ଲୋକେ ମାନୁନାହାନ୍ତି ସାମାଜିକ ଦୂରତା: ପରିବା, ଫଳ, ତେଜରାତି, ମାଂସ ଦର ବୃଦ୍ଧି

ଭୁବନେଶ୍ବର : କରୋନା ପାଇଁ ତାଲା ବନ୍ଦ ଘୋଷଣା ପରେ ଏବେ ସାରା ରାଜ୍ୟରେ ବଜାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଯଥାରେ ଆତଙ୍କିତ ନହେବା ଏବଂ ତରବରିଆ ଭାବେ ଅଧିକ ଜିନିଷ କିଣି ଘରେ ମହଜୁଦ ନ ରଖିବାକୁ ପରାମର୍ଶ ଦେଉଛନ୍ତି। କଳାବଜାରରୁ ନିବୃତ୍ତ ରହିବା ସହିତ ଅନାବଶ୍ୟକ ଭାବେ ମାଲ ମହଜୁଦ କରି ବଜାରରେ ଆତଙ୍କ ସୃଷ୍ଟି ନକରିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏ ନେଇ ବାରମ୍ବାର ନିର୍ଦେଶନାମା ଜାରି କରୁଛନ୍ତି; ମାତ୍ର ରାଜ୍ୟ ସରକାରଙ୍କ ଏ ଚେତାବନୀ ଓ ପରାମର୍ଶର କୌଣସି ପ୍ରଭାବ ବଜାର ଉପରେ ପଡ଼ିନାହିଁ। ଆଜିର ବଜାର ପରିସ୍ଥିତିକୁ ଦେଖିଲେ ବଜାର ଉପରେ ଯୋଗାଣ ବିଭାଗର କୌଣସି ନିୟନ୍ତ୍ରଣ ଥିବା ଭଳି ମନେ ହେଉନାହିଁ। କେଉଁଠି ଅତ୍ୟଧିକ ଶସ୍ତାରେ ଜିନିଷ ବିକ୍ରି ହେଉଛି ତ କେଉଁଠି ଆକାଶ ଛୁଆଁ ଦର। ଲକଡାଉନ ଘୋଷଣା ପରେ ଆଜି ଦିନ ତମାମ ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି କଟକ ସମେତ ରାଜ୍ୟର ବଡ଼ ବଡ଼ ସହର ବଜାର ପରିସ୍ଥିତି ସଙ୍ଗିନ ହୋଇପଡ଼ିଥିଲା। ବଜାରରୁ ଜିନିଷ କିଣିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଓ ମାଛ ମାଂସ ବଜାରରେ ଅସମ୍ଭବ ଭିଡ଼ ଲାଗିରହିଥିଲା। ଅସାଧୁ ବ୍ୟବସାୟୀ ଏ ସୁଯୋଗ ହାତଛଡ଼ା କରି ନଥିଳେ। ଅଧିକାଂଶ ହାଟ ବଜାରରେ ମନମୁଖୀ ଭାବେ ଅତ୍ୟଧିକ ଲାଭ ରଖି ଜିନିଷ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଥିଲା।
ଭୁବନେଶ୍ବରର ଏକନମ୍ବର ହାଟଠାରୁ ଅନ୍ୟାନ୍ୟ ବଜାର କେଉଁ ନିର୍ଦିଷ୍ଟ ସମୟରେ ଖୋଲା ରହିବ ସେଥିପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଭିତରେ ଖାଉଟିଙ୍କ ସୁବିଧା ପାଇଁ ବଜାର ଖୋଲା ରଖିବା ନିମନ୍ତେ ସରକାରୀ ଭାବେ ଘୋଷଣା କରାଯାଇଛି। ହେଲେ ଅଳ୍ପ କେତେକ ବଜାରକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ବଜାରରେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି। ବଜାର ଭିତରେ ସାମାଜିକ ଦୂରତା ରକ୍ଷା ପାଇଁ ବାରମ୍ବାର ପ୍ରଚାର ପ୍ରସାର କରାଯାଉଥିଲେ ହେଁ ଆଜି ଏସବୁକୁ ଭାଙ୍ଗି ଲୋକେ ଅସମ୍ଭବ ଭିଡ଼ ଜମାଇଥିଲେ।
ବଜାରକୁ ନିୟନ୍ତ୍ରଣକୁ ଆଣିବା ସକାଶେ ଯୋଗାଣ ବିଭାଗ କ୍ଷେତ୍ର ସ୍ତରୀୟ କର୍ମଚାରୀ କିମ୍ବା ବଜାର ଗୁଇନ୍ଦା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।