କରୋନା ତାଲାବନ୍ଦ – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

ମାନସିକତା ପରିବର୍ତ୍ତନ ପାଇଁ ନିଆଯାଉ ପଦକ୍ଷେପ
କ୍ୱାରାଣ୍ଟାଇନ୍‍ରେ ରଖାଯାଉଥିବା ପ୍ରବାସୀ ଓଡ଼ିଆଙ୍କ ବିଶୃଙ୍ଖଳା ଅତ୍ୟନ୍ତ ନିନ୍ଦନୀୟ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏମାନେ ବିଭିନ୍ନ ଆଳ ଦେଖାଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। କ୍ୱାରାଣ୍ଟାଇନ୍‍ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ନଥିବା ଓ ଅନ୍ତେବାସୀଙ୍କ ଖରାପ ମାନସିକତା ପାଇଁ ଏପରି ହେଉଛି। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‍ କେନ୍ଦ୍ରରେ ରଖିବା ପୂର୍ବରୁ ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ଯଥେଷ୍ଟ ସଚେତନତା ସୃଷ୍ଟି କରି ମାନସିକତା ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଉ। ଏଥିସହ ପ୍ରବାସୀଙ୍କୁ ଅନ୍ୟ ପଞ୍ଚାୟତରେ ରଖି କ୍ୱାରାଣ୍ଟାଇନ କେନ୍ଦ୍ରରେ ଜଣେ ଲେଖାଏ ପୁଲିସ କର୍ମଚାରୀ ମୁତୟନର ବ୍ୟବସ୍ଥା କରାଗଲେ ସୁଫଳ ମିଳିପାରିବ।
ପ୍ରଜ୍ଞାପାରମିତା ସେଠୀ, ଗୁପ୍ତି, ରାଜନଗର, କେନ୍ଦ୍ରାପଡ଼ା

ରାଜ୍ୟ ସରକାର ପ୍ରବାସରେ ଓଡ଼ିଆଙ୍କୁ ଥଇଥାନ କରନ୍ତୁ
ପ୍ରବାସୀ ଓଡ଼ିଆମାନଙ୍କ ବିଷୟରେ ଟିଭି ଓ ଖବରକାଗଜରୁ ଜାଣିବା ପରେ ମନେହେଲୋ ବୋଧେ ସରକାର ଓଡ଼ିଆ ଭାଇମାନେ ଏଠାରେ ପହଞ୍ଚିଲା ପରେ ଟ୍ରାକିଂ ରଖୁନାହାନ୍ତି। ଯାହା ଫଳରେ କିଛି ପ୍ରବାସୀ ବସ୍‍ରୁ ଓହ୍ଲାଇବା ପରେ ଭୁବନେଶ୍ୱରରେ ବୁଲିନଥାନ୍ତେ। ମୋ ମତରେ ଯଦି ସରକାର ସେମାନେ ବର୍ତ୍ତମାନ କାର୍ୟ୍ୟ କରୁଥିବା ରାଜ୍ୟ ମୁଖ୍ୟଙ୍କ ସଙ୍ଗେ କଥାହୋଇ ସେଠାରେ ସେମାନଙ୍କୁ ୫୦% କାର୍ୟ୍ୟ ଦେଇ ପୁନଃ ଅବସ୍ଥାପିତ କରି ଥଇଥାନ କରିପାରନ୍ତେ ତାହେଲେ ସବୁ ଦିଗରୁ ଭଲ ହୁଅନ୍ତା।
ପ୍ରେମାନନ୍ଦ ରଥ, ବରିଷ୍ଠ ନାଗରିକ, ଭୁବନେଶ୍ୱର

କାର୍ୟ୍ୟକ୍ଷମ ହେଉ ସତ୍ୟବାଦୀ ତହସିଲ
କରୋନା ତାଲାବନ୍ଦ ହେଲା ପରେ ସରକାର ରାଜସ୍ୱ ବିଭାଗକୁ ୫୦% କର୍ମଚାରୀରେ କାର୍ୟ୍ୟାଳୟ ଚାଲିବା ପାଇଁ ଘୋଷଣା କରିଥିଲେ। ପୁରୀ ଜିଲା ସବୁଜ ଜୋନ ଥିଲେ ମଧ୍ୟ ସତ୍ୟବାଦୀ ତହସିଲ ଜନସାଧାରଣଙ୍କ ପାଇଁ ତାଲାବନ୍ଦ ହୋଇରହିଛି। ତେଣୁ ଏହି ସମୟ ମଧ୍ୟରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତହସିଲକୁ ବାରମ୍ବାର ଗଲେ ବି ଆପଣ ଏବେ ଆସନ୍ତୁ ନାହିଁ କହି ଫେରାଇ ଦେଉଛନ୍ତି। ୧ ବର୍ଷ ହେଲା ଜମି ପଟ୍ଟା ମିଳିପାରିଲା ନାହିଁ। ଘରବାଡ଼ି କିସମକୁ ପରିବର୍ତ୍ତନ ହେଲେ ଘର ତିଆରି ହେବ। ସରକାର ଘୋଷଣା କଲେ ୩ ମାସରେ ଜମିପଟ୍ଟା ଦେବାକୁ। ହେଲେ ବାସ୍ତବ କ୍ଷେତ୍ରରେ ଯାହା ଘଟୁଛି ଏଥିରୁ ଅନୁମେୟ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ତାଲାବନ୍ଦ ସମୟରେ ସାଧାରଣ ଲୋକେ ସେବା ପାଇପାରିବେ।
ଦାଶରଥି ପ୍ରଧାନ, ଜୟପୁର, ସତ୍ୟବାଦୀ, ପୁରୀ

ରେଳଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ
ତାଲାବନ୍ଦ ଶେଷ ହେବା ପରେ ସରକାର ରେଳ ଚଳାଚଳ କରାଇବେ। ସେଥିପାଇଁ ସମସ୍ତ ରେଳଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ଏୟାରପୋର୍ଟ ଭଳି ରେଳଷ୍ଟେସନରେ ମଧ୍ୟ ୨ ଘଣ୍ଟା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ଯାଞ୍ଚ କରାଯିବା ପରେ ରେଳଯାତ୍ରା ନିମନ୍ତେ ଅନୁମତି ଦିଆଯିବା ଉଚିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଯାତ୍ରୀମାନଙ୍କୁ ସଚେତନ କରାନଗଲେ କରୋନାର ଭୟାବହତା ଆହୁରି ବୃଦ୍ଧି ପାଇବ। ଏଥିପ୍ରତି ସରକାର ଦୃଷ୍ଟିଦେବାକୁ ଅନୁରୋଧ।
ମହେଶ ପ୍ରସାଦ ମହାନ୍ତି, ସୁନାବେଡ଼ା, କୋରାପୁଟ

ପଶ୍ଚିମବଙ୍ଗରୁ ଫେରିବାକୁ ସରକାର ସହାୟତା କରନ୍ତୁ
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ରାଇଗଞ୍ଜଠାରେ ଆମେମାନେ ମାର୍ଚ୍ଚ ୧୯ ତାରିଖରୁ ଅଟକି ରହିଛୁ। ଅପ୍ରେଲ ୧୫ ସୁଦ୍ଧା ଓଡ଼ିଶା ଫେରିଯିବୁ ବୋଲି ଭାବିଥିଲୁ। ମାତ୍ର ସରକାର ପୁଣି ପର୍ୟ୍ୟାୟ କ୍ରମେ ମେ ୧୭ ଯାଏ ତାଲାବନ୍ଦ ଅବଧିକୁ ବଢ଼ାଇଦେଲେ। ମାନସିକ ଚିନ୍ତା ଓ ନାନା ସମସ୍ୟା ମଧ୍ୟରେ ଆମେମାନେ ଘରଠାରୁ ଦୂରରେ ବଡ଼ କଷ୍ଟରେ ରହିଛୁ। ବ୍ରହ୍ମପୁର ପୁଲିସ ଏସ୍‍ପି, ବିଧାୟକ, ସାଂସଦ ସମସ୍ତଙ୍କୁ ଜଣାଇଥିଲେ ବି କେହି ଆମ କଥା ବୁଝୁନାହାନ୍ତି। ଓଡ଼ିଶା ସରକାର ଆମକୁ ବ୍ର୍ରହ୍ମପୁର ଫେରିବାରେ ସହଯୋଗ କରିବାକୁ ନିବେଦନ।
ବିଜୟ ପଟ୍ଟନାୟକ, ବ୍ରହ୍ମପୁର

ଘରୋଇ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ସହାୟତା ମିଳୁ
ତାଲାବନ୍ଦ ଯୋଗୁଁ ସମାଜ ଗଢ଼ୁଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇ ଦୁର୍ଗତି ମଧ୍ୟରେ ଗତି କରୁଛନ୍ତି। ସରକାର ପ୍ରତ୍ୟେକ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନରେ ନିୟୋଜିତ ହୋଇଥିବା ଶିକ୍ଷକ ଓ କର୍ମଚାରୀମାନେ ଏବେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇଛି। ସେମାନଙ୍କୁ ସରକାରୀ ନା ବେସରକାରୀ କିଛି ବି ସହାୟତା ମିଳୁନାହିଁ। ଏମାନଙ୍କ ଜୀବନ ଜୀବିକାକୁ ସମ୍ମାନ ଜଣାଇ ସରକାର ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବାକୁ ନିବେଦନ।
ଉଲ୍ଲାସ ଚନ୍ଦ୍ର ଜେନା, ଦୁର୍ଗାପୁର, ରାମେଶ୍ୱର, କଟକ

କ୍ଷୁଦ୍ର ସମ୍ବାଦପତ୍ରଗୁଡ଼ିକୁ ସହାୟତା ମିଳୁ
ସମଗ୍ର ରାଜ୍ୟରେ ତାଲାବନ୍ଦୀ ଜାରି ରହିଥିବାରୁ କ୍ଷୁଦ୍ର ସମ୍ବାଦପତ୍ର ଓ ଅନ୍ୟାନ୍ୟ ପତ୍ରପତ୍ରିକା ପ୍ରକାଶନ ପ୍ରାୟ ବନ୍ଦ ରହିଛି। ଏହିସବୁ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ପାରିଶ୍ରମିକ ନପାଇ ଘୋର ଦୁର୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି। ଏଗୁଡ଼ିକର ସମ୍ପାଦକ ଓ ସମ୍ବାଦଦାତାମାନେ ମଧ୍ୟ ଦୀର୍ଘ ଦିନ ଧରି ହାତବାନ୍ଧି ବସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କ୍ଷୁଦ୍ର ସମ୍ବାଦପତ୍ର ସଂସ୍ଥାଗୁଡ଼ିକୁ ସହାୟତା ଯୋଗାଇ ଦେଲେ ସେମାନେ ଉପକୃତ ହୋଇପାରନ୍ତେ।
କସ୍ତୁରୀ ରାୟ, ମର୍କତନଗର, କଟକ

ସନ୍ଧ୍ୟା ୬ରୁ ସକାଳ ୫ ଜାରିହେଉ କଟକଣା
ପୁଲିସ କମିସନର ଓ ସିଏମ୍‍ସି ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ସ୍ୱାଗତଯୋଗ୍ୟ। ତେବେ ପ୍ରାତଃ ଭ୍ରମଣ ପରେ ପନିପରିବା କିଣି ଘରକୁ ଫେରୁଥିବା ବରିଷ୍ଠ ନାଗରିକ ଓ ଅନ୍ୟ ବ୍ୟକ୍ତିମାନେ ଅସୁବିଧାରେ ପଡ଼ୁଛନ୍ତି। ପୁଲିସ ସେମାନଙ୍କୁ ୭ଟା ପରେ ପଦାକୁ ବାହାରିବା ଲାଗି ପରାମର୍ଶ ଦେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ହୋଇଥିବାରୁ ସକାଳ ୭ଟାରେ ତାପମାତ୍ରା ଢେର ବୃଦ୍ଧି ପାଉଛି। ଏହି ସମୟରେ ପ୍ରାତଃ ଭ୍ରମଣ ଶେଷ କରି ପରିବା କିଣିବା କଷ୍ଟକର ହୋଇପଡ଼ୁଛି। ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ରାସ୍ତାରେ ଯାତାୟାତ ଉପରେ କଟକଣା ଜାରି କରିବାକୁ ପ୍ରଶାସନକୁ ଅନୁରୋଧ।
ପ୍ରମିଳା ଦାସବର୍ମା, ଅଭିନବ ବିଡ଼ାନାସୀ, ୱାକର୍ସ କ୍ଲବ, ସିଡିଏ, କଟକ

କୋରାପୁଟରେ ବଢ଼ୁଛି ନକଲି ଚୋରା ମଦ କାରବାର
ମଦ ଦୋକାନ ବନ୍ଦ ଥାଇ କୋରାପୁଟରେ ଆରମ୍ଭ ହୋଇଯାଇଛି ନକଲି ମଦ କାରବାର। ସହରର ସାହିବସ୍ତିରେ ମିଳୁଛି ମଦ। ଲୋକେ ୩/୪ ଗୁଣା ଅଧିକ ଦରରେ ଏହି ମଦ କିଣିବାକୁ ପଛାଉ ନାହାନ୍ତି। ଚାହିଦା ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳ ଓ ବସ୍ତିରେ ତିଆରି ହେଉଛି ମଦ। ବାଇକ ଓ ସାଇକେଲରେ ଲୋକେ ବୁଲି ବୁଲି ମଦ ଯୋଗାଇ ଦେଉଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ ପ୍ରହସନରେ ପରିଣତ ହୋଇଛି। ଅପରପକ୍ଷେ ଅବକାରୀ ବିଭାଗ ପାଖରେ ଯଥେଷ୍ଟ ଭିତ୍ତିଭୂମି ନଥିବାରୁ ବିଭାଗ ଏକପ୍ରକାର ହାତଟେକି ବସିଛି।
ବଟକୃଷ୍ଣ ପ୍ରଧାନ, କୋରାପୁଟ

ଗ୍ରାମାଞ୍ଚଳରେ ସଚେତନ ହେଉନାହାନ୍ତି ଲୋକେ
କରୋନା ମହାମାରୀଜନିତ ତାଲାବନ୍ଦ ସମ୍ପର୍କରେ ଗ୍ରାମାଞ୍ଚଳରେ ଲୋକମାନେ ସଚେତନ ହେଉନାହାନ୍ତି। ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଦିଆଯାଇଥିବା ବେଳେ ଗ୍ରାମର ଆଶାକର୍ମୀ, ଅଙ୍ଗନବାଡ଼ି କର୍ମଚାରୀ ପ୍ରବାସୀ ଓଡ଼ିଆଙ୍କ ଫେରିବା ପରେ ସରକାରୀ ଭାବେ ପଞ୍ଜିକରଣ କରି ତାଙ୍କ କର୍ତ୍ତବ୍ୟ ସାରିଲା ଭଳି ଲାଗୁଛି। ଗ୍ରାମାଞ୍ଚଳର ଲୋକମାନେ ସରଳ, କମ ପାଠୁଆ ଓ କରୋନା ବିଷୟରେ ସେତେ ଜ୍ଞାତ ନାହାନ୍ତି। ତେଣୁ ସେମାନଙ୍କୁ ମେଳି ହେବା, ପଡ଼ିଆରେ ଖେଳିବା, ତାସ, ଲୁଡ଼ୁ ଆଦି ଖେଳରୁ ନିବୃତ୍ତ ହେବା ପାଇଁ ସଚେତନ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଛି।
ଇଂ ସୁଜିତ କୁମାର ପାଣିଗ୍ରାହୀ ଝାରସୁଗୁଡ଼ା

Comments are closed.