କରୋନା କଟକଣା; ଚଳିତବର୍ଷ ବାଲିଯାତ୍ରା ବନ୍ଦ

କଟକ: କରୋନା ମହାମାରୀ ପାଇଁ ଚଳିତବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଆୟୋଜନ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ କରୋନାସ୍ଥିତି ସୁଧୁରି ନଥିବାରୁ ବାଲିଯାତ୍ରା ଭଳି ବିରାଟ ମହୋତ୍ସବ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଜିଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ଆରମ୍ଭର ଗୋଟିଏ ଦିନପୂର୍ବରୁ ଜିଲାପାଳଙ୍କ ଏହି ସୂଚନା କଟକ ବାସିନ୍ଦାଙ୍କ ଭଳି ବାଲିଯାତ୍ରା ସହ ବିଭିନ୍ନ ଦିଗରୁ ବର୍ଷ ବର୍ଷ ଧରି ସଂଶ୍ଳୀଷ୍ଟ ହୋଇଆସୁଥିବା ଜନସାଧାରଣଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଛି। ଯାତ୍ରା ସହ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଓ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ ନାହିଁ। ଏ ସମ୍ପର୍କରେ ପ୍ରତିବର୍ଷ ଆନୁଷ୍ଠାନିକ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରୁଥିବା ଅନୁଷ୍ଠାନଗୁଡିକୁ ଅବଗତ କରିଦିଆଯାଇଛି। ବୋଇତ ବନ୍ଦାଣ ବନ୍ଦ ରଖାଯାଇଥିବାବେଳେ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବଡଓଷା ମଧ୍ୟ ଅନୁଷ୍ଠିତ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ମନ୍ଦିରରେ ରୀତିନୀତି ଅନୁଯାୟୀ ବଡ଼ଓଷା ପାଳନ କରାଯିବ। ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କୁ ମନ୍ଦିରକୁ ଯିବା ଉପରେ କଟକଣା ଜାରି କରାଯିବ ବୋଲି ଜିଲାପାଳ ଶ୍ରୀ ଚୟନୀ କହିଛନ୍ତି।

ପ୍ରକାଶ ଯେ, ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ୮ଦିନ ଧରି ମହାନଦୀ ଶଯ୍ୟାରେ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବା ସହ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥାଏ। ଓରମାସ୍‌ ସମେତ ଜିଲା ପ୍ରଶାସନ ପକ୍ଷରୁ ୧୩୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇ ବେପାରର ସୁଯୋଗ ସୃଷ୍ଟି କରାଯାଇଥାଏ। ଏହି ମେଳାକୁ କେବଳ କଟକ ନୁହେଁ, ସାରା ଦେଶର ବିଭିନ୍ନ ପ୍ରଦେଶରୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀ ସହ ବ୍ୟବସାୟ କରିବାକୁ ଆସିଥାନ୍ତି। ମେଳାରୁ ସେମାନେ ଭଲ ବ୍ୟବସାୟ ମଧ୍ୟ କରିଥାନ୍ତି। ଚଳିତବର୍ଷ କରୋନା ମହାମାରୀ ପାଇଁ ପ୍ରଶାସନ ବାଲିଯାତ୍ରା ମହୋତ୍ସବ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ବହୁ ବ୍ୟବସାୟୀ ରୋଜଗାର ହରାଇବେ। ୨୦୨୦ ମାର୍ଚ ଶେଷ ସପ୍ତାହରେ ମହାମାରୀ କରୋନାର ଭାରତପ୍ରବେଶ ପରଠାରୁ ବିଭିନ୍ନ ଆଧ୍ୟାତ୍ମକସ୍ଥଳଗୁଡିକ ଉପରେ କଟକଣା ଜାରି କରାଯାଇଥିଲା। ରୋଗ ବ୍ୟାପିବାରେ ଆଶଙ୍କାରେ ବିଭିନ୍ନ ଅଧ୍ୟାତ୍ମକସ୍ଥଳଗୁଡିକରେ କେବଳ ଔପଚାରିକତା ଅବଲମ୍ବନ କରାଯାଉଥିବା ବେଳେ ସମସ୍ତ ଜାନିଯାତ୍ରାକୁ ବନ୍ଦ କରିଦିଆଯାଇଛି। ଏହିକ୍ରମରେ ଚଳିତବର୍ଷ ଓଡ଼ିଶାରେ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରାଠାରୁ ଆରମ୍ଭ କରି ରଜ, ଶୀତଳଷଷ୍ଠୀ, ରଥଯାତ୍ରା, ଇଦ୍‌, ଗଣେଷପୂଜା, ବିଶ୍ବକର୍ମାପୂଜା, ଦଶହରା ଭଳି ସମସ୍ତ ଯାନିଯାତ୍ରାକୁ କାଣ୍ଟଛାଣ୍ଟ କରାଯାଇଛି। ଏବେ ଲକ୍ଷ୍ମୀପୂଜାକୁ ମଧ୍ୟ କରୋନା ନିୟମ ମଧ୍ୟରେ ପାଳନ କରାଯାଉଛି। ଆସନ୍ତା ଏକମାସ ପରେ ହେବାକୁ ଥିବା ଚଳିତବର୍ଷର ପାର୍ବଣର ଶେଷ ଉତ୍ସବ ବାଲିଯାତ୍ରା ମଧ୍ୟ କରୋନା ନିୟମଭୁକ୍ତ ହେବା ଘଟଣା ଅନେକଙ୍କୁ ନିରୁତ୍ସାହିତ କରିଛି।

ଧବଳେଶ୍ୱରଙ୍କ ପୀଠରେ ବଡଓଷା ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ମନ୍ଦିରର ପୂଜକ ପରିବାର ଓ ସେଠିକା ବ୍ୟବସାୟୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। କାର୍ତ୍ତିକବ୍ରତ ପାଳନ କରୁଥିବା ଜନସାଧାରଣ ପଞ୍ଚକରେ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନ କରିବାର ଏକ ଆଧ୍ୟାତ୍ମକ ପରମ୍ପରା ବର୍ଷ ବର୍ଷ ଧରି ରହି ଆସିଥିବା ବେଳେ ଚଳିତବର୍ଷ ଭକ୍ତମାନେ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ। ପଞ୍ଚକର ଶେଷ ଦିବସରେ ସୋଲ, କାଗଜ ଓ କଦଳି ବାହୁଙ୍ଗାରେ ଡଙ୍ଗା ତିଆରି କରି ତାକୁ ନଦୀ ତଥା ବିଭିନ୍ନ ଜଳାଶ୍ରୟରେ ଭସାଇ ମାସକର ପୂଣ୍ୟ ଅର୍ଜନ କରିବାର ପରମ୍ପରାରେ ମଧ୍ୟ କରୋନା କଟକଣା ଲାଗୁ କରାଯିବାଦ୍ବାରା ଏହା ଅନେକଙ୍କୁ ନିରୁତ୍ସାହିତ କରିଛି। ସରକାରଙ୍କ ବ୍ୟାପକ ଚେଷ୍ଠା ସତ୍ତ୍ବେ କରୋନା ନିୟନ୍ତ୍ରଣାଧୀନ ହୋଇ ନଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ।

Comments are closed.