କରୋନା କବଳରେ ଶିକ୍ଷା ବ୍ୟବସ୍ଥା

ଅନ୍‍ଲାଇନ୍‍ ଶିକ୍ଷା ଲାଗି ଭିତ୍ତିଭୂମି ସୁଦୃଢ଼ ହେବା ଆବଶ୍ୟକ

ଅରୁଣ ମଜୁମଦାର

କରୋନା ମହାମାରୀ ଯୋଗୁଁ ସାରାଦେଶ ଲକ୍‍ଡାଉନ୍‍ରେ ଥିବାବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। କରୋନା ବିପତ୍ତି ସମଗ୍ର ଶିକ୍ଷାବ୍ୟବସ୍ଥାକୁ ଓଲଟପାଲଟ କରି ଦେଇଥିବାବେଳେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଏକ ମସ୍ତବଡ଼ ଆହ୍ୱାନ ହେବାକୁ ଯାଉଛି। ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ଚଳିତବର୍ଷର ପାଠ୍ୟକ୍ରମ ଶେଷ ହୋଇନଥିବାବେଳେ ପରୀକ୍ଷା ମଧ୍ୟ ହୋଇପାରିନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଥିବାବେଳେ ଶିକ୍ଷକମାନଙ୍କୁ କରୋନା ଡିଉଟି ଦିଆଯାଇଛି। ତେବେ କେତେକ ଶିକ୍ଷାନୁଷ୍ଠାନରେ ଅନ୍‍ଲାଇନ୍‍ ମାଧ୍ୟମରେ ପାଠପଢ଼ା ଚାଲିଛି ଏବଂ କୋର୍ସ ଶେଷ କରାଯାଉଛି। ଯଦିଓ ଅନ୍‍ଲାଇନ ବ୍ୟବସ୍ଥା ନିୟମିତ କ୍ଲାସରୁମ୍‍ ବା ସିଧାସଳଖ ପାଠପଢ଼ାର ବିକଳ୍ପ ହୋଇନପାରେ ତଥାପି କରୋନା ସ୍ଥିତିରେ ଏହାର ଆବଶ୍ୟକତା ରହିଛି।
ଆମ ରାଜ୍ୟରେ ‘ଓଡ଼ିଶା ଶିକ୍ଷା ସଂଯୋଗ’, ‘ମଧୁଆପ୍‍’ ଓ ଦୂରଦର୍ଶନ ମାଧ୍ୟମରେ ଅନ୍‍ଲାଇନ୍‍ ପାଠପଢ଼ା ଚାଲିଛି। ଏଭଳି ଦୂରଶିକ୍ଷା ପାଇଁ ଗୋଟିଏ ଶ୍ରେଣୀର ବା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ହ୍ୱାଟସ୍‍ଆପ୍‍ ଗ୍ରୁପ ବା ମାଇକ୍ରୋସଫ୍ଟ ଟିମ୍‍ ଗଠନ କରାଯାଇ ତା’ ମାଧ୍ୟମରେ ନୋଟ୍‍, ପ୍ରଶ୍ନୋତ୍ତର ଆଦି ଦିଆଯାଇ ଶିକ୍ଷକ, ଅଧ୍ୟାପକମାନଙ୍କ ଦ୍ୱାରା ଫୋନ୍‍କଲ୍‍ କିମ୍ବା ଭିଡିଓ କଲ୍‍ ମାଧ୍ୟମରେ ସେମାନଙ୍କର ସନ୍ଦେହମୋଚନ କରାଯାଉଛି। ସେହିପରି ଇଣ୍ଟରନେଟ୍‍ ଜରିଆରେ ଶିକ୍ଷାଦାନ ବା ଭର୍ଚୁଆଲ କ୍ଲାସ ରୁମ୍‍ ମଧ୍ୟ ଚାଲିଛି।
ପୂର୍ବରୁ ସ୍କୁଲରେ ମୋବାଇଲ ଫୋନ୍‍ ନେବା ମନା ଥିଲା, କିନ୍ତୁ ବର୍ତ୍ତମାନ ଏହା ଏକ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟଫୋନ୍‍ ବା ଆଣ୍ଡ୍ରଏଡ୍‍ ଫୋନ୍‍ରେ ଇଣ୍ଟରନେଟ ବା ଡାଟା କନେକ୍ସନ ମାଧ୍ୟମରେ ଅନ୍‍ଲାଇନ୍‍ ପାଠପଢ଼ା ଚାଲିଛି, କିନ୍ତୁ ରାଜ୍ୟର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା କିମ୍ବା ୩-ଜି, ୪-ଜି ସୁବିଧା ନାହିଁ କିମ୍ବା ପିଲାମାନଙ୍କର ଡାଟା ଖର୍ଚ୍ଚ ଦେବା ପାଇଁ ସାମର୍ଥ୍ୟ ନାହିଁ। ଫଳସ୍ୱରୂପ ସେମାନେ ଅନ୍‍ଲାଇନ୍‍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏଭଳି ପିଲାମାନେ ସ୍ମାର୍ଟଫୋନ୍‍ ଓ ଡାଟାବେସ୍‍ ଥିବା ପିଲାମାନଙ୍କ ପାଇଁ ହୀନମାନ୍ୟତାର ଶିକାର ହୋଇ ଅଧ୍ୟୟନ କ୍ଷେତ୍ରରେ ପଛେଇ ଯାଉଛନ୍ତି। ସେମାନଙ୍କର ମାନସିକ ଚାପ ବା ହତାଶାଭାବ ବୃଦ୍ଧି ପାଇ ମେଧା ପ୍ରଭାବିତ ହେବାର ଆଶଙ୍କା ରହିଛି। ପୁଣି ଏହାଦ୍ୱାରା ସାମାଜିକ ବୈଷମ୍ୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଆମ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲଗୁଡ଼ିକରେ ଅନ୍‍ଲାଇନ୍‍ ପାଠପଢ଼ା ଚାଲିଛି। ତେବେ ସର୍ବେକ୍ଷଣ ଅନୁସାରେ ନୋଡାଲରେ (୨ୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) ୨୨% ଏବଂ ଉଚ୍ଚ ବିଦ୍ୟାଳୟରେ (୯ମ ଓ ୧୦ମ ଶ୍ରେଣୀ) ୨୯% ଛାତ୍ରଛାତ୍ରୀ କେବଳ ଅନ୍‍ଲାଇନ୍‍ ପାଠପଢ଼ାର ସୁବିଧା ପାଉଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସେହିପରି ଅନ୍‍ଲାଇନ୍‍ ପାଠପଢ଼ା ବାଟବଣା ହେଉଛି। କେତେକ ବିଭାଗରେ ଏହା ସଫଳ ହୋଇଥିବାବେଳେ ଅନ୍ୟ ବିଭାଗଗୁଡ଼ିକରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ଅପରପକ୍ଷେ ଅଧିକାଂଶ ଶିକ୍ଷକ, ଅଧ୍ୟାପକମାନେ ଅନ୍‍ଲାଇନ୍‍ ବ୍ୟବସ୍ଥା ସହିତ ଅଭ୍ୟସ୍ତ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାର୍ଥୀଙ୍କୁ ନେଇ ଗଠନ କରାଯାଇଥିବା ହ୍ୱାଟସ୍‍ଆପ୍‍ ଗ୍ରୁପ ଉପରେ ଶିକ୍ଷକ, ଅଧ୍ୟାପକମାନଙ୍କର ନିୟନ୍ତ୍ରଣ ରହିପାରୁନାହିଁ। ପୁଣି, ଆଣ୍ଡ୍ରଏଡ୍‍ ଫୋନ୍‍ ଓ ନେଟ୍‍ କନେକ୍ସନ ଥିବା ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଫୋନ୍‍ ଚଳାଇବା କିମ୍ବା ପରିଚାଳନା ପାଇଁ ଦକ୍ଷତା ସମାନ ନୁହେଁ ଅଥବା ଏ ଦିଗରେ ସେମାନଙ୍କୁ ମାର୍ଗଦର୍ଶନ ପାଇଁ ସେଭଳି କୌଣସି ପ୍ରଶିକ୍ଷକ ମଧ୍ୟ ସହଜରେ ମିଳନ୍ତି ନାହିଁ।
ସେହିପରି ଅନ୍‍ଲାଇନ୍‍ ଖାତାଦେଖା ମଧ୍ୟ ଆରମ୍ଭ ହେବା ସହିତ କେତେକ ସ୍ଥଳରେ କରୋନା ନିୟମକୁ ମାନି ଅଫ୍‍ଲାଇନ୍‍ ଖାତାଦେଖା ମଧ୍ୟ ଆରମ୍ଭ ହୋଇଛି। ତେବେ ଅନ୍‍ଲାଇନ୍‍ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିରୋଧ କରୁଛନ୍ତି, କାରଣ ସେମାନଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ହୋଇନାହିଁ। ଅବଶ୍ୟ ଇତିମଧ୍ୟରେ ଅଧିକାଂଶ ପରୀକ୍ଷା ବାତିଲ କରାଯାଇଛି କିମ୍ବା ଘୁଞ୍ଚାଇ ଦିଆଯାଇଛି।
ତେବେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଧ୍ୟାନରେ ରଖି ବିକଳ୍ପ ବ୍ୟବସ୍ଥା କରି ବାକିଥିବା ପାଠ୍ୟକ୍ରମଗୁଡ଼ିକର ଶିକ୍ଷାଦାନ ଏବଂ ତାହାର ସଠିକ୍‍ ମୂଲ୍ୟାୟନ କରିବା ବର୍ତ୍ତମାନ ଶିକ୍ଷା ବିଭାଗ ଓ ଶିକ୍ଷକ ସମାଜ ପାଇଁ ଏକ ଚିନ୍ତାର ବିଷୟ ହୋଇଛି।
ଅବଶ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ଯୋଜନା କରୁଛନ୍ତି ଏବଂ ତା’ ସହିତ ବାକି ରହିଯାଇଥିବା ପରୀକ୍ଷାଗୁଡ଼ିକୁ ମଧ୍ୟ ଯଥାଶୀଘ୍ର ଶେଷ କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାମାନଙ୍କୁ କ୍ଲାସ ପ୍ରମୋସନ ଦେଇ ଉଚ୍ଚଶ୍ରେଣୀକୁ ଉତ୍ତୀର୍ଣ୍ଣ କରିସାରିଛନ୍ତି ଏବଂ ନବମ, ଦଶମ ଶ୍ରେଣୀ ପାଇଁ ମଧ୍ୟ ସେହିପରି ବିଚାର କରୁଛନ୍ତି। ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆସନ୍ତା ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମକୁ ସଂକ୍ଷେପ ଓ କମ୍‍ କରି ଦିଆଯିବ ବୋଲି ଘୋଷଣା କରିଛନ୍ତି। ତେବେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍‍ଲାଇନ୍‍ ପାଠପଢ଼ା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଭିତ୍ତିଭୂମି ସଜାଡ଼ି ସୁଦୃଢ଼ କରିବାକୁ ପଡ଼ିବ ଏବଂ ତା’ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ହେଉଥିବା ଉପକରଣମାନ ଯୋଗାଇଦେଇ ଏଥିପାଇଁ ଉନ୍ନତମାନର ଉପଯୁକ୍ତ ତାଲିମ ଦିଆଯିବା ଦରକାର।
ବରିଷ୍ଠ ଶିକ୍ଷାବିତ୍‍, ବ୍ରିଜ୍‍ଧାମ, କୃଷ୍ଣା-୦୧, ଜିଏମ୍‍ କଲେଜ ରୋଡ଼, ସମ୍ବଲପୁର-୭୬୮୦୦୧