କରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ଲାଗିଲା କଟକଣା

- ପ୍ରବେଶ ପୂର୍ବରୁ ଭକ୍ତ ଦେବେ ଘୋଷଣାନାମା - ଦୂରରୁ ଛିଡ଼ା ହୋଇ କରିବେ ଦିଅଁ ଦର୍ଶନ - ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ଛୁଇଁବା ନିଷେଧ - ମାସ୍କ ପିନ୍ଧିବେ ସେବକ, କର୍ମଚାରୀ, ପୁଲିସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତିଶା ନିଯୋଗ ସେବକଙ୍କ ସହ ଆଲୋଚନା ପରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ପ୍ରଶାସନ। ଅରୁଣସ୍ତମ୍ଭ ଏବଂ ଗରୁଡସ୍ତମ୍ଭ ସମେତ ଠାକୁରଙ୍କୁ ସ୍ପର୍ଶ ଉପରେ ନିଷେଧାଦେଶ ଜାରି କରାଯାଇଛି। ପାଳିଆ ସେବକମାନେ ବାରମ୍ବାର ଭଲଭାବେ ହାତ ଧୋଇବା ସହ ମାସ୍କ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଗର୍ଭଗୃହ, ଜଗମୋହନ ଏବଂ ନାଟମଣ୍ଡପରେ ଜନଗହଳି ରୋକିବାକୁ ସ୍ଥିର କରାଯାଇଛି। ସୋମବାରଠାରୁ ଶ୍ରଦ୍ଧାଳୁ ଭକ୍ତମାନେ ପର୍ୟ୍ୟାୟକ୍ରମେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ଘୋଷଣାନାମାରେ ଦସ୍ତଖତ କରିବାକୁ ପଡ଼ିବ। ସଂପୃକ୍ତ ବ୍ୟକ୍ତିମାନେ ଥଣ୍ଡା, ସର୍ଦି କିମ୍ବା ଜ୍ବରରେ ପୀଡ଼ିତ ନ ଥିବା ଏବଂ ସେମାନଙ୍କ ପରିବାରର କୌଣସି ବ୍ୟକ୍ତି ୧୫ଦିନ ମଧ୍ୟରେ ବିଦେଶରୁ ଫେରି ନ ଥିବା ସମ୍ପର୍କରେ ଘୋଷଣାନାମା ଦେବାକୁ ପଡ଼ିବ। ଏପ୍ରିଲ ୧ତାରିଖ ପର୍ୟ୍ୟନ୍ତ ଏଭଳି କଟକଣା ଲାଗୁ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ବାହାରେ ଦୁଇଟି ହେଲ୍ପ ଡେସ୍କ ଖୋଲାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଏହାଛଡା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଭଲଭାବେ ହାତ ଧୋଇବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ଆନନ୍ଦବଜାରରେ ଏକତ୍ର ବସି ପ୍ରସାଦ ସେବନ ଉପରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିର ବେଢ଼ାରେ ଏକାଠି ବସି ଭଜନ କୀର୍ତ୍ତନ କରିବା ଉପରେ ରୋକ ଲଗାଯାଇଛି।

ଭକ୍ତଙ୍କ ମସ୍ତକରେ କୌଣସି ସେବକ ସିନ୍ଦୂର, କର୍ପୂର ଓ ଚନ୍ଦନ ନଲଗାଇବାକୁ ପରାମର୍ଶ ଦେଇଛି ମନ୍ଦିର ପ୍ରଶାସନ। ମନ୍ଦିର କର୍ମଚାରୀ, ପୁଲିସ ଏବଂ ସେବକଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ଯୋଗାଇ ଦେବାକୁ ସ୍ଥିର ହୋଇଛି। କରୋନା ମହାମାରୀରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥଙ୍କୁ ସ୍ବତନ୍ତ୍ର ପୂଜା କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି। ଏବେ ଦର୍ଶନ ପାଇଁ ନଆସି ଆଉ କିଛିଦିନ ପରେ ଆସିବାକୁ ସେ ଭକ୍ତଙ୍କୁ ଅନୁରୋଧ କରିଛନ୍ତି। ରେଳଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡରେ ହେଲ୍ପ ଡେସ୍କ ଖୋଲାଯିବା ପ୍ରସ୍ତାବ ଥିବା ସେ କହିଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ ଯଦି କୌଣସି ସେବକ କିମ୍ବା ମନ୍ଦିର କର୍ମଚାରୀ ସୂଚନା ପାଆନ୍ତି ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ବିଭାଗ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କ ସମେତ ପରିଚାଳନା କମିଟି ସଭ୍ୟ ଏବଂ ଛତିଶା ନିଯୋଗ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

Comments are closed.