ମାଳିକା, କରୋନା ଓ କାଳିଆ

ପ୍ରୟାସ ଏବଂ ପ୍ରାର୍ଥନାର ଶକ୍ତ ପ୍ରହାରରେ କରୋନାର ମୃତ୍ୟୁ ସୁନିଶ୍ଚିତ

କାଳକୁ କଳିବାକୁ କାଳକାଳ ଧରି ଦିବ୍ୟଦ୍ରଷ୍ଟାମାନେ ସତତ ପ୍ରଯତ୍ନ କରିଆସିଛନ୍ତି। ଅନାଗତ ଭବିଷ୍ୟତକୁ ଜାଣିବା ପାଇଁ ମଣିଷ ମନରେ ଅହେତୁକ ଦୁର୍ବଳତା, ଅନ୍ତହୀନ ଅଭୀପ୍ସା। ମଣିଷର ବ୍ୟକ୍ତିଗତ ଭବିଷ୍ୟତ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସୃଷ୍ଟି ଏବଂ ସାମୂହିକ ଭାବେ ସୃଷ୍ଟିର ଭବିଷ୍ୟ ଦ୍ରଷ୍ଟା ଭାବେ ‘ମାଳିକା’ ସର୍ବମାନ୍ୟ। ବିଶେଷ କରି ଆଜିକାର ସମୟରେ ସମଗ୍ର ମାନବ ସୃଷ୍ଟିକୁ ନିଶ୍ଚିହ୍ନ କରିଦେବାର ଦମ୍ଭ ନେଇ ଯେଉଁ ଘାତକ ଭୂତାଣୁ କରୋନା ତା’ର ଅକ୍ଟୋପସ୍‍ ପଞ୍ଝା ବିସ୍ତାର କରିବାରେ ଲାଗିଛି ସେଥିରେ ସମଗ୍ର ବିଶ୍ୱ ଆଜି ଥରହର। ଠିକ୍‍ ସେତିକିବେଳେ ମଣିଷ ମନରେ ଅଜଣା ଆଶଙ୍କା- ସତରେ କ’ଣ କରୋନା ମହାମାରୀରେ ଏ ମାନବ ଜାତି ନିଶ୍ଚିନ୍ନ ହୋଇଯିବ? ଆଉ ଏତିକି ବେଳେ ମାଳିକାର ମହକରେ ମହକି ଉଠୁଛି ଗାଁ ଦାଣ୍ଡ, ପୁରପଲ୍ଲୀ, ସହର-ବଜାର। ସର୍ବତ୍ର ମାଳିକାକୁ ନେଇ ବିଚାରଆଲୋଚନା। ତା’ର ଏକମାତ୍ର କାରଣ ହେଲା ମଣିଷର ଜୀବନ ପ୍ରତି ଅହେତୁକ ମୋହ। ସେ ମରିବାକୁ ଚାହେଁନା। ତେଣୁ ସେ ଜାଣିବାକୁ ଉଦ୍‍ବିଗ୍ନ, ସତରେ କ’ଣ ଏ କରୋନା ମହାମାରୀ ମହାପ୍ରଳୟର ରୂପ ନେବ ? ଶେଷ ହୋଇ ଯିବ କଳିଯୁଗ ?

କେହିକେହି ଅବିଶ୍ୱାସ କରୁଥିଲେ ମଧ୍ୟ ଏ କଥା ସତ୍ୟ ଯେ ଏହାର ଉତ୍ତର ଆଜକୁ ପ୍ରାୟ ଛଅ ଶହ ବର୍ଷ ତଳୁ ମହାପୁରୁଷ ଅଚ୍ୟୁତାନନ୍ଦ ଦେଇଯାଇଛନ୍ତି। ଅଚ୍ୟୁତାନନ୍ଦଙ୍କ ସହ ଅନ୍ୟାନ୍ୟ ସିଦ୍ଧ ପୁରୁଷଗଣ, ଯଥା- ଜଗନ୍ନାଥ, ବଳରାମ, ଯଶୋବନ୍ତ, ଶିଶୁଅନନ୍ତ ପ୍ରମୁଖ ଦିବ୍ୟଦ୍ରଷ୍ଟା ସେମାନଙ୍କ ସାଧନା ଦ୍ୱାରା ଆଗତ ଭବିଷ୍ୟତକୁ ଦେଖିପାରିଥିଲେ ଏବଂ ମାନବ ସମାଜକୁ ଏ ସମ୍ବନ୍ଧରେ ପୂର୍ବ ସୂଚନାମାନ ସେମାନଙ୍କ ସାହିତ୍ୟ କୃତି ମାଧ୍ୟରେ ଦେଇଯାଇଛନ୍ତି। ମାଳିକାରେ ଆଗତ ଭବିଷ୍ୟତକୁ ନେଇ ଏ ପରି କେତୋଟି ଘଟଣାର ଉଲ୍ଲେଖ ଥିଲା ଯାହା ଏହା ଭିତରେ ଘଟିଯାଇଛି। ଯେପରି ଉତ୍ତର ଦିଗରୁ ଝିଣ୍ଟିକା ଦଳ ମାଡ଼ି ଆସିବା, ଶ୍ରୀମନ୍ଦିରରୁ ପଥର ଖସିବା, ଚତୁର୍ଦିଗରେ ଲଞ୍ଜାତାରା ପଡ଼ିବା, ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ନିଅାଁ ଲାଗିବା ଇତ୍ୟାଦି। ତେବେ ଏହି କରୋନା ମହାମାରୀ ସମ୍ବନ୍ଧରେ ‘ମାଳିକା’ କ’ଣ କୁହେ ତାହା ଜାଣିଲେ ମଣିଷ ହତଚକିତ ହୋଇଯିବ ନିଶ୍ଚୟ। ‘ମାଳିକା ବଚନ’ରେ ସ୍ପଷ୍ଟ ଉଲ୍ଲେଖ ଅଛି-
ବହୁ ମହାମାରୀ ଉଚ୍ଚାଟ ହୋଇଣ
ଗ୍ରାସିବେ ସାରା ଅବନୀ।
ସବୁ ବୁଦ୍ଧିବଳ ବିଫଳ ହୋଇବ
ପଥି ପଥ୍ୟ ମିଳିବନି ।।
x x x x x
ଦୁଇ ବିଂଶ ଯେବେ ବର୍ଷ ବୋଲାଇବ
ବହୁ ବିତିପାତ ହେବ।
ଅଜଣା ବ୍ୟାଧିରେ ବହୁ ନାଶ ଯିବେ
ହାହାକାର ପଡ଼ିଯିବ ।।
ହଁ, ଆଜି ସେହି ଦୁଇବିଂଶ ୨୦୨୦ ମସିହାର ପ୍ରାକ୍‍ କାଳରେ କରୋନା ମହାମାରୀ କ୍ଷିପ୍ର ଗତିରେ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି। ସବୁଆଡ଼େ ଆତଙ୍କର ବାତାବରଣ। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୯୯ଟି ରାଷ୍ଟ୍ର କରୋନା କବଳିତ। ଏହାର ମୁକାବିଲା ପାଇଁ ମାନବଜାତି ଥଳକୂଳ ପାଉନାହିଁ। ମଣିଷର ଏହି ଅସହାୟତାର ସୁଯୋଗ ନେଇ ନିତିଦିନ ମୃତ୍ୟୁର ତାଣ୍ଡବ ଲୀଳା ରଚି ଚାଲିଛି କରୋନା।
କହିବାର କଥା ହେଲା- ଏଥିପାଇଁ ଏତେ ବ୍ୟସ୍ତ, ବିବ୍ରତ ଏବଂ ବିଚଳିତ ହେବାର କୌଣସି କାରଣ ନାହିଁ। ପ୍ରତ୍ୟେକ ସମସ୍ୟାର ସମାଧାନ ଥାଏ। କେବଳ ଧୈର୍ଯ୍ୟ ଏବଂ ସାହସ ଆବଶ୍ୟକ। ଯାହାର ଜନ୍ମ ଅଛି, ତା’ର ମୃତ୍ୟୁ ଅଛି। ସୃଷ୍ଟି ଅଛି ମାନେ ବିଲୟ ବି ଅଛି। ତେଣିକି ତାହା ମଣିଷ ହେଉ ଅବା କୌଣସି ମହାମାରୀ। ଅତୀତରେ ଆତଙ୍କ ସୃଷ୍ଟି କରିଥିବା ହଇଜା ଓ ପ୍ଲେଗ୍‍ ଭଳି ମହାମାରୀର ସ୍ଥିତି ଆଜି କେଉଁଠାରେ? ଏ କରୋନା ମଧ୍ୟ ସମୟ କ୍ରମେ ଏ ଧରାପୃଷ୍ଠରୁ ବିଲୀନ ହୋଇଯିବ। ସାହସ ରଖ- ମନେ ପକାଅ ପିଲାବେଳେ ପଢ଼ାଯାଇଥିବା ପାଠ- ପ୍ରିଭେନ୍‍ସନ୍‍ ଇଜ୍‍ ବେଟର ଦାନ କିଓର।
ବର୍ତ୍ତମାନ ଏହି କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଏବଂ ସର୍ବୋପରି ଏହାର ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଚାବିକାଠି ହେଲା- ଏକାନ୍ତ ବାସ। ତୁମେ ତାକୁ ସଙ୍ଗରୋଧ କୁହ କି କ୍ୱାରେଣ୍ଟାଇନ୍‍ କୁହ। ଏକାନ୍ତରେ ରହିଲେ ଭୂତାଣୁ ବ୍ୟାପିଯିବାର ସମ୍ଭାବନା ଦୁର୍ବଳ ହୋଇପଡ଼େ। ଏହି ପନ୍ଥା ଅନୁସରଣ କରି ହିଁ ଏହି ଭୂତାଣୁର ଜନ୍ମ ଭୂମି ଚାଇନା ଆଜି ଅନେକାଂଶରେ ଏହାକୁ ରୋକିବାରେ ସମର୍ଥ ହୋଇଛି। ଆମେମାନେ ଭୁଲିଗଲେ ଚଳିବ ନାହିଁ ଆମ ଓଡ଼ିଆଙ୍କର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଜୀବଦ୍ଦଶାରେ ଯେବେଯେବେ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେ ଏକାନ୍ତବାସରେ ଚାଲିଯାଇଛନ୍ତି। ତେଣିକି ତାହା ବାହ୍ୟ ଶତ୍ରୁ ଆକ୍ରମଣଜନିତ ହେଉ ଅବା ଶାରୀରିକ ଅସୁସ୍ଥତାଜନିତ ହେଉ। ସ୍ନାନ ଯାତ୍ରା ପରେ ଜ୍ୱର ଜନିତ ଚଉଦ ଦିନର ଏକାନ୍ତବାସଠାରୁ ଆରମ୍ଭ କରି ଶତ୍ରୁ ଆକ୍ରମଣଜନିତ ୧୪୪ବର୍ଷ ଧରି ସୋନପୁରଠାରେ ପାତାଳି ହେବାକୁ ନେଇ ହେଉ।
ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ସ୍ପଷ୍ଟ କହିଛନ୍ତି-
ଅଚିହ୍ନା ବ୍ୟାଧି ଯେ ଜଗତେ ଘୋଟିବ
ବଇଦ ବଣା ହୋଇବେ।
ରୋଗ ନ ଚିହ୍ନିଣ ବଣା ହେଉଥିବେ
ଅନେକ ପ୍ରାଣୀ ମରିବେ।ା
ଏଣୁ ଆଜିର ଏହି ବିପତ୍ତି ସମୟରେ ଆଦୌ ଭୟଭୀତ ନହୋଇ ଅନାଗତ ଭବିଷ୍ୟତକୁ ପ୍ରଭୁଙ୍କ ଇଚ୍ଛାରେ ଛାଡ଼ିଦେଇ ଏକାନ୍ତବାସରେ କିଛିଦିନ ରହିଯିବା। କରୋନା କବଳରୁ ମୁକ୍ତି ପାଇଁ ବୈଜ୍ଞାନିକ ପ୍ରୟାସ ତ ଜାରି ରହିଛି ଓ ରହିଥିବ ମଧ୍ୟ। ହେଲେ କେବଳ ମାତ୍ର ପ୍ରୟାସ କରିଦେଲେ ଚଳିବ ନାହିଁ। ତା’ ସହ ଲୋଡ଼ା ମଣିଷର ପ୍ରାର୍ଥନା। ପ୍ରୟାସ ଏବଂ ପ୍ରାର୍ଥନାର ଶକ୍ତ ପ୍ରହାରରେ କରୋନାର ମୃତ୍ୟୁ ସୁନିଶ୍ଚିତ। ଶେଷରେ ଶ୍ରୀକ୍ଷେତ୍ରର କବି ଦେବୀ ନନ୍ଦଙ୍କ କଲମରୁ ଝରିଥିବା ସେହି ଅମୃତ ବାଣୀ-
‘କଡ଼ ଲେଉଟାଣି ବେଳ ଏଇ ପରା ମାନବ ଜାତିର।
ବିଜ୍ଞାନ ଯେ ବାଟବଣା ଥଳକୂଳ ମିଳେନା କାହାର ।।
ସଂଯମ ସଂକଳ୍ପ ମନ୍ତ୍ର ଆପଣେଇ ହୋଇବା ଉଦ୍ଧାର।
ଈଶ୍ୱର ଭରସା ଛଡ଼ା ଅନ୍ୟଗତି ନାହିଁଟି କାହାର ।।

ବିବୁଧ ରଂଜନ

ତଳମାଳି ସାହି, ପୁରୀ- ୨

Comments are closed.