କରୋନା କାଳରେ ରଥ: ମାନବ ସମାଜକୁ ବଡ଼ ଠାକୁର ଦେଇଗଲେ ୪ ବାର୍ତା

ଭୁବନେଶ୍ବର: କରୋନା କାଳରେ ରଥଯାତ୍ରା ନୂଆ ଇତିହାସ ସୃଷ୍ଟି କରିଛି । ମହାପ୍ରଭୁ ଶ୍ରୀମନ୍ଦିରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି । ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି । ଶୂନ୍ୟ ବଡ଼ଦାଣ୍ଡରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି । ଆଉ ଏହି ବିରଳ ରଥଯାତ୍ରା ସମୟରେ ବଡ଼ ଠାକୁର ଆମମାନଙ୍କୁ ଓ ମାନବ ସମାଜକୁ ୪ଟି ବାର୍ତା ଦେଇ ଯାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ କୋବିଦ ମୁଖପାତ୍ର ସୁବ୍ରତ ବାଗଚୀ ।

ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ବାଗଚୀ କହିଛନ୍ତି ଯେ ରଥଯାତ୍ରା ସମୟରେ ବଡ଼ ଠାକୁର ଆମକୁ ଧୈର୍ଯ୍ୟ, ଅନୁଶାସନ, ଏକତ୍ର ରହିବା ଓ ସ୍ବଳ୍ପରେ ସନ୍ତୁଷ୍ଟ ହେବାକୁ ଶିକ୍ଷା ଦେଇଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରା ବେଳେ ମହାପ୍ରଭୁ  ଧୈର୍ଯ୍ୟ ରଖିବାକୁ ବାର୍ତା ଦେଇଛନ୍ତି ।  ଲକ୍‌ଡାଉନ୍‌, କର୍ଫ୍ୟୁ ଓ ହୋମ୍‌ କ୍ୱାରେଣ୍ଟାଇନ୍ ପରି ଠାକୁର ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।  ଧୈର୍ଯ୍ୟ ରଖିଲେ ମୋ’ ରଥ ପରି ତୁମ ରଥ ଚାଲିବ ବୋଲି ମହାପ୍ରଭୁ କହିଛନ୍ତି।

ମହାପ୍ରଭୁ କରୋନା ସମୟରେ ଅନୁଶାସନକୁ ଗୁରୁତ୍ବ ଦେଇଛନ୍ତି । ଜଗତଠାକୁରଙ୍କ ବିନା କିଛି ସମ୍ଭବ ନୁହେଁ । ତଥାପି ସେ ସରକାର, ପ୍ରଶାସନ, ପୁଲିସର ଅନୁଶାସନ ମାନି ରହିଛନ୍ତି । ପରିଣତିସ୍ବରୂପ ସଞ୍ଜ ପୂର୍ବରୁ ତାଙ୍କ ରଥ ଶରଧାବାଲିରେ ପହଞ୍ଚିବା ସମ୍ଭବ ହୋଇ ପାରିଛି । ତେଣୁ ଅନୁଶାସନ ହିଁ ମଣିଷକୁ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ସକ୍ଷମ ହୋଇଥାଏ ଏହି ବାର୍ତା ମହାପ୍ରଭୁ ଦେଇ ଯାଇଛନ୍ତି ।

ସଂକଳ୍ପବଦ୍ଧ ଭାବରେ ଏକଜୁଟ ହେବା ହେଉଛି ମହାପ୍ରଭୁଙ୍କର ତୃତୀୟ ବାର୍ତା । ରତଯାତ୍ରାକୁ ନେଇ ଯାବତୀୟ ଶଙ୍କା ସତ୍ତ୍ବେ ବଡ଼ଦାଣ୍ଡରେ ରଥ ଗଡ଼ିଲା । କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ବାର୍ଷିକ ଯାତ୍ରାରେ ମାଉସୀ ଘରକୁ ଗଲେ । ରାଜ୍ୟ-କେନ୍ଦ୍ର-ସେବାୟତ-ଗଜପତି-ସାଧାରଣ ଲୋକ ସମସ୍ତେ ଏକାଠି ହେଲେ । ଉଚ୍ଚତମ ନ୍ୟାୟାଳୟର ଆଦେଶ ବି ବଦଳି ଗଲା। ସମସ୍ତେ ଏକାଠି ହୋଇ ପାରିବା ଯୋଗୁଁ ରଥଯାତ୍ରା ସମ୍ଭବ ହୋଇ ପାରିଲା ।

ମହାପ୍ରଭୁଙ୍କ ଶେଷ ବାର୍ତା ହେଉଛି ତ୍ୟାଗ । ତ୍ୟାଗ ସ୍ବୀକାର ଦ୍ବାରା ବହୁ ବଡ଼ବଡ଼ ବିପତ୍ତି ବି ଟଳି ଯାଇଥାଏ । ପରାକ୍ରମୀ ଶତ୍ରୁ, ଅସ୍ବାଭାବିକ ବିପଦ ଓ ଅବ୍ୟବସ୍ଥିତ ପରିସ୍ଥିତି ମଧ୍ୟ ତ୍ୟାଗ ନିକଟରେ ହାରିଯାଇଥାଏ । ଯେଉଁଠି ୧୦ ଲକ୍ଷ ଲୋକ ଏକାଠି ହୋଇ ରଥଯାତ୍ରା ଉପଭୋଗ କରନ୍ତି ଓ ରଥ ଟାଣନ୍ତି, ସେଠି ମାତ୍ର ଅଳ୍ପ କିଛି ସେବାୟତ ରଥକୁ ଟାଣି ନେବାକୁ ସକ୍ଷମ ହେଲେ। ଆବଶ୍ୟକ କ୍ଷେତ୍ରରେ ସ୍ବଳ୍ପରେ ସନ୍ତୁଷ୍ଟ ହେବା ଓ ତ୍ୟାଗ କରିବା ଶିଖିବା ଆବଶ୍ୟକ ବୋଲି ମହାପ୍ରଭୁ ଆମକୁ ଶିକ୍ଷା ଦେଇଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି ।

Comments are closed.