖାନା, ଇଟାଭାଟି, ଘର ନିର୍ମାଣ ଆଦି କାର୍ଯ୍ୟରେ ନିୟୋଜିତ ହୋଇ ଦୈନିକ ଅଧିକ ମଜୁରି ପାଉଥିବା ବେଳେ ଏଠାରେ ସେତିକି ଅର୍ଥ ମନରେଗାରେ ମିଳୁନଥିବା କହୁଛନ୍ତି। ସେମାନେ କାମ କରିବାକୁ ଅନିଚ୍ଛା ପ୍ରକାଶ କରିବା ଯୋଗୁଁ ବର୍ତ୍ତମାନ ସେମାନଙ୍କୁ ପ୍ରଶାସନ କେଉଁ ପ୍ରକାର କାମ ଯୋଗାଇଦେବ, ତାହା ଚିନ୍ତାର ବିଷୟ ହୋଇଛି।

Comments are closed.