କରୋନା ମୁକାବିଲା ଓ ମାସ୍କ ବ୍ୟବହାର ସଚେତନତା ପାଇଁ ବୁଲିବ ମୋବାଇଲ୍‌ ଭ୍ୟାନ୍‌

ଭୁବନେଶ୍ବର: ରାଜ୍ୟର ହଟ୍‌ସ୍ପଟ୍ ସହର ଭୁବନେଶ୍ବର। ଏଠାରେ ସର୍ବାଧିକ କରୋନା ଭୂତାଣୁ ସଂକ୍ରମିତ ରୋଗିଙ୍କୁ ଚିହ୍ନଟ କରାଯାଇଛି। ଘରୁ ବାହାରିବା ପରେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବାଧ୍ୟତାମୂଳକ କରାଯାଇଛି। ତେବେ ରାଜଧାନୀବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଅଣ୍ଟାଭିଡ଼ିଛି ଓର୍‌ମାସ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ୍‌ ପକ୍ଷରୁ ମାସ୍କ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବାକୁ ଏକ ମୋବାଇଲ୍‌ ଭ୍ୟାନ୍‌ ଆସନ୍ତାକାଲି(ସୋମବାର)ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ। ଏଥିରେ କରୋନା ମୁକାବିଲାର ସଚେତନତା ବାର୍ତ୍ତା ସହ ମାସ୍କ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଏଥିସହିତ ଏହି ମୋବାଇଲ୍‌ ଭ୍ୟାନ୍‌ ଜରିଆରେ ମଧ୍ୟ ମାସ୍କ ବିକ୍ରି କରାଯିବା ନେଇ ବ୍ୟବସ୍ଥା ରହିଛି। ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ମାସ୍କ ରାଜ୍ୟର ବିଭିନ୍ନ ଜିଲା ସଦର ମହକୁମା ଏବଂ ବ୍ଲକସ୍ତରରେ ମଧ୍ୟ ବିକ୍ରି କରିବାରେ ଓର୍‌ମାସ୍ ସହଯୋଗ କରୁଛି। ସାଧାରଣ କପଡ଼ାରେ ତିଆରି ଏବଂ କମ୍‌ ଦର ଯୋଗୁ ଲୋକଙ୍କ ମଧ୍ୟରେ ଏହି ମାସ୍କ ଲୋକଙ୍କ ମଧ୍ୟରେ ଆଦୃତ ଲାଭ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

Comments are closed.