୧୩ରେ ପଜିଟିଭ ୧୫ରେ ଡିସଚାର୍ଜ – ଯୁବକ ହଟହଟା, ଗାଁରୁ ଫେରିଲେ ଡାକ୍ତରଖାନା

ଗୋପାଳପୁର: ପଜିଟିଭ ଚିହ୍ନଟର ଦିନକ ପରେ ଜଣେ କରୋନା ଆକ୍ରାନ୍ତ ଯୁବକଙ୍କୁ କର୍ତ୍ତୃପକ୍ଷ ଡାକ୍ତରଖାନାରୁ ଛାଡ କରିବା ଏବଂ ଯୁବକଜଣକ ଘରେ ପହଞ୍ଚିବା ବେଳକୁ ଗାଁବାସୀଙ୍କ ଆଡୁ ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ଉପାୟ ନପାଇ ପୁନର୍ବାର ଡାକ୍ତରଖାନାକୁ ଫେରିଯିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତ ଅଧିନସ୍ଥ ନୂଆବକ୍ସପଲ୍ଲୀ ଗ୍ରାମର ଜଣେ ଯୁବକ ଗତ ୪ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲ ଯାଇ ଡାକ୍ତର ପରାମର୍ଶ କ୍ରମେ ଔଷଧ ସେବନ କରୁଥିଲେ। ଏହାସହ ସେ ନିଜ ଘରେ ଗୋଟିଏ ରୁମରେ ସଂଗରୋଧରେ ରହି ଆସୁଥିଲେ। ୯ ତାରିଖରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ବ୍ରହ୍ମପୁର ସିଟି ହସପିଟାଲରେ ଭର୍ତ୍ତି ହୋଇଥିଲେ। ସଠାରେ ତାଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ସେ ୧୪ ତାରିଖ ପର୍ୟ୍ୟନ୍ତ ସିଟି ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଉପଯୁକ୍ତ ଚିକିତ୍ସା ସହ ଖାଦ୍ୟପେୟ ଦିଆଯାଉନଥିବା ନେଇ ସରପଞ୍ଚ ପ୍ରତିନିଧି ଡି.ପଦ୍ମନାଭଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ପଦ୍ମନାଭ ବ୍ଲକ ପ୍ରଶାସନ ସହ ଯୋଗାଯୋଗ ବେଳେ ଚିକିତ୍ସିତ ଯୁବକ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ପାଇଥିଲେ। ଏହାପରେ ନୂଆ ବକ୍ସିପଲ୍ଲୀ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସରପଞ୍ଚ ଡି.ଜ୍ୟୋତିଙ୍କ ପକ୍ଷରୁ ଗ୍ରାମର ପ୍ରବେଶ ପଥରେ ବ୍ୟାରିକେଡ ନିର୍ମାଣ କରାଯାଇଥିଲା।

ସିଟି ହସପିଟାଲରେ ଚିକିତ୍ସିତ ଥିବା ଯୁବକ ଜଣକ ଗତ ୧୫ ତାରିଖ ଅପରାହ୍ନରେ ମେଡିକାଲରୁ ଡିସଚାର୍ଜ ହେବା ସହ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିଥିଲେ। କିନ୍ତୁ ଗାଁ ଲୋକେ ସହଜରେ ଗ୍ରହଣ ନ କରିପାରି ଯୁବକଙ୍କ ଘର ସମ୍ମୁଖରେ ହୋ-ହଲ୍ଲା କରିଥିଲେ। ପଜିଟିଭ ଆକ୍ରାନ୍ତ ସତ୍ତ୍ୱେ ଯୁବକ ଜଣକ ଗାଁ କୁ କିପରି ଆସିଲେ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଗାଁ ଛାଡ଼ିବାକୁ ଚାପ ପକାଇଥିଲେ। ଖବର ପାଇବା ପରେ ସରପଞ୍ଚ ଗାଁ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କରୋନା ପଜିଟିଭ ଯୁବକଙ୍କୁ ଗାଁରୁ ବାହାର କରିବାକୁ ଅଡି ବସିଥିଲେ। ଶେଷରେ ସରପଞ୍ଚଙ୍କ ପକ୍ଷରୁ ଗ୍ରାମରେ ପ୍ରସ୍ତୁତ ହୋଇଥିବା କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରେ ଯୁବକଙ୍କୁ ରଖାଯାଇଥିଲା। କିନ୍ତୁ ରାତି ୧୧ ଟା ବେଳେ ଶିବିରରେ ରହିଥିବା ଯୁବକ ଜଣକ ଗାଁ ଲୋକଙ୍କୁ ଭୟ କରି ଘରୁ ମୋଟରସାଇକେଲ ଆଣି ପୁଣିଥରେ ବ୍ରହ୍ମପୁର ସିଟି ହସପିଟାଲ ପହଞ୍ଚିଥିଲା। ତାଙ୍କୁ ସେଠାରେ ରାତିରେ ଆଶ୍ରୟ ଦେବାକୁ ନେହୁରା ହୋଇଥିଲେ। କାର୍ୟ୍ୟରତ ଡ଼ାକ୍ତର ଜଣକ ଦୟା ଦେଖାଇ ରାତିରେ ମେଡିକାଲରେ ଆଶ୍ରୟ ଦେଇଥିଲେ। ଗୁରୁବାର ସକାଳେ ଯୁବକଟି ତାଙ୍କ ପ୍ରତି ଗାଁରେ ହୋଇଥିବା ଅନ୍ୟାୟ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଯୁବକଙ୍କୁ ଗାଁ ବିଦ୍ୟାଳୟରେ ରଖିବା ବ୍ୟବସ୍ଥା କରିବାକୁ ସରପଞ୍ଚଙ୍କୁ ନିର୍ଦେଶ ଦିଆଯାଇଛି।

୯ ତାରିଖରେ ଯୁବକଙ୍କ ସ୍ବାବ ନମୁନା ପରୀକ୍ଷା ନିମନ୍ତେ ନିଆଯାଇଥିଲେ ମଧ୍ୟ ଆଜି ଯାଏଁ ସେ ପଜିଟିଭ ଆକ୍ରାନ୍ତ ସଂକ୍ରାନ୍ତରେ ସରକାରୀ ଭାବେ ତଥ୍ୟ ଦିଆଯାଇନି। ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ସିଟି ହସପିଟାଲରେ ରହିବେ ବୋଲି ଯୁବକ ଜଣକ ସୂଚନା ଦେଇଛନ୍ତି। ଏହି ସବୁ ଘଟଣା ପରେ କରୋନା ପରିଚାଳନା ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କେତେ ତତ୍ପରତା ଦେଖାଉଛନ୍ତି ତାହା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ ୧୩ ତାରିଖରେ ଯୁବକଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ଏବଂ ସେ ସଂକ୍ରାନ୍ତ ରିପୋର୍ଟ ସମସ୍ତଙ୍କୁ ଅବଗତ କରାଯାଇଥିବା ସିଡିଏମଓ ଅଫିସ ସୂତ୍ରରୁ ପ୍ରକାଶ।

Comments are closed.