ଭାରତରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂକ୍ରମଣ; କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମାତ୍ର ବିଶେଷଜ୍ଞମାନେ ଏହାକୁ ମାନିବାକୁ ନାରାଜ । ଦେଶରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୦, ୫୩୫ ଛୁଇଁଛି। ଏଥିସହ କରୋନା ପ୍ରଭାବିତ ଦେଶ ତାଲିକାରେ ସାତ ନମ୍ୱରକୁ ଉନ୍ନୀତ ହୋଇଛି ଭାରତ। ଏଥିରୁ ୫,୩୯୪ ଜଣଙ୍କର ମୃତ୍ୟୁ ଘଟିଛି। ଜର୍ମାନ ପରି ଦେଶକୁ ମଧ୍ୟ ଭାରତ ଅତିକ୍ରମ କରିଛି ।

ଏପରି ସ୍ଥିତିରେ ଲକ୍ଡ଼ାଉନ ଉଠାଇବା ନିଷ୍ପତ୍ତି ସଠିକ ପଦକ୍ଷେପ ନୁହେଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ କେବଳ ଶେଷ ପର୍ଯ୍ୟାୟ ଲକ୍ଡ଼ାଉନ ସମୟରେ ଚିହ୍ନଟ ହୋଇଥିବାରୁ ଲକ୍ଡ଼ାଉନ ଅବଧି ବୃଦ୍ଧି ନିମନ୍ତେ ଏହି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ଗବେଷଣା ଗୋଷ୍ଠୀରେ ସାମିଲ ଥିବା କିଛି ବିଶେଷଜ୍ଞ ମଧ୍ୟ ସରକାରଙ୍କର ଏପରି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ପବ୍ଲିକ୍ ହେଲଥ ଆସୋସିଏସନ, ଆଇପିଏଚଏ, ଇଣ୍ଡିଆନ୍ ଆସୋସିଏସନ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋଶାଲ ମେଡିସିନ ବିଶେଷଜ୍ଞ କରୋନା ଗୋଷ୍ଠୀ ସଂକ୍ରମିତ ହୋଇଛି ବୋଲି କେନ୍ଦ୍ର ସରକାରଙ୍କୁ ଏକ ଚିଠି ଦେଇଛନ୍ତି।  ବର୍ତ୍ତମାନ ସ୍ଥିତିରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ହଟାଇ ଦେଇହେବ ବୋଲି ସରକାର ଆଶା କରିବା ଅବାସ୍ତବ। ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ପୁନଶ୍ଚ ପ୍ରବାସୀ ସଙ୍କଟକୁ ଯେଉଁଭଳି ମୁକାବିଲା କରାଯାଉଛି ତାହା ଭୂତାଣୁ ନିୟନ୍ତ୍ରଣ ଦିଗରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ସେମାନେ ବୋଲି ସତର୍କ କରି ଦେଇଛନ୍ତି।

Comments are closed.