ଆଠଗଡ ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତା ବଢାଉଛି

ଆଠଗଡ : ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ପ୍ରଭୃତି ୪ଟି ବ୍ଲକ ଏବଂ ଆଠଗଡର ଏନଏସି ସମେତ ସମଗ୍ର ଆଠଗଡ ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଚାଲିଛି। ଏପଟେ ଆକ୍ରାନ୍ତ ସଂଖ୍ୟା ବଢୁଥିବାବେଳେ ଉପଖଣ୍ଡର ଅଧିବାସୀ ଆବଶ୍ୟକତା ଅନୁଯାୟୀ ସତର୍କ ବା ସଚେତନ ହେଉନାହାନ୍ତି। ଲକ୍ଷଣ ଥାଇ ବହୁସଂଖ୍ୟକ ଲୋକ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ତେଣୁ ଏହି ପରିସ୍ଥିତି ଏବେ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ। ଏଥିରେ ତିଳେମାତ୍ର ଆଶଙ୍କା ପ୍ରକାଶ ପାଉଛି। ଅନ୍ୟ ଦିଗରେ ୪ଟି ଯାକ ବ୍ଲକ ପ୍ରଶାସନ ମଧ୍ୟ କରୋନା ନିୟନ୍ତ୍ରଣ ପାଇଁ ସେପରି କୌଣସି ଠୋସ୍‍ ପଦକ୍ଷେପ ନେଉନାହାଁନ୍ତି କିମ୍ବା ସେମାନଙ୍କ ପାଖରେ ସଠିକ ତଥ୍ୟ ରଖୁନାହାନ୍ତି। ଅଥବା ତଥ୍ୟ ଲୁଚାଉଥିବା ଅଭିଯୋଗ ହେଉଛି। ଆକ୍ରାନ୍ତ ସଂପର୍କରେ ତଥ୍ୟରେ ତାଳମେଳ ରହୁନାହିଁ। ମୃତକଙ୍କ ସଂପର୍କରେ ତଥ୍ୟ ଜାଣିଶୁଣି ଉଦ୍ଦେଶ୍ୟ ମୂଳକ ଭାବେ ଲୁଚାଯାଉଛି। ବହୁ ଲୋକ କରୋନାର ସମସ୍ତ ଲକ୍ଷଣ ଥାଇ ପରୀକ୍ଷା ନକରି ନିଜେ ନିଜେ ଚିକିତ୍ସା କରି ମୃତ୍ୟୁ ମୁଖରେ ପଡୁଥିବା ଚର୍ଚ୍ଚା ହେଉଛି। ଏ ପର୍ଯ୍ୟନ୍ତ ଆଠଗଡ ଉପଖଣ୍ଡର ଆଠଗଡ ବ୍ଲକରେ ୫୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୦୮ସୁସ୍ଥ, ୧୬୭ଚିକିତ୍ସାଧିନ ଏବଂ ୬ଜଣ ମୃତ୍ୟୁବରଣ କରିଛନ୍ତି। ତିଗିରିଆରେ ମୋଟ ଆକ୍ରାନ୍ତ ୩୭୦, ସୁସ୍ଥ ୨୬୯, ଚିକିତ୍ସାଧିନ ୯୭, ୪ଜଣ ମୃତ୍ୟୁବରଣ କରିଛନ୍ତି, ବଡମ୍ବା ବ୍ଲକରେ ୫୫୨ ଆକ୍ରାନ୍ତ, ୫୦୬ସୁସ୍ଥ ଚିକିତ୍ସାଧିନ ୪୨ ଓ ମୃତ ୪ଜଣ ବୋଲି ଜଣାପଡିଛି। ନରସିଂହପୁର ବ୍ଲକରେ ଅଦ୍ୟାବଧି ୬୪୫ରୁ ୨୮୬ଜଣ ସୁସ୍ଥ ହୋଇଥିବାବେଳେ ୩୫୫ଜଣ ଚିକିତ୍ସାଧିନ ଓ ୪ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଆଠଗଡ ଏନଏସିରେ ୨୨୨ଆକ୍ରାନ୍ତ ଚିହ୍ନଟ, ୧୪୮ଜଣ ସୁସ୍ଥ ହୋଇଥିବାବେଳେ ୬୯ଜଣ ଚିକିତ୍ସାଧିନ ଏବଂ ୩ଜଣ ମୃତ୍ୟୁବରଣ କରିଥିବା ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ। କରୋନା ସଂକ୍ରମଣର କ୍ରମବର୍ଦ୍ଧିଷ୍ଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଆଠଗଡ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଠାରେ ପରୀକ୍ଷା ସଂଖ୍ୟାରେ ବୃଦ୍ଧି ସହିତ ଏହାର ନିୟନ୍ତ୍ରଣ ପାଇଁ ଆଖି ଦୃଷ୍ଟିଆ ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.