ବଢ଼ୁଛି କରୋନା ସଂକ୍ରମଣ: ରାଜ୍ୟକୁ ଗଞ୍ଜାମ ଚିନ୍ତା; ରାଜଧାନୀକୁ ବସ୍ତି

କାୟା ବଢ଼ାଉଛି କରୋନା । କିଛିଦିନ ତ​‌ଳେ ଆଶ୍ବସ୍ତିର ନିଶ୍ବାସ ମାରିଥିବା ଓଡ଼ିଶା ପାଇଁ ଏବେ ଗଞ୍ଜାମ ଚିିନ୍ତାର କାରଣ ପାଲଟିଥିବାବେଳେ ରାଜଧାନୀ ପାଇଁ ଚିନ୍ତା ବଢ଼ାଇଛି ବସ୍ତି । ଗଞ୍ଜାମ ଜିଲାରେ ଆଜି ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ଏବଂ କେବଳ ଗଞ୍ଜାମରୁ ଏଥିମଧ୍ୟରୁ ୧୩ ଜଣ ଅଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତି ଅଞ୍ଚଳର ବାସିନ୍ଦା ଜଣା ପଡ଼ିବା ପରେ ବିଏମସି ଚିନ୍ତାରେ ପଡ଼ିଛି ।

ସ୍ଥାନୀୟ ସଂକ୍ରମିତ ୨୩ ଜଣଙ୍କ ମଧ୍ୟରେ ମଞ୍ଚେଶ୍ବର ଅଞ୍ଚଳରୁ  ଅଛନ୍ତି ୫ ଯୁବକ । ଏମାନଙ୍କ ବୟସ ଯଥାକ୍ରମେ ୨୨, ୨୬, ୨୮, ୨୩, ୪୫ । ସେହିପରି ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାସପୋର୍ଟ ଅଫିସ ନିକଟ ବାଲିତୋଟା ସାହି ବସ୍ତିରୁ ୪ଜଣ ମହିଳା, ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ୨୨ ବର୍ଷିୟ ମହିଳା ଓ ଘରୋଇ ହସ୍ପିଟାଲରୁ ୨୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଅଶୋକ ନଗର ଅଞ୍ଚଳରୁ ୬୦ ବର୍ଷିୟ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନିଳାଦ୍ରି ବିହାର ଅଞ୍ଚଳରୁ ୫୬ ବର୍ଷିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ଡାକ୍ତରଖାନା ୩୭ ବର୍ଷିୟ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ନୟାପଲ୍ଲୀ ଏମ୍-୩ ପାର୍କ ଅଞ୍ଚଳରୁ ଜଣେ ୪୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବସ୍ତି ସଂକ୍ରମଣ ରାଜଧାନୀ ପାଇଁ ସବୁଠାରୁ ବଡ଼ ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ବିଏମସି ବସ୍ତି ଅଞ୍ଚଳ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଅନେକ ମତ ପ୍ରକାଶ କରୁଛନ୍ତି । ଥରେ ବସ୍ତି ଅଞ୍ଚଳରେ ସଂକ୍ରମଣ ବ୍ୟାପିଲେ ତାହାକୁ ରୋକିବା ଅସମ୍ଭବ ହୋଇ ପଡ଼ିବ ଏବଂ ରାଜଧାନୀ ଅବସ୍ଥା ଭୟଙ୍କର ହୋଇ ପଡ଼ିବ ତାହା ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ଗଞ୍ଜାମର ସ୍ଥିତିକୁ ନେଇ ସରକାର ଉଦବିଗ୍ନ । ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧ଶହ ଓ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ଅନ୍ୟ ଜିଲା ତୁଳନାରେ ଏହା ଯଥେଷ୍ଟ ଅଧିକ । ତେଣୁ ଏ ଦିଗରେ ଜିଲା ପ୍ରଶାସନ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି ।

Comments are closed.