କରୋନା କଟକଣା: ସହରାଞ୍ଚଳବାସୀ ଲକ୍ଷଣ ଲୁଚାଇଲେ ଚିର ଦିନ ପାଇଁ ଲୁଚି ଯିବେ, ପରିବାରକୁ ନିରାପଦରେ ରଖିବାକୁ କ୍ବାରେଣ୍ଟାଇନ୍‌ରେ ରହିବା ଜରୁରୀ

ସାମାନ୍ୟତମ କରୋନା ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ସରକାର କଟକଣା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସହରାଞ୍ଚଳବାସୀ କରୋନା ଲକ୍ଷଣ ଲୁଚାଇଲେ ଚିରଦିନପାଇଁ ଲୁଚିଯିବେ। ତେଣୁ ସେମାନେ କରୋନା ଲକ୍ଷଣ ଦେଖିବାମାତ୍ରେ ପରିବାର ସଦସ୍ୟଙ୍କୁ ନିରାପଦରେ ରଖିବା ଲାଗି ନିଜକୁ ତତ୍କାଳ କ୍ବାରେଣ୍ଟାଇନ୍‌ରେ ରଖିବା ଜରୁରୀ ବୋଲି ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି। ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ନିଜର ସାମାନ୍ୟତମ ଲକ୍ଷଣ ଦେଖିବାମାତ୍ରେ ନିଜକୁ କ୍ବାରେଣ୍ଟାଇନ୍‌ରେ ରଖିବେ। ସାମାନ୍ୟତମ କରୋନା ଲକ୍ଷଣକୁ ଅଣଦେଖା କରିବେ ନାହିଁ। ହୋମ୍‌ କ୍ବାରେଣ୍ଟାଇନ୍ କଦାପି ଖସିଯିବେ ନାହିଁ। ଯେଉଁମାନେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଖସି ଯିବାକୁ ଉଦ୍ୟମ କରୁଛନ୍ତି, ସେମାନେ ସରକାରଙ୍କ ଆଖିରୁ ଖସୁନାହାନ୍ତି, ଯମଦେବତାଙ୍କ କୋଳକୁ ଖସୁଛନ୍ତି। ବ୍ୟକ୍ତିମାନଙ୍କର କରୋନା ନମୁନା ପରୀକ୍ଷଣର ବ୍ୟବସ୍ଥା କରାଇବେ। ତେଣୁ, ଯଦି ଆପଣଙ୍କ ନିକଟରେ କରୋନାର କୌଣସି ସାମନ୍ୟତମ ଲକ୍ଷଣ ବି ଅଛି ତେବେ ବିନା ଭୟରେ ସେମାନଙ୍କୁ ଜଣାନ୍ତୁ ଓ ପରୀକ୍ଷଣ ସହ ଚିକିତ୍ସା କରାଇ ନିଜେ ସୁସ୍ଥ ହେବା ସହ ପରିବାରକୁ ନିରାପଦରେ ରଖନ୍ତୁ। ଆଉ ଯଦି ଲକ୍ଷଣ ଅଛି ତେବେ ତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରି ଯମରାଜାଙ୍କ କୋଳକୁ ଯିବା ପାଇଁ ବାଟ ପ୍ରସ୍ତୁତ କରନ୍ତୁ ନାହିଁ। ଏଥିରୁ ଅନ୍ୟଥା କଲେ ଲକ୍ଷଣ ଲୁଚାଇବା ଓ ଚିରଦିନ ପାଇଁ ମଧ୍ୟ ଲୁଚିଯାଇପାରିବା। ସରକାର ହେଉଛନ୍ତି ଆପଣଙ୍କ ବନ୍ଧୁ ଓ ଭରସା। ତେଣୁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଆଜି ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଜନଜୀବନକୁ ବଞ୍ଚାଇବାକୁ କଠୋରରୁ କଠୋରତମ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି।

Comments are closed.